August 27, 2026
Home » ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ କ୍ରିକେଟ ମ୍ୟାଚ 

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ କ୍ରିକେଟ ମ୍ୟାଚ 

0
WhatsApp Image 2026-08-27 at 5.00.31 PM
ବିଏମ୍ ସିକୁ ହରାଇ କେଏମ୍ ସି ବିଜୟୀ
        ଭୁବନେଶ୍ୱର:ଅଗଷ୍ଟ 31 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ୱାୟତ୍ତ ଶାସନ  ଦିବସ-2026 ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଓ କଟକ ମହାନଗର ନିଗମ (କେଏମ୍ ସି)ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ କିଟ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ବିଏମ୍ ସିକୁ 4 ଓ୍ୱିକେଟ୍ ରେ ଶୋଚନୀୟ ଭାବେ ପରାସ୍ତ କରିଛି କେଏମ୍ ସି ।
ଉଭୟ ଦଳର କ୍ୟାପଟେନ୍ ଖେଳାଳି ପରିଚୟ ପ୍ରଦାନ କରିବା ପରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଟସ୍ ପକାଇଥିଲେ । ଟସ୍ ଜିଣି ବିଏମ୍ ସି ପ୍ରଥମେ ବ୍ୟାଟିଂ ସାଇଡ୍ ନେଇଥିଲା । ଓପନର ବ୍ୟାଟ୍ସ ମ୍ୟାନ୍ ଭାବେ ମଇଦାନକୁ ଓହ୍ଲାଇଥିଲେ ଜୋନାଲ କମିଶନର ରାକେଶ କୁମାର ପାତ୍ର ଓ ଡେପୁଟି କମିଶନର ଜନାର୍ଦ୍ଦନ ତହସିଲଦାର । ରାକେଶ ପାତ୍ର ମାତ୍ର ଗୋଟିଏ ରନ୍ କରି କ୍ୟାଚ୍ ଆଉଟ ହୋଇଥିବା ବେଳେ ଶ୍ରୀ ତହସିଲଦାର ଗୋଟିଏ ଚୌକା ସହ 6 ରନ୍ କରି ପାଭଲିୟନକୁ ଫେରି ଆସିଥିଲେ । କର୍ପୋରେଟର ଶେକ୍ ନୁରହାସନ୍ ଏବଂ ଅନ୍ୟତମ ଜୋନାଲ କମିଶନର ମନ୍ମଥ ନାଥ ନାୟକଙ୍କ ଧୁଆଁଧାର ବ୍ୟାଟିଂ ଦଳକୁ ବେଶ କିଛି ବାଟ ଆଗେଇ ନେଇଥିଲା । ତେବେ କର୍ପୋରେଟର ଅଜିତ୍ ବେହେରା ଓ ଅପୂର୍ବ ନାରାୟଣ ରାଉତ କେଏମ୍ ସି ବୋଲରଙ୍କ ବଲର ମୁକାବିଲା କରି ନପାରି ମାତ୍ର ଦୁଇ ଦୁଇଟି ବଲର ସମ୍ମୁଖିନ ହୋଇଥିଲେ । ସେମାନେ କୌଣସି ରନ୍ ନ କରି ପାଭଲିୟନକୁ ଫେରି ଆସିବା, ଦଳକୁ ବିପର୍ଯୟ ଆଡକୁ ଟାଣି ନେଇଥିଲା । ତେବେ ଦୁର୍ଦ୍ଧଷ ବ୍ୟାଟ୍ସ ମ୍ୟାନ ରଶ୍ମୀ ରଂଜନ ବେହେରାଙ୍କ 3ଟି ଛକା ସହ ମୋଟ 22 ରନ୍ ବଳକୁ ଶୋଚନୀୟ ପରାଜୟରୁ ରକ୍ଷା କରିଥିଲା ।  ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ ନାଥ ନାୟକଙ୍କ 21ରନ୍, କର୍ପୋରେଟର ବିପ୍ଳବ ବେହେରାଙ୍କ 11 ରନ୍, ଅଲରାଉଣ୍ଡର କର୍ପୋରେଟର ସେକ୍ ନୁରହାସନଙ୍କ 4ଟି ଛକା ସହ ସର୍ବାଧିକ 32 ରନ୍, କର୍ପୋରେଟର ମିହିର ରାଉତଙ୍କ 12 ରନ୍, କର୍ପୋରେଟର କୁମାରେନ୍ଦ୍ର ମହାପାତ୍ରଙ୍କର 4 ରନ ଓ ଡେପୁଟି କମିଶନର ଶାନ୍ତିସ୍ୱରୂପ ମିଶ୍ର 1 ରନ୍ କରି ନଟ୍ ଆଉଟ୍ ସହ ଦଳ 14 ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ମୋଟ 122 ରନ୍ କରିଥିଲା ।
123 ରନ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା କେଏମ୍ ସି ।  ତେବେ କେଏମ୍ ସି 9 ଓଭର 3ଟି ବଲରେ 7 ଓ୍ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା । ଦୁର୍ଦ୍ଦାନ୍ତ ବ୍ୟଟ୍ସ ମ୍ୟାନ୍ ରୋବଟ୍ 6 ଟି ଛକା ଓ ଗୋଟିଏ ଚୌକା ସହ ମୋଟ 43 ରନ୍ କରି ଦଳକୁ ସହଜ ବିଜୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଏମ୍ ସିର ବର୍ଣ୍ଣେନ୍ଦୁ 6 ରନ୍, ଶିବାଶିଷ 4ରନ୍, ଗଗନ ଓଝା 3ଟି ଛକା ଓ ଗୋଟିଏ ଚୌକା ସହ 24 ରନ୍, ଦୀପକ କୁମାର ଦାସ 15 ରନ୍, ବସନ୍ତ 4 ରନ୍, ନିତୁ ରାମ 12 ରନ୍ ଓ ସଚିନ୍ 7 ରନ୍ ଏବଂ ଏକ୍ସଟ୍ରା 8 ରନ୍ ଦଳକୁ ବିଜୟୀ କରାଇଥିଲା।
ବିଏମ୍ ସିର ଶେକ୍ ନୁରହାସନ୍ 4ଟି ଓ୍ୱିକେଟ୍ ସହ 32 ରନ୍ କରି ବେଷ୍ଟ ବ୍ୟାଟ୍ସ ମ୍ୟାନ୍ ହୋଇଥିବା ବେଳେ କେଏମ୍ ସିର ନିତୁ ରଂଜନ 3ଟି ଓ୍ୱିକେଟ୍ ସହ 12 ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ମାନନୀୟା ମେୟର ବିଜୟୀ ଦଳକୁ 10 ହଜାର, ରନର୍ସଅପ୍ ଦଳକୁ 5 ହଜାର, ବେଷ୍ଟ ବ୍ୟାଟ୍ସ ମ୍ୟାନଙ୍କୁ 5 ହଜାର ଏବଂ ମ୍ୟାନ୍ ଅଫ ଦି ମ୍ୟାଚ୍ ଖେଳାଳୀଙ୍କୁ 5 ହଜାର ଟଙ୍କା ନଗଦ ଅର୍ଥ ପୁରସ୍କାର ଦେଇଥିଲେ ।
କିଟର ସନ୍ତୋଷ କୁମାର ଜେନା ଓ ଏମ୍. ପ୍ରଶାନ୍ତ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ କିଟ୍ ର ଆଶୁତୋଷ ୟାଦବ ଓ ସୁଶ୍ରୀ ଅନିତା କାର୍ଯ୍ୟକରିଥିଲେ ।
ଆଜିର ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ବିଏମ୍ ସିର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସହ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, କେଏମ୍ ସିର ମାନନୀୟ ମେୟର ଶ୍ରୀ ସୁବସ ସିଂ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି ଓ କେଏମ୍ ସିର ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟିର ବହୁ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ଯୋଦେଇଥିଲେ । ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବନ୍ଧୁତା ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଏମ୍ ସି ରିକ୍ରିଏସନ କ୍ଲବର କର୍ମକର୍ତ୍ତା ଅକ୍ଷୟ କୁମାର ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ରଂଜନ କୁମାର ବେହେରା, ପ୍ରଶାନ୍ତ କୁମାର ରଥ ।

Leave a Reply

Your email address will not be published. Required fields are marked *