August 31, 2026
Home » ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ

0
WhatsApp Image 2026-08-31 at 1.42.28 PM

୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା l
ସୁବର୍ଣ୍ଣପୁର: ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଅବସରପ୍ରାପ୍ତ) କାର୍ତ୍ତିକେଶ୍ୱର ସାହୁ ଆୟଠାରୁ ଅଧିକ ସମ୍ପତ୍ତି (Disproportionate Assets) ରଖିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ଧାରା ୧୩(୧)(ଇ) ଅନୁଯାୟୀ ମାମଲା ରୁଜୁ କରାଯାଇ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତାଙ୍କର ଜଣାଶୁଣା ଆୟର ଉତ୍ସ ତୁଳନାରେ ଅସଙ୍ଗତ ଭାବେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା।ଆଜି, ୩୧ ଅଗଷ୍ଟ ୨୦୨୬ ତାରିଖରେ ମାମଲାର ବିଚାର କରି ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଫୁଲବାଣୀ କାର୍ତ୍ତିକେଶ୍ୱର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦ (ପଚାଶ ହଜାର) ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ତାଙ୍କର ଦୋଷସିଦ୍ଧି ପରେ ପେନସନ୍ ବନ୍ଦ କରିବା ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରସ୍ତାବ ଦିଆଯିବ।ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସର ଦୃଢ଼ ଓ ନିରନ୍ତର କାର୍ଯ୍ୟାନୁଷ୍ଠାନର ଏହା ଆଉ ଏକ ଉଲ୍ଲେଖନୀୟ ଉଦାହରଣ। ସରକାରୀ ପଦବୀର ଦୁରୁପଯୋଗ କରି ଆୟଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ଏହି ଅଦାଲତ ନିର୍ଦ୍ଦେଶ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରୁଛି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *