ରାୟଗଡ଼ ସହରରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ମେକାନିକାଲ ସ୍ୱିପିଂ (ଯାନ୍ତ୍ରିକ ରାସ୍ତା ସଫେଇ) ବ୍ୟବସ୍ଥା
ରୟଗଡ଼ ପୌରପରିଷଦ ଅଞ୍ଚଳକୁ ଅଧିକ ସ୍ୱଚ୍ଛ, ସୁନ୍ଦର ତଥା ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପତ୍ର ସଂଖ୍ୟା ୮୬୨୫ / ୨୨.୦୪.୨୦୨୬ ଅନୁସାରେ ସମ୍ବଲପୁର ମହାନଗର ନିଗମ, ଜୟପୁର୍ ପୌରପରିଷଦ ଏବଂ ରାୟଗଡ଼ ପୌରପରିଷଦ କୁ ଯାନ୍ତ୍ରିକ ସଫେଇ ପାଇଁ ଗ୍ରୀନ ଇନୋଭେଟିବ ପାୱାର ପ୍ରାଇଭେଟ୍ ଲିମିଟେଡ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହି ସଂସ୍ଥା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସ୍ଵାୟତ ଶାସନ ଦିବସ ପାଳନ ଅବସରରେ ରାୟଗଡ଼ ଜିଲ୍ଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ଵାମୀ କାଡ୍ରାକା ଏହି ଯାନ୍ତ୍ରିକ ସଫେଇ ଗାଡିକୁ ରାୟଗଡ଼ ପୌରପରିଷଦର ଅଧକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ପରିଷଦ ବୃନ୍ଦ ଏବଂ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍-ଘାଟନ କରିଥିଲେ । ୧ ସେପ୍ଟେମ୍ବର ୨୦୨୬ ରୁ ରାୟଗଡ଼ ସହରରେ ଅତ୍ୟାଧୁନିକ ମେକାନିକାଲ ସ୍ୱିପିଂ ସେବା ଆରମ୍ଭ କରାଯାଉଛି।

ଏହି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଦ୍ୱାରା ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ମୁଖ୍ୟ ରାସ୍ତାଗୁଡ଼ିକର ସଫେଇ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେବ। ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ଧୂଳି, ବାଲି ଏବଂ ଅଳିଆ ଆବର୍ଜନାକୁ ଖୁବ୍ କମ୍ ସମୟ ମଧ୍ୟରେ ସଫା କରାଯାଇ ପାରିବ, ଯାହା ପାରମ୍ପରିକ ସଫେଇ ତୁଳନାରେ ଯଥେଷ୍ଟ ଉନ୍ନତ ଓ ପ୍ରଭାବଶାଳୀ ହେବ। ସହରର ସମସ୍ତ ପ୍ରମୁଖ ତଥା ବ୍ୟସ୍ତବହୁଳ ରାଜପଥ ଓ ରାସ୍ତାଗୁଡ଼ିକ ଏହି ବ୍ୟବସ୍ଥା ଅଧୀନରେ ନିୟମିତ ଭାବେ ସଫେଇ କରାଯିବ। ରାସ୍ତାରୁ ଉଡୁଥିବା ଧୂଳିକୁ ମେସିନ୍ ଦ୍ୱାରା ଟାଣି ନିଆଯିବା ଫଳରେ ସହରର ବାୟୁ ଗୁଣବତ୍ତାରେ ଉନ୍ନତି ଆସିବ ଏବଂ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ।
ଏହି ସେବା ପରିଚାଳନା ପାଇଁ ସରକାରୀ ନିୟମାନୁଯାୟୀ ଯୋଗ୍ୟତା ହାସଲ କରିଥିବା ଗ୍ରୀନ ଇନୋଭେଟିବ୍ ପାୱାର ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ଦ୍ୱାରା ଉଚ୍ଚମାନର ମେସିନ୍ ନିୟୋଜିତ କରାଯାଉଛି। ରାୟଗଡ଼କୁ ଏକ ସ୍ୱଚ୍ଛ ଓ ସବୁଜ ସହର ଭାବେ ଗଢ଼ିତୋଳିବା ପାଇଁ ପୌର ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏହି ନୂତନ ପଦକ୍ଷେପକୁ ସଫଳ କରିବା ପାଇଁ ପୌରପରିଷଦ ତରଫରୁ ସମସ୍ତ ସହରବାସୀଙ୍କ ଆନ୍ତରିକ ସହଯୋଗ କାମନା କରାଯାଉଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
