ହତ୍ୟା ଉଦ୍ୟମ ଅଭିଯୋଗ ରେ ଚାରି ଅଭିଯୁକ୍ତ ଗିରଫ : ବ୍ୟବହୃତ ଗାଡି ଜବତ l
ସୁବର୍ଣ୍ଣପୁର — ଯୋଜନା ବଦ୍ଧ ଭାବେ ହତ୍ୟା ଉଦ୍ୟମ ଅଭିଯୋଗ ରେ ଚାରି ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ l
ଘଟଣା ରୁ ପ୍ରକାଶ ଯେ ଅର୍ଜୁନ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ପ୍ରାୟ ଏକ ଦଶନ୍ଧି ଧରି ବିବାହ ଉତ୍ସବ, ଜନ୍ମଦିନ ପାର୍ଟି, କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସାମାଜିକ ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମିଳିତ ଭାବେ ଖାଦ୍ୟ ଯୋଗାଣ (କ୍ୟାଟରିଂ) ଚୁକ୍ତି ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ଅର୍ଜୁନ ରଥ ଜଣେ ରୋଷେୟା ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଫାଷ୍ଟ ଫୁଡ୍ (ଜଳଖିଆ) ପ୍ରସ୍ତୁତ କରିବାରେ ନିୟୋଜିତ ଥିଲେ । ଘଟଣାର ପ୍ରାୟ ଚାରି ବର୍ଷ ପୂର୍ବେ, ଅଭିଯୋଗକାରୀଙ୍କ ପୁଅ ଓମ୍ ପ୍ରକାଶ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକଙ୍କ ପୁଅ ବିଶ୍ୱନାଥ ନାୟକଙ୍କ ମଧ୍ୟରେ ଏକ ସାମାନ୍ୟ ବିଷୟକୁ ନେଇ ଝଗଡ଼ା ହୋଇଥିଲା । ସେହିଦିନଠାରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଏବଂ ଏହି ଘଟଣାରେ ମୁଖ୍ୟ ମୁଦାଲା ସୁରେନ୍ଦ୍ର ନାୟକ, ଅଭିଯୋଗକାରୀ ଅର୍ଜୁନ ରଥଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଏହି ବିବାଦ ଯୋଗୁଁ, ଅଭିଯୋଗକାରୀ ଅର୍ଜୁନ ରଥ ତାଙ୍କର କୌଣସି କ୍ୟାଟରିଂ ଚୁକ୍ତିରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକଙ୍କୁ ସାମିଲ କରୁନଥିଲେ । ଏହି ତିକ୍ତତା କାରଣରୁ ଅଭିଯୋଗକାରୀ ଅର୍ଜୁନ ରଥଙ୍କୁ ହତ୍ୟା କରିବେ ବୋଲି ଅଭିଯୁକ୍ତ ସୁରେନ୍ଦ୍ର ନାୟକ, ଶ୍ରୀ ରଥଙ୍କର ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିମାନଙ୍କୁ ଧମକ ଦେଉଥିଲେ । ଅଭିଯୋଗକାରୀ ଶ୍ରୀ ରଥଙ୍କୁ ହତ୍ୟା କରିବାର ଯୋଜନା ମୁତାବକ ଘଟଣା ପୂର୍ବରୁ, ଅଭିଯୁକ୍ତ ସୁରେନ୍ଦ୍ର ନାୟକ; ଅନ୍ତପାଲିର ନୀଳାମ୍ବର କର୍ଣ୍ଣ (ଯିଏ ସୁରେନ୍ଦ୍ରଙ୍କ ଡ୍ରାଇଭର ଭାବେ କାମ କରୁଥିଲେ); ବେଜପାଲିର ଜୟ କୁମାର ପଣ୍ଡା (ସୁରେନ୍ଦ୍ରଙ୍କ ଶଳା); ଏବଂ ପିପଲକଟାର ରମାନନ୍ଦ ପ୍ରଧାନ ଏକ ଅପରାଧିକ ଷଡ଼ଯନ୍ତ୍ର କରି ସେମାନେ ଏକ ଗାଡ଼ି ଦୁର୍ଘଟଣା ଘଟାଇ ଅର୍ଜୁନ ରଥଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଉକ୍ତ ଷଡ଼ଯନ୍ତ୍ର କ୍ରମରେ, ୨୭.୦୮.୨୦୨୬ ତାରିଖରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ସୋନପୁରସ୍ଥିତ ‘ପୁରୋହିତ ମୋବାଇଲ୍ ସପ୍’ ରୁ ନିଜ ରୋଷେୟା କୁମୁଦିନୀ ମେହେରଙ୍କ ନାମରେ ଏକ ନୂଆ ‘ଜିଓ’ (Jio) ସିମ୍ କାର୍ଡ କିଣିଥିଲେ ଏବଂ ଉକ୍ତ ସିମ୍ କାର୍ଡକୁ ଏକ ନୂଆ ‘ଜିଓ ଭାରତ’ ମୋବାଇଲ୍ ଫୋନରେ ସଂଯୋଗ କରିଥିଲେ । ତା ୩୧.୦୮.୨୦୨୬ ରିଖରେ, ଅଭିଯୁକ୍ତ ରମାନନ୍ଦ ପଧାନ ଉକ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରି ଅର୍ଜୁନ ରଥଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏକ ଶୁଦ୍ଧିକ୍ରିୟା (ମୃତ୍ୟୁକାଳୀନ ଭୋଜି) ପାଇଁ ଖାଦ୍ୟ ଯୋଗାଣ ବା କ୍ୟାଟରିଂ ଆବଶ୍ୟକତା ଥିବା ବିଷୟରେ ଜଣାଇଥିଲେ। ସେ ଅଗ୍ରୀମ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ସେହି ଅଗ୍ରୀମ ଟଙ୍କା ସଂଗ୍ରହ କରିବା ପାଇଁ ଅର୍ଜୁନ ରଥଙ୍କୁ ଵୀରମହାରାଜପୁର ଆସିବାକୁ କହିଥିଲେ। ଯୋଜନା ମୁତାବକ, ସେହି ଦିନ ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ, ଅର୍ଜୁନ ରଥ ସୁଶାନ୍ତ ପାତ୍ରଙ୍କ ସହ ମିଶି ପ୍ରସ୍ତାବିତ କ୍ୟାଟରିଂ ଚୁକ୍ତି ପାଇଁ ଅଗ୍ରୀମ ଟଙ୍କା ଆଣିବାକୁ ନିଜ ମୋଟରସାଇକେଲ୍ ଯୋଗେ ଵୀରମହାରାଜପୁର ଆସୁଥିଲେ । ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଏବଂ ରମାନନ୍ଦ ପଧାନ ଏକ ମୋଟରସାଇକେଲରେ ଅର୍ଜୁନ ରଥଙ୍କ ମୋଟରସାଇକେଲ୍ କୁ ପିଛା କରୁଥିଲେ ଏବଂ ଅଭିଯୁକ୍ତ ନୀଳାମ୍ବର କର୍ଣ୍ଣକୁ ସେମାନଙ୍କ ପଛରେ ସୁରେନ୍ଦ୍ର ନାୟକଙ୍କ ବୋଲେରୋ ପିକଅପ୍ ଗାଡ଼ି (ରେ.ନଂ OD-31-N-8879) ଚଳାଇ ଯାଉଥିଲେ। ଯେତେବେଳେ ଅର୍ଜୁନ ରଥ ଏବଂ ସୁଶାନ୍ତ ପାତ୍ର କୁମାରକେଲି ଛକ ନିକଟରେ ପହଞ୍ଚିଥିଲେ, ଅଭିଯୁକ୍ତ ନୀଳାମ୍ବର କର୍ଣ୍ଣ ଉକ୍ତ ବୋଲେରୋ ପିକଅପ୍ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଅର୍ଜୁନ ରଥକୁ ମାରିଦେବାର ଉଦେଶ୍ୟରେ ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲେ । ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ମୁଦାଲାମାନେ ଧରା ନପଡିବା ଉଦ୍ଧେଶ୍ୟରେ ଘଟଣାକୁ ଏକ ଦୁର୍ଘଟଣାର ଅପଚେଷ୍ଟା କରିଥିଲେ । ପିକଅପ୍ ଗାଡ଼ି ନଂ OD-31-N-8879 ଧକ୍କାରେ ଅର୍ଜୁନ ରଥ ଓ ସୁଶାନ୍ତ ପାତ୍ର ଯାଉଥିବା ମୋଟର ସାଇକେଲଟି ଭାଙ୍ଗିଯିବା ସହିତ ଉଭୟ ଅର୍ଜୁନ ରଥ ଓ ସୁଶାନ୍ତ ପାତ୍ର ଗୁରୁତର ଆଘାତ ପାଇଥିଲେ । ସେମାନେ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ହୋଇଥିଲେ ଓ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଥିଲେ । ଏ ସମ୍ପର୍କ ରେ ବୀରମହାରାଜପୁର ପୋଲିସ ନିକଟରେ ଅଭିଯୋଗ ହେବାପରେ ଏହା ଏକ ଦୁର୍ଘଟଣା ଜନିତ ଘଟଣା ବୋଲି ପଞ୍ଜୀକୃତ ହୋଇଥିଲା, ମାତ୍ର ସଠିକ ତଦନ୍ତ ରୁ ଜଣାପଡିଥିଲା ଯେ ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ । ତେଣୁ ଏହି କେସ କୁ ଏକ ସ୍ଵତନ୍ତ୍ର କେସ (Special Reported) ଭାବରେ ଗ୍ରହଣ କରାଯାଇ ଘଟଣାର ସବିଶେଷ ପ୍ରମାଣ ଆଧାରରେ ସମସ୍ତ ମୁଦାଲା ମାନଙ୍କୁ ଗିରଫ କରାଯାଇଛି ଏବଂ ବୁଧବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଛି । ଏ ନେଇ ବୁଧବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l ଘଟଣାରେ ସମ୍ପୃକ୍ତ ଥିବା ଚାରି ଗୋଟି ମୋବାଇଲଫୋନ, ଗୋଟିଏ ପିକଅପ୍ ଗାଡି, ଗୋଟିଏ super splendor ମୋଟର ସାଇକେଲ ଜବତ କରାଯାଇଛି । ବୀରମହାରାଜପୁର ପୋଲିସ କେଶ ନମ୍ବର 223/09/09/2026 U/s.281/125(a)/125( b) BNS ଆଧାର ରେ ଏକ ମାମଲା ରୁଜୁ ହୋଇଛି l ଏହି ଘଟଣାକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ବାବଧାନ ରେ ବୀରମହାରାଜପୁର IIC ଯଯାତି କେଶରୀ ସାହୁ ତଦନ୍ତ କରୁଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
