ଆକ୍ସନ ମୋଡ୍ରେ ଖଣି ବିଭାଗ ୬୦ ମେଟ୍ରିକ୍ ଟନ୍ ଲୁହାପଥର ଜବତ; ୨ ହାଇୱା ଓ ଜେସିବି ଜବତ, ୭ ଗିରଫ
ଯୋଡ଼ା,: କେନ୍ଦୁଝର ଜିଲ୍ଲାରେ ବେଆଇନ ଲୁହାପଥର ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ଖଣି ବିଭାଗର ଟାସ୍କଫୋର୍ସ ଟିମ୍ ଚଢ଼ାଉ ଜୋରଦାର କରିଛି। ବାମେବାରୀ ଥାନା ଅଧୀନ ନାୟାଗଡ଼ ଡମ୍ପୟାର୍ଡ ଓ ରେଳ ସାଇଡିଂ ନିକଟରେ ଅତର୍କିତ ଚଢ଼ାଉ କରି ପ୍ରାୟ ୬୦ ମେଟ୍ରିକ୍ ଟନ୍ ଲୁହାପଥର ଜବତ କରାଯାଇଛି। ଏଥିସହ ୨ଟି ଲୁହାପଥର ବୋଝେଇ ହାଇୱା, ଗୋଟିଏ ଜେସିବି ମେସିନ୍ ଜବତ ହୋଇଥିବା ବେଳେ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।ବିଭାଗୀୟ ସୂଚନା ଅନୁଯାୟୀ, ନାୟାଗଡ଼ ଡମ୍ପୟାର୍ଡ ଅଞ୍ଚଳରୁ ରେଳ ସାଇଡିଂ ନିକଟକୁ ବିନା ବୈଧ ଲାଇସେନ୍ସ ଓ ଅନୁମତିରେ ଲୁହାପଥର ଲୋଡ୍ କରି ପରିବହନ କରାଯାଉଥିବା ଖବର ପାଇ ଖଣି ବିଭାଗର ଟାସ୍କଫୋର୍ସ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ JH 12 N 6842 ଓ JH 02 AQ 3928 ନମ୍ବର ବିଶିଷ୍ଟ ଦୁଇଟି ଖଣିଜ ବୋଝେଇ ହାଇୱା ଜବତ କରାଯାଇଥିଲା।ସେହିପରି ଏକ ନମ୍ବର ବିହୀନ ଜେସିବି ମେସିନ୍ ମଧ୍ୟ ଜବତ ହୋଇଛି।

ଜେସିବିର କୌଣସି ପଞ୍ଜୀକରଣ ନମ୍ବର ନଥିବା ବେଳେ ଏହାର ଚେସିସ୍ ନମ୍ବର HAR3DXE5K03446929 ବୋଲି ଜଣାପଡ଼ିଛି।ଏହି ଘଟଣାରେ ଝାଡ଼ଖଣ୍ଡର ସରାଇକେଲା-ଖରସୁଆଁ ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ନୂଆମୁଣ୍ଡି ଅଞ୍ଚଳ ସମେତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳର *ରାଜ କୁମାର ମାହାତୋ (୧୯), ଅବିନାଶ ଗୌଡ଼ (୨୮), କମରାନ ରଜା (୨୯), ମହମ୍ମଦ ଆରିଫ୍ (୨୧), ବିକାଶ ଗୌଡ଼ (୨୪), ରତନ ସୋରେନ୍ (୨୪) ଓ ମହମ୍ମଦ ଅମରାନ୍ (୨୮)*ଙ୍କୁ ଗିରଫ କରାଯାଇଛି।ଏନେଇ ବାମେବାରୀ ଥାନାରେ କେସ୍ ନମ୍ବର ୨୨୪, ତାରିଖ ୨୦/୯/୨୦୨୬ରେ ମାମଲା ରୁଜୁ ହୋଇଛି। BNS ଧାରା ୩୦୩(୨), ୩(୫) ଏବଂ MMDR Act/OMPTS Rule ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।ଗିରଫ ଅଭିଯୁକ୍ତମାନଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି କି ନାହିଁ, ସେନେଇ ଯାଞ୍ଚ ଚାଲିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଖଣିଜ ସମ୍ପଦର ବେଆଇନ କାରବାର ଉପରେ ଖଣି ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
