September 25, 2026
Home » ଜ୍ଞାନେଶ କୁମାର ବହିଷ୍କାର ଦାବିରେ କଂଗ୍ରେସର ବିଶାଳ ରାଲି; ଭକ୍ତ ଗିରଫ

ଜ୍ଞାନେଶ କୁମାର ବହିଷ୍କାର ଦାବିରେ କଂଗ୍ରେସର ବିଶାଳ ରାଲି; ଭକ୍ତ ଗିରଫ

0
WhatsApp Image 2026-09-25 at 5.06.17 PM

 

 

* ଆଜି ନୁହେଁ, ତିନି ବର୍ଷ ହେଲା ରାହୁଲ ଗାନ୍ଧି କହିଆସୁଛନ୍ତି ‘ଭୋଟ୍ ଚୋରି’ ହେଉଛି। ତାଙ୍କର ଅଭିଯୋଗ ସତ ପ୍ରମାଣିତ ହୋଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଶୁକ୍ରବାର ମଧ୍ୟାହ୍ନରେ ଏଡିଏମ କାର୍ଯ୍ୟାଳୟଠାରୁ ଏକ ବିଶାଳ ରାଲିର ନେତୃତ୍ୱ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି, ଅଗଷ୍ଟ ୭, ୨୦୨୫ରେ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି ତଥ୍ୟପ୍ରମାଣ ସହ କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନର ନକଲି ଭୋଟରଙ୍କ ତାଲିକା ଉପସ୍ଥାପନ କରିଥିଲେ। ଦେଶର ନିର୍ବାଚନ ପ୍ରକ୍ରିୟାକୁ ‘ଚୋରି’ କରିବାକୁ ମୋଦୀ ସରକାର ନିର୍ବାଚନ ଆୟୋଗକୁ ଅସ୍ତ୍ରଭାବେ ବ୍ୟବହାର କରିଆସୁଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସୀ ସାଜି ଦେଶବ୍ୟବାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର) କରାଇ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା ପ୍ରମାଣିତ ହୋଇଛି। ୨୩ ସେପ୍ଟେମ୍ବର ‘ଇଣ୍ଡିଆନ ଏକ୍ସପ୍ରେସ’ କାଗଜରେ ରିତିକା ଚାେପ୍ରାଙ୍କ ଆଲେଖ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିର୍ବାଚନ ଆୟୋଗ ମୋଦୀ ସରକାରର ହାତବାରିସି ସାଜିଥିବା ସ୍ପଷ୍ଟ ହୋଇଛି।


ଶ୍ରୀ ଦାସ ଆହୁରି କହିଛନ୍ତି, ଗତ ୧୦ ମାସ ମଧ୍ୟରେ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସାନ୍ଧୁ ଓ ବିବେକ ଯୋଶୀ ୧୪ ଥର ଆୟୋଗର ବିଭିନ୍ନ ନିଷ୍ପତ୍ତିରେ ଆପତ୍ତି ଉଠାଇଥିଲେ ମଧ୍ୟ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସେମାନଙ୍କୁ ଆଡ଼େଇଯାଇ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇଚାଲିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ କମିଶନଙ୍କ ଦୁଇଜଣ ସଦସ୍ୟ ଏହାର ମୁଖ୍ୟଙ୍କ ବିରୋଧରେ ଏପରି ସଂଗୀନ ଅଭିଯୋଗ ଆଣିବା ପୂରା ବ୍ୟବସ୍ଥା କଳୁଷିତ ହୋଇଥିବା ପ୍ରମାଣ କରୁଛି। ଏଭଳି ବି ଦିନ ଅଛି, ଦିନକ ମଧ୍ୟରେ ଚାରିଚାରି ଥର ସାନ୍ଧୁ ଓ ଯୋଶୀ ଆାୟୋଗର କେତୋଟି କଥାକୁ ନେଇ ଆପତ୍ତି ଉଠାଇଛନ୍ତି। ତାକୁ କିନ୍ତୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଣଦେଖା କରି ଏକତରଫା ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏମିତି ବି ହୋଇଛି, ଆୟୋଗର କିଛି ଗୁରୁତ୍ବପୂର୍ଣ୍ଣ ମଡ୍ୟୁଲ, ବିବରଣୀ, ନିଷ୍ପତ୍ତି ଆଦି ସେହି ଦୁଇଜଣ ଆୟୁକ୍ତ ସକାଳୁ ଗଣମାଧ୍ୟମରୁ ପଢ଼ିବାକୁ ପାଇଛନ୍ତି। ଉଭୟଙ୍କୁ ସେସବୁରୁ ପୂରା ଅନ୍ଧକାରରେ ରଖାଯାଇଥିବା ସ୍ପଷ୍ଟ ହୋଇଛି। ନୂତନ ଭୋଟରଙ୍କୁ ସୂଚୀରେ ସାମିଲ କରିବାକୁ ଉଦ୍ଦିଷ୍ଟ ଫର୍ମ-୬କୁ ବେଆଇନ ଭାବେ ବଦଳେଇଦିଆଯାଇଛି, ଯଦିଓ ଏହି କ୍ଷମତା ନିର୍ବାଚନ ଆୟୋଗର ନାହିଁ। ବିବେକ ଯୋଶୀ ଏହା ନ କରିବାକୁ ଆୟୋଗକୁ କହିଥିଲେ ମଧ୍ୟ ସିଇସି କର୍ଣ୍ଣପାତ କରିନାହାନ୍ତି। ଆୟୋଗର ଅନେକ ବୈଠକର କାର୍ଯ୍ୟସୂଚୀ (ଏଜେଣ୍ଡା) ପୂର୍ବରୁ ପ୍ରକାଶ କରାଯାଇନାହିଁ କି ବୈଠକ ପରେ ବିବରଣୀ ପ୍ରକାଶ କରାଯାଇନାହିଁ।

 

ଶ୍ରୀ ଦାସ ସ୍ମରଣ କରାଇ ଦେଇଥିଲେ, ତିନିଜଣ ପୂର୍ବତନ ନିର୍ବାଚନ କମିଶନର — ଏସ.ୱାଇ. କୁରେସି, ଅଶୋକ ଲଭାସା ଏବଂ ଓ.ପି. ରାୱତ — ପୃଥକ ପୃଥକ ଟିଭି କାର୍ଯ୍ୟକ୍ରମରେ ଏହି ମୂଳ ଅଭିଯୋଗକୁ ସ୍ୱାଧୀନ ଭାବେ ସମର୍ଥନ କରିଛନ୍ତି; ଯେଉଁଥିରେ ରାୱତ ଫର୍ମ-୬ (Form-6) ର ପରିବର୍ତ୍ତନକୁ “ସମ୍ପୂର୍ଣ୍ଣ ବେଆଇନ” ବୋଲି କହିବା ସହ ଏକାକୀ ନିଷ୍ପତ୍ତି ନେବା ପାଇଁ ମୁଖ୍ୟ ନିର୍ବାଚନ କମିଶନର (CEC) ଙ୍କର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି। କ୍ୟାବିନେଟ୍ ସଚିବଙ୍କୁ ଲେଖାଯାଇଥିବା ଦୁଇ କମିଶନରଙ୍କ ଚିଠିରେ ଅଭିଯୋଗ କରାଯାଇଛି ଯେ ସିଇସି ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ ଏବଂ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ କୁ ଉଲ୍ଲଂଘନ କରୁଛନ୍ତି — ଯାହା ପ୍ରଶ୍ନ ଉଠାଉଛି ଯେ କାହିଁକି ଦୁଇଜଣ କାର୍ଯ୍ୟରତ କମିଶନରଙ୍କୁ ନିଜ କଥା ଶୁଣାଇବା ପାଇଁ କମିଶନ ବାହାରେ ଏହାକୁ ବଢ଼ାଇବାକୁ ପଡ଼ିଲା, ଏବଂ ପ୍ରଥମେ ସିଇସିଙ୍କୁ ଆଇନ ବିରୋଧରେ କାର୍ଯ୍ୟ କରିବା ପାଇଁ କିଏ ରାଜନୈତିକ ସୁରକ୍ଷା ପ୍ରଦାନ କଲା? ମୋଦୀ ସରକାର ଏହି ଉତ୍ତରଦାୟିତ୍ୱର ପ୍ରଶ୍ନରୁ ନିଜକୁ ଅଲଗା କରିପାରିବେ ନାହିଁ। କାହିଁକି ମୋଦୀ-ଶାହ ଏଭଳି ଏକ ଆଇନ ପ୍ରଣୟନ କଲେ ଯାହା ସିଇସି ଏବଂ ନିର୍ବାଚନ କମିଶନରମାନଙ୍କୁ ସେମାନଙ୍କର ସରକାରୀ କାର୍ଯ୍ୟ ପାଇଁ ଦେୱାନୀ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନରୁ ଅସାଧାରଣ ସୁରକ୍ଷା ପ୍ରଦାନ କରେ? ଭୋଟର ତାଲିକାକୁ ହେରଫେର କରିଥିବା ଅଧିକାରୀ ଦେଶଦ୍ରୋହୀ ବୋଲି ଶ୍ରୀ ରାହୁଲ ଗାନ୍ଧି କହିଛନ୍ତି। ତେଣୁ ଗୋଟିଏ ମୁହୂର୍ତ୍ତ ବି ନିଜ ପଦରେ ରହିବାର ନୈତିକ ଅଧିକାର ଜ୍ଞାନେଶ କୁମାରଙ୍କର ନାହିଁ। ସେ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ ମହାଭିଯୋଗ ପ୍ରକ୍ରିୟାରେ ବହିଷ୍କାର କରାଯିବାକୁ ଶ୍ରୀ ଗାନ୍ଧି ଦାବି କରିଛନ୍ତି। ଏଭଳି କଳଙ୍କିତ କାର୍ଯ୍ୟ କରି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଥିବାରୁ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯାଉ ବୋଲି ଶ୍ରୀମତୀ ପ୍ରିୟଙ୍କା ଗାନ୍ଧି ଦାବି କରିଛନ୍ତି।

ଶ୍ରୀ ଦାସ କହଛନ୍ତି, ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ନିର୍ବାଚନ ଆୟୋଗ ପକ୍ଷରୁ ସଫେଇ ଦିଆଯାଇଛି। ଆୟୁକ୍ତମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିଲେ ମଧ୍ୟ ସର୍ବସମ୍ମତ ମତରେ ନିଷ୍ପତ୍ତିଗୁଡ଼ିକ ନିଆଯାଇଛି ବୋଲି ଆୟୋଗ ସଫେଇ ଦେଇଛନ୍ତି। ବିଜେପିର ମଧ୍ୟ ଏହି ସମାନ ଯୁକ୍ତି। ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତପାର୍ଥକ୍ୟ ହେଲା, ଯଦି କ୍ୟାବିନେଟ ସେକ୍ରେଟାରିଙ୍କ ପାଖରେ ଦୁଇ ଆୟୁକ୍ତଙ୍କୁ ଫେରାଦ୍ ହେବାକୁ ପଡ଼ିଲା, ସଂପୃକ୍ତ ନିଷ୍ପତ୍ତି ସର୍ବସମ୍ମତ ହେଲା କିପରି?

ଅନ୍ୟପକ୍ଷରେ ନିର୍ବାଚନ ଆୟୋଗର ଆୟୁକ୍ତମାନଙ୍କ ନିଯୁକ୍ତି ପ୍ରକ୍ରିୟାର ହେରଫେର ମଧ୍ୟ ଧରାପଡ଼ିଥିବା ସେ ପ୍ରକାଶ କରିଛନ୍ତି।
୨୦୨୩ରେ ସରକାର ଉକ୍ତ ନିଯୁକ୍ତି କମିଟିରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରଖିଲେ। ରାହୁଲ ହିଁ ଏହାକୁ ମୂଳରୁ ବିରୋଧ କରିଆସିଥିଲେ। ନିର୍ବାଚନ ଆୟୋଗ ଗଠନ ପ୍ରକ୍ରିୟାରେ ବଦଳ ମଧ୍ୟ ଉଦ୍ଦେଶ୍ୟପ୍ରଣୋଦିତ ଥିଲା ବୋଲି ମାମଲାକୁ ସମ୍ବିଧାନ ବେଞ୍ଚକୁ ପଠାଯିବାରୁ ସ୍ପଷ୍ଟ ହୋଇଛି। ରାହୁଲଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଛି। ଏଥିରୁ କେନ୍ଦ୍ର ସରକାରଙ୍କ ଅଭିପ୍ରାୟ ଓ ଉଦ୍ଦେଶ୍ୟ ଯେ ମନ୍ଦ ଥିଲା ତାହା ପ୍ରମାଣିତ ହୋଇଛି।

ଏହି ବିଶାଳ କାର୍ଯକ୍ରମ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। କାର୍ଯକ୍ରମକୁ ଭଣ୍ଡୁର କରିବାକୁ ବହୁ ଦୂରରୁ ବ୍ୟାରିକେଡ଼ କରାଯାଇଥିଲା। ସେଠାରେ ଶ୍ରୀ ଦାସ ଓ କଂଗ୍ରେସର ଅନ୍ୟ ନେତୃବୃନ୍ଦଙ୍କୁ ଗିରଫ କରାଯାଇଥିଲା।
ଏହାପରେ ଶ୍ରୀ ଦାସଙ୍କ ନେତୃତ୍ୱରେ ଲୋଅର ପିଏମଜିରେ ପିସିସି ପକ୍ଷରୁ ଗଣଧାରଣା ଆରମ୍ଭ ହୋଇଥିଲା। ଜ୍ଞାନେଶ ବିଦା ନ ହେବାଯାଏ ଏହି ସତ୍ୟାଗ୍ରହ ଚାଲିବ ବୋଲି ସୂଚନା ଦିଆଯାଇଛି।
ପୋଲିସ ପକ୍ଷରୁ ଓପିସିସି ସଭାପତି ଶ୍ରୀ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସୁରେଶ ରାଉତରାୟ, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଶୁଭେନ୍ଦୁ ମହାନ୍ତି, ରଞ୍ଜିତ ପାତ୍ର, ବିଭୁତି ଭୂଷଣ ମହାପାତ୍ର, କିଶୋର ଜେନା, ରାଜୀବ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ଦୀକ୍ଷିତ, ବିଶ୍ୱଜିତ ଦାସ, ପ୍ରଦୀପ୍ତ ଦାସ, ଶିଳ୍ପୀ ହରିଚନ୍ଦନ, ଶ୍ରୀୟା ପଣ୍ଡା ବନମାଳୀ ଦାସ ପ୍ରମୁଖଙ୍କୁ ପୋଲିସ ଗିରଫ କରିଥିଲା l
ଘେରାଓ କାର୍ଯ୍ୟକ୍ରମରେ ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସହ ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ନକୁଳ ନାଏକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଧାୟକ ତାରାପ୍ରସାଦ ବାହିନୀପତି, ସିଏସ ରାଜନ ଏକ୍କା, ଅଶୋକ ଦାସ, ଓପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, କୋଷାଧକ୍ଷ ସିଦ୍ଧାର୍ଥ ଦାସ, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି, ଜୟଶ୍ରୀ ପାତ୍ର, ସୂର୍ଯ୍ୟକାନ୍ତ ଜେନା, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଜୟସ୍ମିତା ମହାନ୍ତି, ଦେଓ ପ୍ରସାଦ, ମନୋଜ ରାଉତ, ଅସିତ ପଟ୍ଟନାୟକ, ହରିଶଙ୍କର ରାଉତ, ଦେବପ୍ରସାଦ ନାୟକ, ନିରଞ୍ଜନ ନାୟକ, ରସିକ ପଟ୍ଟନାୟକ, ମୁକେଶ ପ୍ରଧାନ, ତରୁଣ ମିଶ୍ର, ଦେବକାନ୍ତ ଶର୍ମା, ରତିକାନ୍ତ କାନୁନଗୋ, ପ୍ରଦୀପ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାସ, ସତ୍ୟଜିତ ପଟ୍ଟନାୟକ, ସରୋଜ ଲେଙ୍କା, ରଜନୀ ମହାନ୍ତି, ମଣ୍ଟୁ ମଲ୍ଲିକ, ଭାଗବତ ଜେନା, ପ୍ରଶାନ୍ତ ଚମ୍ପତ୍ତି ତଥା ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *