ଦୁବାଇ ଜୁହାର ପରିବାର ର ନୂଆଁଖାଇ ଭେଟଘାଟ୍
ବରଗଡ଼ .ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଦୁବାଇ ନୂଆଁଖାଇ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ୍ ଉତ୍ସାହ ଓ ଆନନ୍ଦର ସହ ଆୟୋଜିତ ହୋଇଯାଇଛି। ଦୁବାଇ ମାଟିରେ ବସବାସ କରୁଥିବା ପ୍ରବାସୀ ସମ୍ବଲପୁରୀଆଙ୍କୁ ଏକତ୍ରିତ କରି ନିଜ ମାଟିର ଭାଷା, ସଂସ୍କୃତି, ପରମ୍ପରା ଓ ଭାଇଚାରାର ଭାବଧାରାକୁ ଆଗକୁ ନେବା ଉଦ୍ଦେଶ୍ୟରେ ଏହି ଭେଟଘାଟ୍ର ଆୟୋଜନ କରାଯାଇଥିଲା। ବିଦେଶ ମାଟିରେ ରହିଲେ ମଧ୍ୟ ନିଜ ମାଟି ଓ ପରମ୍ପରା ସହ ଯୋଡ଼ି ରହିବାର ଭାବନା ଏହି ଆୟୋଜନରେ ପ୍ରତିଫଳିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ରଜଂନ ଦାଶ ଓ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହା,ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବାଙ୍ଗାଲୋର ଜୁହାର ପରିବାର ସଂପାଦକ ଶୁଭନ ଦାଶ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିବାବେଲେ ଫରେଣ୍ଟ୍ ରୁ ବି ବିଦେଶୀ ଅତିଥି ମାନଙ୍କ ଯୋଗଦାନ ଦେଖିବାକୁ ମିଲିଥିଲା | ଏହି ଅବସରରେ ଅତିଥିମାନେ ନୂଆଁଖାଇର ମହତ୍ତ୍ୱ, ସମ୍ବଲପୁରୀ ଭାଷା ଓ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ବିଦେଶରେ ରହୁଥିବା ନୂଆ ପିଢ଼ିକୁ ନିଜ ମାଟିର ପରମ୍ପରା, ଲୋକକଳା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଆରମ୍ଭରେ ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ପରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ସହ ନୂଆଁଖାଇ ପରମ୍ପରା ଅନୁଯାୟୀ ଭେଟଘାଟ୍ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଉପସ୍ଥିତ ପ୍ରବାସୀ ସମ୍ବଲପୁରୀଆମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ନୂଆଁଖାଇର ଶୁଭେଚ୍ଛା ବିନିମୟ କରିଥିଲେ।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟିକା ସ୍ବାଗତିକା ତ୍ରିପାଠୀ ଓ ପ୍ରଥମ କୁମ୍ଭାର ସମ୍ବଲପୁରୀ ଲୋକ ଗୀତରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ପଦ୍ମପୁର ୧ଟଙ୍କିଆ ବିଦ୍ୟାୟଳର ପ୍ରତିଷ୍ଟାତା ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀ ମାନେ ,,ନୁନୀ ନୁ ବୁହାସେନ ,, ପରିବେଷଣ କରିଥିଲେ | ପାରମ୍ପରିକ କଳା ପରିବେଷଣ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକଜୀବନ ଓ ସଂସ୍କୃତିର ଝଲକ ଦୁବାଇ ମାଟିରେ ଦେଖିବାକୁ ମିଳିଥିଲା।ଆୟୋଜନକୁ ସଫଳ କରିବାରେ ନୁଆଁଖାଇ ପରିବାର ଦୁବାଇ ର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ସକ୍ରିୟ ଭୂମିକା ରହିଥିଲା। ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସାଂସ୍କୃତିକ ଆୟୋଜନ ଜାରି ରଖିବା ପାଇଁ ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।
ଦୁବାଇରେ ରହି ମଧ୍ୟ ନିଜ ମାଟିର ପର୍ବପର୍ବାଣୀ, ଭାଷା ଓ ସଂସ୍କୃତିକୁ ଭୁଲି ନ ଯାଇ ତାହାକୁ ନୂଆ ପିଢ଼ି ମଧ୍ୟରେ ପହଞ୍ଚାଇବାରେ ଏହି ଭେଟଘାଟ୍ ଏକ ସୁନ୍ଦର ପ୍ରୟାସ ହୋଇଥିଲା। ନୂଆଁଖାଇର ଭାଇଚାରା, ଆତ୍ମୀୟତା ଓ ସାଂସ୍କୃତିକ ଚେତନାକୁ ଦୁବାଇ ମାଟିରେ ଜୀବନ୍ତ ରଖିବା ସହ ପ୍ରବାସୀ ସମ୍ବଲପୁରୀଆଙ୍କୁ ଏକତ୍ରିତ କରିବାରେ ଏହି ଭେଟଘାଟ୍ ସଫଳ ହୋଇଥିଲା।
byomakesh kar nka report
