September 29, 2026
Home » ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍

ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍

0
WhatsApp Image 2026-09-29 at 2.18.06 PM

୨୦୦ ରୁ ଅଧିକଙ୍କ ଅଂଶଗ୍ରହଣ

ବରଗଡ଼:ଆଗାମୀ ୧୩ ଡିସେମ୍ବର ୨୦୨୬ ଦିନ ଓଡ଼ିଶାର ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା “ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬” ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବରଗଡ଼ ସହରରେ ଏକ ବିଶାଳ “ପ୍ରୋମୋ ରନ୍” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସର୍ବସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ଭାବନା ଜାଗ୍ରତ କରିବା, ଜନ ଭାଗିଦାରୀ ବୃଦ୍ଧି କରିବା ଏବଂ ମୁଖ୍ୟ ମାରାଥନ୍ ପାଇଁ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା।

ଆଜି ସକାଳ ଠିକ୍ ୦୬:୩୦ ଟାରେ ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରୁ ଏହି ୫ କିଲୋମିଟର ଦୀର୍ଘ ପ୍ରୋମୋ ରନ୍‌ର ଶୁଭାରମ୍ଭ ହୋଇଥିଲା। ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ (ADM) ଜେନେରାଲ ଶ୍ରୀମତୀ ମଧୁଛନ୍ଦା ସାହୁ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଂଶଗ୍ରହଣକାରୀମାନେ ନୀଳ ରଙ୍ଗର ଆକର୍ଷଣୀୟ “ପୁରୀ କୋଷ୍ଟାଲ ମାରାଥନ୍” ଟି-ସାର୍ଟ ପିନ୍ଧି ଷ୍ଟାଡିୟମ୍‌ରୁ ବାହାରି ସହର ପରିକ୍ରମା କରିଥିଲେ। ଦୌଡ଼ଟି ସହରର ଗାନ୍ଧୀ ଛକଠାରେ “ୟୁ-ଟର୍ଣ୍ଣ” ନେଇ ପୁନର୍ବାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌କୁ ଫେରିଆସି ଶେଷ ହୋଇଥିଲା।

କାର୍ଯ୍ୟକ୍ରମରେ ବରଗଡ଼ ସହର ଏବଂ ଆଖପାଖ ଅଞ୍ଚଳରୁ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ, ଖେଳାଳି ଏବଂ ସାଧାରଣ ଜନତା ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରାଇଥିଲେ। ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ସହରର କ୍ରୀଡ଼ା ପ୍ରେମ ଏବଂ ପୁରୀ ମାରାଥନ୍ ପ୍ରତି ଥିବା ଆଗ୍ରହକୁ ସୂଚାଉଛି।

 

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *