ପାଣି ପାଇଁ ହାହାକାର….
ଧର୍ମଗଡ଼ ରେ ଦୁଇଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ।
ଧର୍ମଗଡ଼ ସହରରେ ଦୁଇ ଦିନ ଧରି ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ଫଳରେ ଧର୍ମଗଡ଼ ଏନ୍ ଏ ସି ର ୧୪ ଗୋଟି ୱାର୍ଡ ରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଶେଷ କରି ୬ ,୩ ଓ ୨ନମ୍ବର ୱାର୍ଡ ରେ ଏନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।୨ ନମ୍ବର ୱାର୍ଡ ପଥୁରିଆ ଅଞ୍ଚଳ ହୋଇ ଥିବାରୁ ସେଠାରେ ନଳକୂପ ଟିଏ ମଧ୍ୟ ନାହିଁ। ନୀତି ଦିନିଆ କାର୍ଯ୍ୟ ପାଇଁ ଉକ୍ତ ୱାର୍ଡ଼ ଅଞ୍ଚଳରେ ଥିବା ପୋଖରୀ ଗୁଡ଼ିକ ଅବହେଳିତ ଅବସ୍ଥାରେ ବ୍ୟବହାର ଯୋଗ୍ୟ ନ ହୋଇ ପଡ଼ିରହିଛି।ତିନିଟି ୱାର୍ଡ ର ପ୍ରାୟ ତିନି ହଜାର ବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରିଥାନ୍ତି। ଏପରି ସ୍ଥଳେ ଏହି ୱାର୍ଡ଼ ଅଞ୍ଚଳରେ ଥିବା ଲୋକେ ପିଇବା ପାଣି ପାଇଁ କେଉଁ ଅବସ୍ଥାରେ ଥିବେ ତାହା ସହଜେ ଅନୁମେୟ!ଧର୍ମଗଡ଼ ସହର ବାସିନ୍ଦା ଙ୍କ ପିଇବା ପାଣି ର ସମସ୍ୟାକୁ ନେଇ ଗତ ୨୦୧୮ ମସିହାରେ ବିଜୁ ଏକ୍ସ ପ୍ରେସ ରାସ୍ତା କଡ଼ରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥଲା। ଏନେଇ ସେଠାରେ ୪୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶୋଧନାଗାର ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହୋଇଛି।ଧର୍ମଗଡ଼ ସହର ଉପକଣ୍ଠ ରେ ଥିବା ତେଲ ନଦୀରୁ ପମ୍ପ ଯୋଗେ ପାଣିକୁ ବିଶୋଧନାଗାର ଠାରେ ବିଶୋଧନ କରିବା ପରେ ସହର କୁ ନୀରବଛିନ୍ନ ଭାବେ ଜଳ ଯୋଗାଣ ହେଉଥିଲା। ହେଲେ ଏବେ ବିଭାଗୀୟ କର୍ତ୍ତୁପକ୍ଷ ଙ୍କ ଵ୍ୟଵସ୍ଥାଗତ ତ୍ରୁଟି ଯୋଗୁଁ ସମୟ ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ ହୋଇ ପାରୁ ନାହିଁ। ଏଠାରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଧର୍ମଗଡ଼ ହେଡ କ୍ୱାଟର ରେ ନରହି ଭବାନୀପାଟଣାରେ ରହୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।ଅପର ପକ୍ଷରେ ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତେଲ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଛିଲିପା ସ୍ଥିତ ଇନ୍ ଟେକ୍ ୱେଲ ରେ ବାଲି ଜମି ଯିବାରୁ ବାଲି ନିଷ୍କାସନ କରା ଯାଉଛି ଆଉ ସେ ନେଇ ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ହେଲେ ଇନ ଟେକ୍ ୱେଲ ରୁ ବାଲି ନିଷ୍କାସନ କରା ଯିବା ଓ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ସହର ବାସୀନ୍ଦା ଙ୍କୁ ଡାକ ବାଜି ଯନ୍ତ୍ର କିମ୍ୱା ସୋସିଆଲ ମିଡିଆରେ କୌଣସି ସୁଚନା ପ୍ରଦାନ୍ କରାଯାଇ ନାହିଁ। ଯାହା ଫଳରେ ହଠାତ୍ ଦୁଇ ଦିନ ଧରି ପାନୀୟ ଜଳ ସମ୍ପୂର୍ଣ୍ଣ ବନ୍ଦ ହେବା ରୁ ସହର ବାସୀନ୍ଦା ଜଳ ଯନ୍ତ୍ରଣା ଭୋଗୁଛନ୍ତି।ଏପରିକି ପାନୀୟ ଜଳ ଯୋଗାଣ ବନ୍ଦ ନେଇ ଧର୍ମଗଡ଼ ବିଧାୟକଙ୍କ ଠାରେ ମଧ୍ୟ କୌଣସି ସୁଚନା ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ଏ ନେଇ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସେସବୁର ଉପଯୁକ୍ତ ରୂପାୟନ ହେଉନଥିବା ପରିଲକ୍ଷିତ ହୋଇଛି। ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନର ମନମାନୀ ଯୋଗୁ ଏହା ବାସ୍ତବତାଠାରୁ ଦୂରରେ ରହିଥିବା ଦେଖିବାକୁ ମିଳିଛି। ଏହାର ନିଛକ ଉଦାହରଣ ହେଉଛି ଧର୍ମଗଡ ସହର।ପାନୀୟ ଜଳ ଯୋଗାଣ ସ୍ୱାଭାବିକ ନ ହେଲେ ସହର ବାସୀନ୍ଦା ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ ଓହ୍ଲାଇବା ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ।ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଦାବୀ ହେଉଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
