October 12, 2026
Home » ମାଳିପୁଟ ମେଲୋଡିସ୍‌ରେ ଝଲସିଲା ମାଟିର ବାସନା

ମାଳିପୁଟ ମେଲୋଡିସ୍‌ରେ ଝଲସିଲା ମାଟିର ବାସନା

0
WhatsApp Image 2026-10-11 at 1.51.29 PM

(ବୁଡ଼ିଯାଉଥିବା ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ପୁନରୁଦ୍ଧାର ପାଇଁ ଚଳଚ୍ଚିତ୍ରର ପ୍ରୟାସ)

ନବରଙ୍ଗପୁର: ଆଦିବାସୀ ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ସାଧାରଣ ଜନଜୀବନର ନିଚ୍ଛକ ଚିତ୍ରକୁ ନେଇ ନିର୍ମିତ ଭିନ୍ନଧରଣର ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିସ୍‌’ ସ୍ଥାନୀୟ ଡିଏସ୍‌ ୩ ସିନେମା ହଲ୍‌ରେ ଦ୍ୱିତୀୟ ଥର ପାଇଁ ପ୍ରଦର୍ଶିତ ହୋଇଛି। ଜିଲ୍ଲାରେ ସମ୍ପ୍ରତି ଘଟିଥିବା ବନ୍ୟାକୁ ଦୃଷ୍ଟିରେ ରଖି ବିପନ୍ନଙ୍କ ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପୂର୍ବରୁ ଚଳଚ୍ଚିତ୍ରର ପ୍ରଦର୍ଶନ ବନ୍ଦ ରଖାଯାଇଥିଲା। ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନଙ୍କ ସହ ବିଧାୟକ ଶ୍ରୀ ମାଝୀ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଦେଖିଥିଲେ। ଏହାପରେ ନିଜ ବକ୍ତବ୍ୟରେ ଶ୍ରୀ ମାଝୀ କହିଥିଲେ ଯେ, ଆମ ଅଞ୍ଚଳରେ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ପାରମ୍ପରିକ ବାଦ୍ୟଯନ୍ତ୍ର, ବାଉଁଶ କାରିଗରୀ, ବଂଶୀ ଓ ବିଶେଷକରି ଗୋବର କଣ୍ଢେଇ ଭଳି ଲୋକକଳାର ପୁନରୁଦ୍ଧାର ଓ ସଂରକ୍ଷଣର ବାର୍ତ୍ତା ଏହି ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବେ ଉପସ୍ଥାପିତ ହୋଇଛି। ଏଥିସହ ସେ ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ଉଚ୍ଚକୋଟୀର ଅଭିନୟ ଓ ନିର୍ଦ୍ଦେଶନାର ଭୂୟସୀ ପ୍ରଶଂସା କରିଥିଲେ।

 

ଅତିଥିମାନେ କୋରାପୁଟ ଅଞ୍ଚଳର ସମସ୍ତ କଳାକାର ଓ କଳାପ୍ରେମୀଙ୍କୁ ନିଜ ପରିବାର ସହ ସ୍ଥାନୀୟ ସିନେମା ହଲ୍‌କୁ ଆସି ଏହି ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିବା ସହ ଏହାର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅଭିନେତା ଜି. ରବି ପ୍ରସାଦ, ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ, ଯୁବ ଗାୟକ ଶିବ ପ୍ରସାଦ ମହାପାତ୍ର ଓ କୁନି ଅଭିନେତ୍ରୀ ରୁହାନି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଚଳଚ୍ଚିତ୍ର ଦେଖିବା ପାଇଁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଭିଡ଼ ଦେଖିବାକୁ ମିଳିଥିଲା। ‘ମାଳିପୁଟ ମେଲୋଡିସ୍‌’ରେ ବରିଷ୍ଠ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ, ଦିବ୍ୟ ବେହେରା, ଆଶୁତୋଷ ପାଳ ଓ ଧନ ହରିଜନ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟିର ପ୍ରଯୋଜନା କୌଶିକ ଦାସ କରିଥିବା ବେଳେ ସହପ୍ରଯୋଜନା କରିଛନ୍ତି ରାମପ୍ରଭା ପଟ୍ଟନାୟକ ଓ କୌସ୍ତବ ଦାସ। ତସ ନନ୍ଦ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବିଶାଲ ପଟ୍ଟନାୟକ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରର ପ୍ରଦର୍ଶନ ପୂର୍ବରୁ ନବରଙ୍ଗପୁର ସଦର ମହକୁମାରେ ଏହାର କଳାକାର, ନିର୍ଦ୍ଦେଶକ, ପ୍ରଚ୍ଛଦପଟର ସଦସ୍ୟ ଓ ଜିଲ୍ଲାର ବହୁ କଳାକାର ଏକ ରାଲିରେ ଯୋଗଦେଇ ସହର ପରିକ୍ରମା କରିଥିଲେ। ଆଦିବାସୀ ଜୀବନଧାରା, ଲୋକକଳା ଓ ହଜିଯାଉଥିବା ପରମ୍ପରାକୁ ପରଦାରେ ଜୀବନ୍ତ କରିବା ସହ ସେଗୁଡ଼ିକର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରୁଥିବା ‘ମାଳିପୁଟ ମେଲୋଡିସ୍‌’ ଆଞ୍ଚଳିକ ସଂସ୍କୃତିର ମହକକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ ଭାବେ ପ୍ରଶଂସା ସାଉଁଟିଛି।

Leave a Reply

Your email address will not be published. Required fields are marked *