October 27, 2026
Home » ବଦଳିବେ କଂସ ମହାରାଜ, ଅଭିନୟରୁ ଓହରିଲେ ସୁଶିଲ ମେହେର

ବଦଳିବେ କଂସ ମହାରାଜ, ଅଭିନୟରୁ ଓହରିଲେ ସୁଶିଲ ମେହେର

0
WhatsApp Image 2026-10-26 at 10.21.55 PM (1)

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଆସନ୍ତା ୨୦୨୭ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଜାନୁଆରୀ ୨୨ ତାରିଖରେ ଉଦ୍‌ଯାପିତ ହେବ। ତେବେ ଆଗାମୀ ଧନୁଯାତ୍ରାରେ କଂସ ମହାରାଜଙ୍କ ଭୂମିକାରେ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ। ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ଏଥର ଏହି ଭୂମିକାରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।ସୋମବାର ସେ ଧନୁଯାତ୍ରା ମହୋତ୍ସବ ସମିତିକୁ ନିଜର ନିଷ୍ପତ୍ତି ଜଣାଇବା ପରେ ଆଗାମୀ ଧନୁଯାତ୍ରାରେ କଂସ ଭୂମିକାରେ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଧନୁଯାତ୍ରା ପୂର୍ବରୁ ଆୟୋଜିତ ଚୟନ ପ୍ରକ୍ରିୟାରେ ବିଚାରକମଣ୍ଡଳୀ ସୁଶିଲ ମେହେରଙ୍କୁ କଂସ ଭୂମିକା ପାଇଁ ମନୋନୀତ କରିଥିଲେ। ହେଲେ ଧନୁଯାତ୍ରା ସମୟରେ ତାଙ୍କ ଅଭିନୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ବର୍ଷର ଧନୁଯାତ୍ରାରେ ତାଙ୍କୁ କଂସ ଭୂମିକାରୁ ବାଦ୍ ଦେବାକୁ ମଧ୍ୟ ଦାବି ଉଠିଥିଲା।ଏପରିକି କିଛିଦିନ ତଳେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସଙ୍ଗ ଜୋରଦାର ଭାବେ ଉଠିଥିଲା। ଏଭଳି ପରିସ୍ଥିତିରେ ମାନସିକ ଚାପରେ ରହିଥିବାରୁ ସେ ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିବା ସୁଶିଲ ମେହେର କହିଛନ୍ତି।ଏବେ ଆଗାମୀ ଧନୁଯାତ୍ରାରେ କିଏ କଂସ ମହାରାଜଙ୍କ ଭୂମିକା ତୁଲାଇବେ, ତାହାକୁ ନେଇ କଳାପ୍ରେମୀ ଓ ଧନୁଯାତ୍ରାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ବ୍ୟୋମକେଶ କର , ସାମ୍ବାଦିକ

Leave a Reply

Your email address will not be published. Required fields are marked *