ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ
ଅର୍ଣ୍ଣବ ବାତ୍ୟାର ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସହର ରେ ହୋଇଥିବା ବାଦଲ ଫଟା ବର୍ଷା ସହରରେ ସୃଷ୍ଟି ହୋଇଛି ଗୁରୁତର ଜଳବନ୍ଦୀ ସମସ୍ୟା। ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା ଓ କ୍ଷୟକ୍ଷତିର ଆକଳନ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ଠାରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ସ୍ୱାଗତ ଜଣାଇଥିଲେ। ଏହାପରେ ଭଞ୍ଜବିହାରସ୍ଥିତ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ବ୍ରହ୍ମପୁର ସହରର ବର୍ତ୍ତମାନର ସ୍ଥିତି, ଜଳବନ୍ଦୀ ସମସ୍ୟା ଓ ବାତ୍ୟା ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବୈଠକରେ ବିଶେଷକରି ବ୍ରହ୍ମପୁର ସହରର ଦୀର୍ଘଦିନର ସମସ୍ୟା ଡ୍ରେନେଜ୍ ଓ ସ୍ୱରେଜ୍ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ସହରର ଜଳ ନିଷ୍କାସନ ବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର୍ (DPR) ସମ୍ପର୍କରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପ୍ରକଳ୍ପକୁ ଯଥାଶୀଘ୍ର ଅନୁମୋଦନ ସହ କାର୍ଯ୍ୟ ଆରମ୍ଭ କରାଗଲେ ବ୍ରହ୍ମପୁର ସହରରେ ବର୍ଷା ଦିନରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ମତ ରଖିଥିଲେ।ବିଶେଷକରି ସହରର ତଳିଆ ଅଞ୍ଚଳଗୁଡ଼ିକରେ ବର୍ଷା ଜଳ ଜମି ରହିବା, ଘର ଭିତରକୁ ପାଣି ପଶିବା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବା ଭଳି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏହି ପ୍ରକଳ୍ପର ଗୁରୁତ୍ୱ ରହିଛି। କେବଳ ତତ୍କାଳୀନ ରିଲିଫ୍ ଓ ସହାୟତା ନୁହେଁ, ଭବିଷ୍ୟତରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହରକୁ ଜଳବନ୍ଦୀ ସମସ୍ୟାରୁ ସୁରକ୍ଷିତ ରଖିବା ପାଇଁ ଦୀର୍ଘମିଆଦୀ ଯୋଜନା ଓ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା।ଅର୍ଣ୍ଣବ ବାତ୍ୟା ପରେ ବ୍ରହ୍ମପୁରରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ପରିସ୍ଥିତି ସହରର ଦୁର୍ବଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ପୁଣିଥରେ ସାମ୍ନାକୁ ଆଣିଛି। ଏଭଳି ସ୍ଥିତିରେ ଡ୍ରେନେଜ୍ ଓ ସ୍ୱରେଜ୍ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ବ୍ରହ୍ମପୁରବାସୀଙ୍କ ପାଇଁ ଏକ ପ୍ରମୁଖ ଆବଶ୍ୟକତା ହୋଇପଡ଼ିଛି। ବୈଠକରେ ଏହି ସମେତ ସହରର ଅନ୍ୟାନ୍ୟ ଆବଶ୍ୟକତା, ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ସୁଧାର ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା।ସହରବାସୀଙ୍କ ଦୀର୍ଘଦିନର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ବ୍ରହ୍ମପୁରର ଭବିଷ୍ୟତ ଭିତ୍ତିଭୂମି ବିକାଶ ଦିଗରେ ଏହି ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
