ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା -୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ନୟାଗଡ଼ ( ଇପିଏ ) ନୟାଗଡ଼ ଡିସେମ୍ବର ୨୪ ଠାରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ୫ ଦିନ ଵ୍ୟାପି ନୟାଗଡରେ ହେବାକୁ ଥିବା ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା- ୨୦୨୬ ର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରସ୍ଥ ସୃଜନ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ, ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ ଏବଂ ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ସାମ୍ବାଦିକ, ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ରଥ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଗତବର୍ଷର ମହୋତ୍ସବ ଆୟୋଜନ ସମ୍ପର୍କିତ ବିବରଣୀ ଓ କାର୍ଯ୍ୟଧାରା ଉପସ୍ଥାପନ କରିଥିଲେ । ବୈଠକରେ ଗତବର୍ଷର ଅଭିଜ୍ଞତା ଓ ସଫଳତାକୁ ଆଧାର କରି ଚଳିତବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ, ସୁସଂଗଠିତ ଓ ଲୋକାଭିମୁଖୀ କରିବା ନେଇ ଏକ ସୁସ୍ଥ ଓ ଫଳପ୍ରଦ ଆଲୋଚନା ହୋଇଥିଲା । ଏଥିରେ ସାମ୍ବାଦିକ, ବୁଦ୍ଧିଜୀବୀ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ନିଜ ନିଜର ମତାମତ, ପରାମର୍ଶ ଓ ପ୍ରସ୍ତାବ ରଖିଥିଲେ।
ନୟାଗଡ଼ ଜିଲ୍ଲାର ଗର୍ବ, ଗୌରବ, କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ମହୋତ୍ସବର ସୁପରିଚାଳନା, ଆଇନଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଜନସମାଗମ ପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲିଶ୍ରୀ ମେଳାର ଷ୍ଟଲ୍ ପରିଚାଳନା, କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ପୁସ୍ତକ ମେଳାର ଆୟୋଜନ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ଏହି ମହୋତ୍ସବକୁ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
