November 19, 2026
Home » ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାର ଗିରଫ

ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାର ଗିରଫ

0
WhatsApp Image 2026-11-19 at 3.06.52 PM

 

୧୨ ହଜାର ଟଙ୍କା ଲାଞ୍ଚ କାରବାରରେ ଡ୍ରାଇଭର ମଧ୍ୟ ଗିରଫ, ଦୁଇଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ…

ଧର୍ମଗଡ଼: ଜମିର କିସମ ପରିବର୍ତ୍ତନ କରିବା ସହ ସଂଶୋଧିତ ଜମି ପଟ୍ଟା (ଆର୍‌ଓଆର୍‌) ପ୍ରଦାନ ପାଇଁ ଲାଞ୍ଚ ଦାବି ଓ ଗ୍ରହଣ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଏବଂ ତାଙ୍କ ଡ୍ରାଇଭର ପଙ୍କଜ ସିପ୍‌କାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତହସିଲଦାର ଶ୍ରୀ ନାୟକ ୨୦୨୦ ବ୍ୟାଚ୍‌ର ଓଏଏସ୍‌ ଅଧିକାରୀ ଅଟନ୍ତି।ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଜଣେ ଆବେଦନକାରୀ ନିଜର କୃଷି ଜମିକୁ ଘରବାଡ଼ି କିସମକୁ ପରିବର୍ତ୍ତନ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ୨୨ ଅକ୍ଟୋବର ୨୦୨୬ରେ ଅନଲାଇନ୍‌ ମାଧ୍ୟମରେ ଗୋଲାମୁଣ୍ଡା ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ।

 

ଏହାପରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ୨ ନଭେମ୍ବରରେ ତଦନ୍ତ ରିପୋର୍ଟ ସହ ଜମିର ସ୍କେଚ୍‌ ମ୍ୟାପ୍‌ ତହସିଲଦାରଙ୍କ ନିକଟରେ ଦାଖଲ କରିଥିଲେ।ତେବେ ତଦନ୍ତ ରିପୋର୍ଟ ଦାଖଲ ହେବା ପରେ ମଧ୍ୟ ଆବେଦନର ଫାଇଲ୍‌ ଆଗକୁ ବଢ଼ାଇବା ପରିବର୍ତ୍ତେ ତହସିଲଦାର ଚନ୍ଦନ କୁମାର ନାୟକ ସଂଶୋଧିତ ରେକର୍ଡ ଅଫ୍‌ ରାଇଟ୍ସ (ଆର୍‌ଓଆର୍‌) ପ୍ରଦାନ ପାଇଁ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କା ଏବଂ ନିଜ ଡ୍ରାଇଭରଙ୍କ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।ଏହି ବେଆଇନ ଦାବି ପୂରଣ କରିବାକୁ ଅସମର୍ଥ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହାପରେ ଯୋଜନା ମୁତାବକ ଆଜି, ୧୯ ନଭେମ୍ବର ୨୦୨୬ରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରି ଡ୍ରାଇଭର ପଙ୍କଜ ସିପ୍‌କାଙ୍କ ଜରିଆରେ ତହସିଲଦାର ଶ୍ରୀ ନାୟକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୨ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।ଏହି ଘଟଣା ପରେ ତହସିଲଦାର ଶ୍ରୀ ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନ ଏବଂ ଡ୍ରାଇଭର ଶ୍ରୀ ସିପ୍‌କାଙ୍କ ବାସଭବନରେ ଆୟବର୍ହିଭୂତ ସମ୍ପତ୍ତି ଦିଗରୁ ଏକକାଳୀନ ତଲାସି ଅଭିଯାନ ଜାରି ରହିଛି।ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍‌ ନଂ ୨୬/୨୦୨୬ ରୁଜୁ ହୋଇଥିବାବେଳେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତ ତହସିଲଦାର ଚନ୍ଦନ କୁମାର ନାୟକ ଓ ଡ୍ରାଇଭର ପଙ୍କଜ ସିପ୍‌କାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *