November 28, 2026
Home » ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ନିମେନ୍ତ ଭଞ୍ଜନଗର ନବଜାତ ଶିଶୁ ଯତ୍ନ କେନ୍ଦ୍ରକୁ ରାଜ୍ୟସ୍ତରୀୟ ପୁରସ୍କାର

ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ନିମେନ୍ତ ଭଞ୍ଜନଗର ନବଜାତ ଶିଶୁ ଯତ୍ନ କେନ୍ଦ୍ରକୁ ରାଜ୍ୟସ୍ତରୀୟ ପୁରସ୍କାର

0
WhatsApp Image 2026-11-28 at 1.21.09 PM (1)

ବିପର୍ଯ୍ୟୟ ସମୟରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇଁ ଗଞ୍ଜାମ ସ୍ୱାସ୍ଥ୍ୟ ପ୍ରଶାସନକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସା

ଛତ୍ରପୁର, (ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ) ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ଭଞ୍ଜନଗର ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ଉତ୍କୃଷ୍ଟ ଓ ପ୍ରେରଣାଦାୟୀ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଏହା ସହିତ ବାତ୍ୟା ଅର୍ଣ୍ଣବ ଓ ବାତ୍ୟା ଅକଭାନର ପ୍ରଭାବରେ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପୂର୍ବରୁ, ସମୟରେ ଏବଂ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀମାନେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ସମସ୍ତଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

 

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଏସ୍.ଏନ୍. ଗିରିଶ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଡ. ମୃଣାଳିନୀ ଦର୍ଶୱାଲ, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବରିଷ୍ଠ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ସଫଳତା ପାଇଁ ଗଞ୍ଜାମର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାକାନ୍ତ ସାହୁ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଏବଂ ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତଙ୍କ ସମ୍ମିଳିତ ଉଦ୍ୟମ, ନିଷ୍ଠା ଓ ସମର୍ପଣ ଭାବ ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଆଦର୍ଶ ନବଜାତ ଶିଶୁ ଯତ୍ନ କେନ୍ଦ୍ରର ସଫଳତା ପଛରେ ଗଞ୍ଜାମ ଜିଲ୍ଲାର ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମନ୍ୱୟକାରୀ ଏବଂ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଯୁଗ୍ମ ହସ୍ପିଟାଲ ପରିଚାଳକଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ରହିଛି।

Leave a Reply

Your email address will not be published. Required fields are marked *