ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ 22 ବର୍ଷ 6 ମାସ 25 ଦିନ ସଶ୍ରମ କାରାଦଣ୍ଡ l
ସୁବର୍ଣ୍ଣପୁର:ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ବିଚାର କରି ସୋନପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟର ବିଚାରପତି ଦିଲ୍ଲୀପ କୁମାର ବିଶ୍ୱାଳ ଏହି ମାମଲାରେ (SPL. G.R. Case No. 194 of 2015) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଜନମୁରା ଗ୍ରାମର ଅଭିଯୁକ୍ତ ସୁରେଶ ପଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ୨୨ ବର୍ଷ ୬ ମାସ ୨୫ ଦିନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୦୧୫ ମସିହା ଜାନୁଆରୀ ୧୪ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଘର ପାଖରୁ ଅପହରଣ କରାଯାଇଥିଲା। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ. ୨୪/୨୦୧୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ଶେଷ କରି ପୋଲିସ ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (IPC)ର ଧାରା ୩୬୬, ୩୬୩, ୨୯୪, ୩୨୩, ୩୪୧, ୩୫୪ ଓ ୩୪ ସମେତ ପୋକ୍ସୋ ଆକ୍ଟର ଧାରା ୬ ଏବଂ ଏସ୍ସି/ଏସ୍ଟି ଆକ୍ଟର ଧାରା ୩(୧)(xi) ଅଧୀନରେ ଅଭିଯୋଗ ପତ୍ର ଦାଖଲ କରିଥିଲା।
ମାମଲାର ଶୁଣାଣି କରି କୋର୍ଟ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତକୁ ୨୨ ବର୍ଷ ୬ ମାସ ୨୫ ଦିନ ସଶ୍ରମ କାରାଦଣ୍ଡ ସହ ୩୦,୦୫୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୬୬ ଅନୁଯାୟୀ ୪ ବର୍ଷ ୪ ମାସ କାରାଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ସମସ୍ତ ଦଣ୍ଡାଦେଶ ଏକାସଙ୍ଗେ ଚାଲିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଦାୟ ହେବାକୁ ଥିବା ଜରିମାନା ରାଶି ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ବେଣୁଲାଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯୋଜକ ବିପିନ ବିହାରୀ ବିଦ୍ୟାଧର ମାମଲା ପରିଚାଳନା କରିଥିଲେ। ଏଥିରେ ସହ-ନିର୍ଦ୍ଦେଶକ ହିମାଂଶୁ ଶେଖର ପଣ୍ଡା ତାଙ୍କୁ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
