December 26, 2024
Home » ପ୍ରାଚୀନ ନୌବାଣିଜ୍ୟ ର ସ୍ମୁତି ଗୋପାଳପୁରରେ ହେବ ବୋଇତ ବନ୍ଦାଣ ଉତ୍ସବ !

ପ୍ରାଚୀନ ନୌବାଣିଜ୍ୟ ର ସ୍ମୁତି ଗୋପାଳପୁରରେ ହେବ ବୋଇତ ବନ୍ଦାଣ ଉତ୍ସବ !

0

ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ର ପରମ୍ପରା ଗଞ୍ଜାମ ଜିଲ୍ଲା ଏକ ଗୌରବମୟ ଗାଥା ବହନ କରିଆସିଛି, ଯାହାର ଅଧ୍ୟାୟ ଭାରତ ଇତିହାସରେ ଲିପିବଦ୍ଧ ହୋଇଅଛି । ବହୁ ନଦନଦୀ, ସମୁଦ୍ର ଦେଇ କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନ ପାଇଁ ବିଶେଷ ଅନୁକୂଳ ଥିଲା । ଲହରିମାଳା ସମୁଦ୍ରର ରହସ୍ୟମୟ ଆହ୍ଵାନ ସାଧବପୁଅଙ୍କୁ ସମୁଦ୍ର ବକ୍ଷରେ ବୋଇତ ମେଲି ଦରିଆ ପାରି ପାଇଁ ପ୍ରେରଣା ଯୋଗାଇ ଆସିଥିଲା । ସେହି ସ୍ମୃତି ସାଉଁଟିବା ସକାଶେ ଏବଂ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଏକ ବ୍ୟାପକ ସମାରୋହ ର ଆୟୋଜନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।
ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମାନ୍ୟବର ବାଣିଜ୍ୟ, ପରିବହନ,ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ରୂପେ ଯୋଗଦାନ କରିବେ ବୋଲି ଜଣାଯାଇଛି । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ବୋଲି କୁହାଯାଇଛି ।
ଏହି ପ୍ରସ୍ତୁତି ବୈଠକ ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନାଙ୍କ ତତ୍ତ୍ବାବଧାନରେ ଏକ ପ୍ରସ୍ତୁତି ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଥିଲା । ତାହାକୁ ଆଧାର କରି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିବା ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଚଳିତ ୧୫ ତାରିଖ ପ୍ରତ୍ୟୁଷ ରୁ ଅର୍ଥାତ୍ ପ୍ରାତଃ ଭୋରୁ ୩ ଘଟିକା ସମୟ ଠାରୁ ପ୍ରାତଃ ୪ ଘଣ୍ଟା ୩୦ ମିନିଟ୍ ସମୟରେ ଭଜନ ସମାରୋହ ଏବଂ ପ୍ରାତଃ ୫ଘଣ୍ଟା ସମୟରେ ବୋଇତ ବନ୍ଦାଣ ଓ ତୋପୋଇ ସ୍ମରଣିକା ଓ ନାଟିକା ପରିବେଷଣ
ଗୋପାଳପୁର ବେଳାଭୂମି ମହୋତ୍ସବ ସ୍ଥଳରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।
ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ନିମନ୍ତେ ପୋଲିସ ମୁତ୍ତୟନ,ପରିମଳ ବ୍ୟବସ୍ଥା ସଫେଇ ଓ ପାନୀୟ ଜଳଯୋଗାଣ, ବିଦ୍ୟୁତ ଯୋଗାଣ,ଅଗ୍ନିଶମ ନିରାପତ୍ତା,ମାଜିଷ୍ଟ୍ରେଟ୍,କର୍ମଚାରୀ ଓ ଅଧିକାରୀ ମୁତ୍ତୟନ ଇତ୍ୟାଦି ଆଲୋଚନା କରାଯାଇଥିଲା ।
ଚଳିତ ବର୍ଷ ଏହି ଉତ୍ସବ ଗୋପାଳପୁର ମହୋତ୍ସବ ମଞ୍ଚ ନିକଟରେ ରହିଥିବା ମୁହାଣ ସ୍ଥିର ଜଳରେ ବୋଇତ ବନ୍ଦାଣ କରାଯିବ । ଦୁଇ ଗୋଟି ନୌକା, ସୁସଜ୍ଜିତ ବୋଇତ, ସାଧବ ପୁଅ,ସାଧବ ବୋହୁ, ତଅପୋଇର କାହାଣୀକୁ ଆଧାରିତ ହୋଇ ନାଟିକା ପରିବେଷିତ ହେବ।
ପ୍ରାତଃ ଭୋରୁ ୩ ଘଟିକା ସମୟ ଠାରୁ ପ୍ରାତଃ ୪ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ଵନାମଧନ୍ଯ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ । ସକାଳ ୫ ଘଟିକା ସମୟରେ ସମ୍ମବେତ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ସାଧବ ପୁଅ,ସାଧବ ବୋହୁ, ତଅପୋଇର କାହାଣୀର ଚରିତ୍ରଙ୍କ ଗହଣରେ ଏହି ଉତ୍ସବ ହେବ ।
ମା’ ମଙ୍ଗଳାଙ୍କ ଆଳତୀ, ମା’ଗଙ୍ଗାଙ୍କ ଆଳତୀ,ବିଜୟତିଳକ,ଶଙ୍ଖ ବାଦ୍ୟ,ହୁଳହୁଳି ଧ୍ବନି,ଆତସବାଜି ଦ୍ଵାରା ଏହା ମହୋତ୍ସବ ଆୟୋଜନ ହେବ । ଏଥି ସହ ସ୍ମରଣିକା “ତଅପୋଇ” ଉନ୍ମୋଚିତ ହେବ ।
ସକାଳ ୭ ଘଟିକା ଠାରୁ ଚିତ୍ତାକର୍ଷକ ଲୋକନାଟକ ରାମାୟଣ କାହାଣୀ ରାମଲୀଳା ପରିବେଷଣ ସହିତ ସେହି ସମୟରେ ଝିଅ, ମା, ଭଉଣୀ ମାନଙ୍କ ଦ୍ଵାରା ଝୋଟି ଚିତା ଓ ହୁଳହୁଳି , ଓଡିଆଣୀ ବେଶ, ଓଡିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗୀତା ଆୟୋଜନ ହେବ। ଏହି ପ୍ରତିଯୋଗୀତା ସକାଳ ୭ଟା ସମୟ ମଧ୍ୟରୁ ରୁ ୮ ଘଟିକା ମଧ୍ୟରେ ଏକ ସମୟରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ନିମନ୍ତେ ଇଛୁକ ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ । ସକାଳ ୧୦ ଘଟିକା ସମୟରେ ପ୍ରତି ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।
୧୦ ଘଟିକା ୩୦ ମିନିଟ ସମୟ ଠାରୁ ଉକ୍ତ ସ୍ଥାନରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଓ ଗଞ୍ଜାମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।
ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ଗବେଷକଗଣ ସେମାନଙ୍କ ଆଲୋଚନା ରଖିବେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ଯାରେ ଯୋଗଦାନ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରାଯାଇଅଛି ।

Leave a Reply

Your email address will not be published. Required fields are marked *