April 22, 2025
Home » ବିଡିଏ ଉପାଧ୍ୟକ୍ଷ କଲେ ସହର ପରିକଳ୍ପନା (ଟିପି ସ୍କିମ) ଯୋଜନାର ଅଗ୍ରଗତି ସମୀକ୍ଷା

ବିଡିଏ ଉପାଧ୍ୟକ୍ଷ କଲେ ସହର ପରିକଳ୍ପନା (ଟିପି ସ୍କିମ) ଯୋଜନାର ଅଗ୍ରଗତି ସମୀକ୍ଷା

0

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଡା.ଏନ୍ . ତିରୁମାଲା ନାୟକ ଶନିବାର ସହର ପରିକଳ୍ପନା ଯୋଜନାର (ଟିପି ସ୍କିମ) ସମୀକ୍ଷା କରିଛନ୍ତି। ଏହି ବୈଠକରେ (ଟିପି ସ୍କିମ) ଯୋଜନା ନଂ ୧, ୨, ୩ ଓ ୪ର ୯ଟି ଗାଁ ପାଇକରାପୁର, ସିଜିପୁଟ, ନାରାଗୋଡା, ସାହାଜପୁର, ତମାଣ୍ଡୋ, ବିଜିପୁର, ପାଇକରାପୁର, ନୂଆଗାଁ ଓ ଶ୍ୟାମସୁନ୍ଦରପୁରରେ ଭିତ୍ତିଭୂମି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିରେ ବିଡିଏ ୬୦ କିଲୋମିଟର ଗମନାଗମନ ରାସ୍ତା ଓ ୬୪.୯ କିଲୋମିଟର ଡ୍ରେନେଜ କାମ ଶେଷ କରିବା ସହ ୨୯ଟି କଲଭର୍ଟ ତିଆରି ଓ ୪ କିଲୋମିଟର ରାସ୍ତାରେ ପିଚୁ କାମ ହୋଇଥିବା ନେଇ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପଟେ ଟିପି-୮ ଯୋଜନା ଅଧୀନରେ ଅନ୍ଧାରୁଆ ଓ ଦାସପୁର ଜମି ମାଲିକଙ୍କ ଆପତ୍ତି ଓ ପରାମର୍ଶ ଉପରେ ଶୁଣାଣି ଚାଲିଥିବା ନେଇ ସଂପୃକ୍ତ ବୈଠକରେ ଅଧିକାରୀମାନେ ଉପାଧ୍ୟକ୍ଷଙ୍କୁ ସୂଚନା ଦେଇଥିଲେ । ଏହା ସହିତ ବିଡିଏ ଜୋନ-୪ରେ ୧୪ଟି ନୂଆ ସହର ପରିକଳ୍ପନା (ଟିପି ସ୍କିମ) ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ସହରର ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ କରିବ। ସହର ପରିକଳ୍ପନା (ଟିପି ସ୍କିମ)ର କାମକୁ ତ୍ଵରାନିତ କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉପାଧ୍ୟକ୍ଷ ଡା. ନାୟକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ସେ ନିୟମିତ ଅଗ୍ରଗତି ସମୀକ୍ଷା ଉପରେ ଜୋର ଦେଇଛନ୍ତି। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଓ ଯୁଗ୍ମକମିଶନର (ଟିପି) ଭବତରଣ ସାହୁ ଏବଂ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ସହର ପରିକଳ୍ପନା (ଟିପି ସ୍କିମ) ରେ ଜମି ମାଲିକମାନେ ୪୦% ଜମି ନଗର ଭିତ୍ତିଭୂମି ପାଇଁ ଦେବେ ଓ ୬୦% ଜମି (ଟିପି) ଅଞ୍ଚଳ ଭାବେ ରହିବ। ଏହି ଯୋଜନାରେ ରାସ୍ତା (ସର୍ବନିମ୍ନ ୯ ମିଟର ଚଉଡା), ନାଳ, ଜଳ ଯୋଗାଣ, ସ୍ଵରେଜ ଓ ବିଦ୍ୟୁତ ସୁବିଧା ମିଳିବ। ଏହା ଦ୍ୱାରା ଜମିର ମୂଲ୍ୟ ବଢିବ ଓ ଭିତ୍ତିଭୂମିର ଉନ୍ନତି ଭଲ ହେବ। ୨୦୧୦ କମ୍ପ୍ରେହେନ୍ସିଭ ଡେଭଲଫମେଣ୍ଟ ପ୍ଲାନ୍ (ସିଡିପି) ଅନୁସାରେ ଭୁବନେଶ୍ୱର ଉନ୍ନୟନ ଅଞ୍ଚଳରେ ୬୪.୯ କିଲୋମିଟର ରିଙ୍ଗ ରୋଡ ପ୍ରସ୍ତାବ ହୋଇଥିଲା। ଏହାକୁ ସଫଳ କରିବା ପାଇଁ ବିଡିଏ ୫୮ଟି ଗାଁରେ ୪୫ଟି ଟିପି ଯୋଜନା କରୁଛି, ଯାହା ଜମି ଅଧିଗ୍ରହଣ କମିବା ସହ ସହର ପାଖ ଅଞ୍ଚଳରେ ଉନ୍ନୟନକୁ ଅଧିକ ତ୍ବରାନ୍ବିତ କରିବ। ସହର ପରିକଳ୍ପନା ଯୋଜନା (ଟିପି ସ୍କିମ) ର ମୂଳ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ମାଲିକଙ୍କ ଜମିକୁ ଏକାଠି କରି, ତାକୁ ସଂଗଠିତ ଭାବେ ବଣ୍ଟନ କରିବା। ଏଥିରେ ଖୋଲା ଜାଗା, ସାମାଜିକ ଭିତ୍ତିଭୂମି, ଆର୍ଥିକ ଅନଗ୍ରସରଙ୍କ ପାଇଁ ଘର ଓ ରାସ୍ତା ପାଇଁ ଜମି ସଂରକ୍ଷିତ କରିବା।

Leave a Reply

Your email address will not be published. Required fields are marked *