ସାଗରିକା କଳା ନିକେତନର ବାର୍ଷିକ ଉତ୍ସବ ପାଳିତ

ବନ୍ଦର ନଗରୀ ପାରାଦୀପର ନୃତ୍ୟ, ସଙ୍ଗୀତ ଓ କଳାର ସର୍ବ ପୁରାତନ ଶିକ୍ଷାୟତନ ସାଗରିକା କଳା ନିକେତନ ତାର ବାର୍ଷିକ ଉତ୍ସବ ୯ ତାରିଖ ଦିନ ସନ୍ଧ୍ୟାରେ ପାଳନ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବନ୍ଦରର ଅଧ୍ୟକ୍ଷ ପି ଏଲ୍ ହରନାଧ ଦ୍ଵିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ସେ କହିଥିଲେ କି ସାଗରିକା କଳା ନିକେତନର ନୃତ୍ୟ ଶିଳ୍ପୀ ମାନେ ବନ୍ଦରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ସୁନ୍ଦର ନୃତ୍ୟ ଉପସ୍ଥାପନ କରି ପ୍ରଶଂସା ପାଇଛନ୍ତି ଓ ଅଖିଳ ଭାରତ ବନ୍ଦର ପ୍ରତିଯୋଗିତାରେ ବନ୍ଦରକୁ ଅନେକ ବାର ପ୍ରଥମ ସ୍ଥାନ ଦେଇଛନ୍ତି ।
ସେ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ କରି ନୃତ୍ୟ,ସଙ୍ଗୀତ ଓ କଳା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ନିକେତନର ସଂଯୁକ୍ତ ସଚିବ ଆର ଏନ୍ ମିଶ୍ର ଅନୁଷ୍ଠାନ ସମ୍ବନ୍ଧରେ ବିବରଣୀ ରଖିଥିଲେ । ଏହି ଅବସରରେ ସାଗରିକାର ନୂତନ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ଓ ବନ୍ଦରର ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ ମଞ୍ଚାସିନ ଥିଲେ । ଅତିଥି ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଗରିକାର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ ଓ ରଙ୍ଗା ରଙ୍ଗ ନୃତ୍ୟ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ।
ଅନୁଷ୍ଠାନର ବରିଷ୍ଠ ନୃତ୍ୟ ଗୁରୁ ବ୍ରଜ କିଶୋର ମଲ୍ଲିକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ଶୈଳୀରେ ପରିବେଶଣ କରିଥିଲେ ନୃତ୍ୟାଭିନୟ ଜୟ ଜଗନ୍ନାଥ ଯାହାକି ସର୍ବ ଆଦୃତ ହୋଇଥିଲା ଓ ଉପସ୍ଥିତ ଦର୍ଶକ ମାନଙ୍କୁ ଦୀର୍ଘ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲା । ବନ୍ଦର ଅଧ୍ୟକ୍ଷ ନିଜେ ଏହି ନୃତ୍ୟାଭିନୟର ଭୂୟୀୟଶି ପ୍ରଶଂସା କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟ କ୍ରମକୁ ସାଗରିକା କଳା ନିକେତନର ସମ୍ପାଦକ ନିରୋଜ୍ ପଟ୍ଟନାୟକ ସଂଯୋଜନା କରିବା ସଙ୍ଗେ ସଙ୍ଗେ ସମସ୍ତକୁ ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମରେ ବନ୍ଦରର ବିଭାଗ ମୁଖ୍ୟ, ଅଧିକାରୀ ଓ କର୍ମଚାରୀ ତଥା ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ମାତା ପିତା ବହୁ ସଂଖାରେ ଉପସ୍ଥିତ ଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )