March 26, 2026
Home »  ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କୁ ପଞ୍ଚଦଫା ଦାବୀ ପତ୍ର ଦେଲା ନୟାଗଡ ନାଗରିକ ମଞ୍ଚ

 ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କୁ ପଞ୍ଚଦଫା ଦାବୀ ପତ୍ର ଦେଲା ନୟାଗଡ ନାଗରିକ ମଞ୍ଚ

0
unnamed
ନୟାଗଡ଼:  ନୟାଗଡ ନାଗରିକ ମଞ୍ଚ ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନଇ ଆଜି ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବେହେରାଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ପତ୍ର ଦେଇଛନ୍ତି । ଏହି ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩) ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା। ଏହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ଜିଲ୍ଲାବାସୀ ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ତଥା ଏସ.ସି.ବି. ମେଡିକାଲ କଲେଜ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସୁବିଧାରେ ଯାଆ ଆସ କରିପାରନ୍ତେ। ସେହିପରି ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ,ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଚାଲୁଥିବା ଟ୍ରେନଗୁଡ଼ିକରେ ଅଧିକ ବଗି ସଂଯୋଗ କରିବା ପାଇଁ ନାଗରିକ ମଞ୍ଚ ଦାବି କରିଛି।ସେହିପରି ବର୍ତ୍ତମାନ ସକାଳ ୭:୩୦ ରୁ ଅପରାହ୍ନ ୪:୩୦ (୯ ଘଣ୍ଟା )ମଧ୍ୟରେ କୌଣସି ଟ୍ରେନ୍ ସେବା ନଥିବାରୁ ଏକ ବଡ଼ ଶୂନ୍ୟସ୍ଥାନ ରହୁଛି । ତେଣୁ ଖୋର୍ଦ୍ଧା ରୋଡ଼ରେ ଦୀର୍ଘ ୫ଘଣ୍ଟା ଧରି ପଡ଼ି ରହୁଥିବା କେନ୍ଦୁଝର ରୋଡ଼-ଖୋର୍ଦ୍ଧା ରୋଡ଼ (୬୮୪୨୫/୬୮୪୨୬) ଲୋକାଲ ଟ୍ରେନକୁ ନୟାଗଡ଼ ଟାଉନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦ୍ୱାରା ଅଫିସ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରନ୍ତେ। ପ୍ଲାଟଫର୍ମ ନମ୍ବର ୨ ଏବଂ ୩ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ଯାତାୟାତ ପରିଚାଳନା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା ତଥା ଟ୍ରେନ୍ ବଗି ଭିତରେ ଏବଂ ଷ୍ଟେସନ ପ୍ଲାଟଫର୍ମରେ ସ୍ୱଚ୍ଛତା ପ୍ରତି ଜରୁରୀ ଦୃଷ୍ଟି ଦେବା ସହ ନିୟମିତ ତଦାରଖ କରାଯିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ସବୁ ସମସ୍ୟା ଗୁଡିକ ଖୁବ ଶୀଘ୍ର ସମାଧାନ କରାଯିବା ପାଇଁ ଯଥାବିଧି ପଦକ୍ଷେପ ନେବେ ବୋଲି ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ବେହେରା ନାଗରିକ ମଞ୍ଚ ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ। ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ତ୍ରିନାଥ ସାହୁ, ଦୁର୍ଯ୍ୟୋଧନ ସାହୁ, ଲକ୍ଷ୍ମୀଧର ମହାପାତ୍ର ଏବଂ ପ୍ରଦୀପ୍ତ କୁମାର ଡାକୁଆ ପ୍ରମୁଖ ମହତ୍ କାର୍ଯ୍ୟ ପାଇଁ ଦାବୀପତ୍ର ଦେବା ଓ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *