March 9, 2026
Home » ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମାଜ ସେବୀ ସୁଲୋଚନା ଦେବୀ ସମ୍ମାନିତ

ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମାଜ ସେବୀ ସୁଲୋଚନା ଦେବୀ ସମ୍ମାନିତ

0
WhatsApp Image 2026-03-08 at 6.19.40 PM

ବରଗଡ଼:ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ ଲେଣ୍ଡା ଗ୍ରାମର ସମାଜ ସେବୀ ତଥା ମାନବସେବା ପ୍ରତି ନିଜ ଜୀବନକୁ ଅର୍ପଣ କରିଥିବା ଏକ ଅଦ୍ଭୁତ ନାରୀ ହେଲେ ସୁଲୋଚନା ଦେବୀ। ସମାଜର ଲୋକମାନଙ୍କ ପାଇଁ ନିର୍ଲୋଭ ଭାବରେ ସେବା କରି ସେ ଅନେକଙ୍କ ମନରେ ଅବିସ୍ମରଣୀୟ ସ୍ଥାନ ଅର୍ଜନ କରିଛନ୍ତି। ସୁଲୋଚନା ଦେବୀଙ୍କ ଜୀବନ ଦୃଷ୍ଟିକୋଣ ସଦା ସରଳତା, ମାନବତା ଓ ସମର୍ପଣରେ ପରିପୂର୍ଣ୍ଣ। ଗ୍ରାମାଞ୍ଚଳର ମହିଳାମାନଙ୍କ ସଚେତନତା, ସ୍ୱାସ୍ଥ୍ୟ ସୁରକ୍ଷା, ଶିଶୁ ଓ ମାତୃ ସେବା, ଶିକ୍ଷା ଓ କୃଷି କ୍ଷେତ୍ରରେ ସେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ମହିଳାମାନଙ୍କ ସଶକ୍ତିକରଣ ପାଇଁ ସେ ନିରନ୍ତର ଉଦ୍ୟମ କରିଛନ୍ତି ।

ଗ୍ରାମର ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା, ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଡିଲିଭେରୀ ପାଇଁ ହସ୍ପିଟାଲକୁ ନେବା, ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ପ୍ରତି ସଚେତନତା ସୃଷ୍ଟି କରିବାରେ ସେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ସେହିପରି କୃଷି କ୍ଷେତ୍ରରେ ମଧ୍ୟ ସେ ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ନାନା ପ୍ରୟାସ କରିଛନ୍ତି। ଗ୍ରାମର ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସ୍ୱୟଂସହାୟତା ଗୋଷ୍ଠୀ ସହିତ ଯୋଡ଼ି ତାଙ୍କୁ ବିଭିନ୍ନ ଜୀବିକା ମୂଳକ କାର୍ଯ୍ୟରେ ପ୍ରୋତ୍ସାହିତ କରିଥିଲେ ସୁଲୋଚନା ଦେବୀ । ତାଙ୍କ ଜୀବନର ଏହି ସେବାମୟ ଓ ସମର୍ପିତ ଯାତ୍ରା ସମାଜ ପାଇଁ ଏକ ପ୍ରେରଣା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ସେବା ଓ ସମ୍ପର୍ପଣକୁ ସମ୍ମାନ ଜଣାଇ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଲେଣ୍ଡାସ୍ଥିତ ତାଙ୍କ ବାସ ଭବନକୁ ଜାଇ ତାଙ୍କୁ ସମ୍ମାନିତ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *