September 30, 2026
Home » ଆଇଏଫଡବ୍ଲ୍ୟୁସିଏସ୍‌ ଅଧୀନରେ “ପ୍ରମାଣ” ସାର୍ଟିଫିକେସନ୍‌ ହାସଲ କରି ଓଡ଼ିଶାର ବାଉଁଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା

ଆଇଏଫଡବ୍ଲ୍ୟୁସିଏସ୍‌ ଅଧୀନରେ “ପ୍ରମାଣ” ସାର୍ଟିଫିକେସନ୍‌ ହାସଲ କରି ଓଡ଼ିଶାର ବାଉଁଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା

0
WhatsApp Image 2026-09-29 at 1.58.16 PM (4)

 

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ” ସାର୍ଟିଫିକେଟ୍‌

ଭୁବନେଶ୍ୱର: ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ ଆଜି ମାନ୍ୟବର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଛି।ଏହି ସାର୍ଟିଫିକେଟ୍‌ ପ୍ରଦାନ ସମୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ତନ୍ମୟ କୁମାର, ବନ ମହାନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ଅବସ୍ଥି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ମୟୂରଭଞ୍ଜ ଜିଲ୍ଲାର ଗୋବର୍ଦ୍ଧନଶୂଳସ୍ଥିତ ଲକ୍ଷ୍ମୀପୋଷିର ବାଉଁଶ ଚାଷୀ ଶ୍ରୀ ଗୋବିନ୍ଦ ମହାପାତ୍ର ଏବଂ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ମିଶନ ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଭି ଏହି ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ।ଏହି ପ୍ରମାଣୀକରଣ ଟ୍ରିଜ୍‌ ଆଉଟସାଇଡ୍‌ ଫରେଷ୍ଟ୍‌ସ୍‌ ମ୍ୟାନେଜମେଣ୍ଟ ଏବଂ ଚେନ୍‌ ଅଫ୍‌ କଷ୍ଟଡି କ୍ଷେତ୍ରରେ ପ୍ରଦାନ କରାଯାଇଛି। ଗୋବର୍ଦ୍ଧନଶୂଳ ଏବଂ ରାଣୀଭୋଳର ୪ଟି ପ୍ଲଟ୍‌ରେ ମୋଟ ୧୪.୦୩ ହେକ୍ଟର ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ପ୍ରମାଣୀକୃତ ବାଉଁଶ ପ୍ରଜାତିଗୁଡ଼ିକ ମଧ୍ୟରେ ବାମ୍ବୁସା ଭଲ୍ଗାରିସ୍‌, ବାମ୍ବୁସା ନ୍ୟୁଟାନ୍ସ୍‌ ଏବଂ ଡେଣ୍ଡ୍ରୋକାଲାମସ୍‌ ଷ୍ଟ୍ରିକ୍ଟସ୍‌ ରହିଛି, ଯାହା ନିର୍ମାଣ କାର୍ଯ୍ୟ ଓ ଆସବାବପତ୍ର ପ୍ରସ୍ତୁତିରେ ବାଣିଜ୍ୟିକ ଭାବେ ବ୍ୟବହୃତ ହୁଏ। ଏହି ପ୍ରମାଣୀକରଣ ପ୍ରକ୍ରିୟା ଏନ୍‌ଏବିସିବି ଦ୍ୱାରା ସ୍ୱୀକୃତ ପ୍ରମାଣୀକରଣ ସଂସ୍ଥା ଦ୍ୱାରା ଅଡିଟ୍‌ କରାଯାଇଥିଲା।

ଏହି ସଫଳତା ଓଡ଼ିଶାର କୃଷିଭିତ୍ତିକ ବାଉଁଶ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରମାଣୀକରଣ ଦ୍ୱାରା କ୍ରେତାମାନେ ବାଉଁଶ ଆଇନସମ୍ମତ ଓ ସ୍ଥାୟୀ ଉତ୍ସରୁ ଆସିଥିବା ବୋଲି ନିଶ୍ଚିତ ହୋଇପାରିବେ। ଫଳରେ ବାଉଁଶ ଚାଷୀମାନଙ୍କ ପାଇଁ ଦେଶୀୟ ଓ ରପ୍ତାନି ବଜାରରେ ଉନ୍ନତ ସୁଯୋଗ ସୃଷ୍ଟି ହେବା ସହ ବଜାର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଇବ।ଏହି ପଦକ୍ଷେପଟି ଆଇଆଇଏଫଏମ୍‌, ଭୋପାଳ ମାଧ୍ୟମରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ଦ୍ୱାରା ଅର୍ଥାୟନ, ସମନ୍ୱୟ ଏବଂ ସହଯୋଗରେ ସମ୍ପନ୍ନ ହୋଇଛି। ଏହା ସ୍ଥାୟୀ ବାଉଁଶ ଚାଷକୁ ପ୍ରୋତ୍ସାହନ, ଚାଷୀମାନଙ୍କ ଜୀବିକାର ଉନ୍ନତି ଏବଂ ବାଉଁଶ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ଓବିଡିଏର ଅବିରତ ପ୍ରୟାସକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *