ଆଜି କଟକ ସହର ବନ୍ଦ

କଟକ:କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ କଟକ ମହାନଗର ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ରବିବାର ଅପରାହ୍ନରେ ଏକ ମୋଟରସାଇକେଲ ରାଲି ହୋଇଯାଇଛି। ଏହି ରାଲି ବିଦ୍ୟାଧରପୁରରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ, ଓଏମ୍ପି, କଲେଜ ଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ଟ୍ରାଫିକ ଛକ, ଦୋଳମୁଣ୍ଡେଇ, ହରିପୁର, ହାତୀପୋଖରୀ, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ନିମଚୌଡ଼ି, ଚାନ୍ଦିନୀଚୌକ ଆଦି ଅଞ୍ଚଳ ପରିକ୍ରମା କରିଛି।
ସୋମବାର କଟକ ବନ୍ଦ ଡାକରାରେ ବ୍ୟବସାୟୀ ଓ ଲୋକମାନଙ୍କୁ ହଇରାଣ ହେବାରୁ ରକ୍ଷା କରିବା ପାଇଁ ମାଲଗୋଦାମ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଏନେଇ ରବିବାର ପ୍ରେସ୍ ବିବୃତିରେ ଜଣାଇଛନ୍ତି। ପେଟ୍ରୋଲ ପମ୍ପ, ହସ୍ପିଟାଲ, ମେଡିସିନ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ କମିଶନରଙ୍କ ସୂଚନା ଦେଇଛନ୍ତି। ଅଧିକ ବସ ଚଳାଚଳ ନ କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି। କଟକ ସହରରେ ଥିବା ସବୁ ସରକାରୀ ଅଫିସ ଓ SCB ମେଡିକାଲ ଖୋଲା ରହିବ ବୋଲି ଜଣାପଡ଼ିଛି।
ଏହି ସମୟରେ ଦରଘାବଜାର ଓ ନିକଟସ୍ଥ ଅଞ୍ଚଳର କେତେକ ସ୍ଥାନରେ ଜଳାପୋଡ଼ା ଏବଂ ଭଙ୍ଗାରୁଜା ହୋଇଛି। ଏପରିକି ଗାଡ଼ିମୋଟର, ଦୋକାନ ଭଙ୍ଗାରୁଜା ହେବାସହ ପୋଲିସ ଉପରକୁ ଢେଲାମାଡ଼ କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ଦରଘା ବଜାର ସମେତ ସହରର ୧୩ଟି ଥାନା ଅଞ୍ଚଳରେ ରବିବାର ରାତି ୧୦ରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ ଲଗାଇଛନ୍ତି। ସେହିପରି ସହର ଓ ଉପକଣ୍ଠରେ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ଏହି କଟକଣା ବଳବତ୍ତର ରହିବ। ଏହି ସମୟରେ ହ୍ବାଟ୍ସଆପ୍, ଫେସ୍ବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ଇଣ୍ଟରନେଟ୍ ସେବା ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏହାସହ କଟକରେ କ୍ୟାମ୍ପ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଡିଜିପିଙ୍କୁ କୁହାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କମିଶନର ୩ଟି ସ୍ପେଶାଲ ଟିମ୍ ଗଠନ କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର