ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ୍ ଖାତା ଦେଖା
କଟକ: ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି। ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ୩୦ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଅବହେଳା କଲେ ଜିଲ୍ଲା ଶିକ୍ଷାଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସତର୍କ କରାଇ ଦିଆଯାଇଛି।
ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ମଙ୍ଗଳବାର ଡିଇଓମାନେ ଜିଲ୍ଲାସ୍ତରରେ ସମୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆସନ୍ତାକାଲିଠାରୁ ଖାତା ଦେଖା ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସେହିପରି କେନ୍ଦ୍ରକୁ ମୋବାଇଲ୍ ନେବା ମଧ୍ୟ ବାରଣ ରହିଛି। ଏଥିରେ ଖିଲାପ କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
