ଆସନ୍ତା ୨୮ ତାରିଖ ରେ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣିମା।
ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଏଥିପାଇଁ ଚାଲିଛି ରାକ୍ଷୀ ତିଆରି । ବଡ ଠାକୁରଙ୍କ ପାଇଁ ବଡ ରାକ୍ଷୀ ପ୍ରସ୍ତୁତିରେ ଲାଗପଡିଛନ୍ତି ସେବାୟତ । ନାଲି, ନେଳୀ, ହଳଦିଆ ଓ ବାଇଗଣୀ ରଙ୍ଗର ରାକ୍ଷୀ ପିନ୍ଧିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ୨୮ ତାରିଖ ଶୁକ୍ରବାର ପବିତ୍ର ଗହ୍ମା ପୁନେଁଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା। ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡିବେ ମା’ ସୁଭଦ୍ରା । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ରହିଚି ବହୁତ୍ ଉତ୍କଣ୍ଠା।
ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ଦୟାନିଧି ପଣ୍ଡା କୁହନ୍ତି, ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଓ ଭଉଣୀ ଙ୍କ ସୁରକ୍ଷା ନେଇ ଭାଇର କିଭଳି ସବୁବେଳେ କର୍ତ୍ତବ୍ୟ ରହିଛି ସେହି ବାର୍ତ୍ତା ମଧ୍ୟ ମହାପ୍ରଭୁ ସମଗ୍ର ବିଶ୍ୱ କୁ ଏହି ରକ୍ଷା ବନ୍ଧନ ଉତ୍ସବ ମାଧ୍ୟମ ରେ ଦେଉଛନ୍ତି। ସ୍ବତନ୍ତ୍ର ବାସୁଙ୍ଗା ପାଟ ରେ ମହାପ୍ରଭୁ ଙ୍କ ପାଇଁ ସ୍ବତନ୍ତ୍ର ରାକ୍ଷୀ ପାଟରା ବିଷୋୟୀ ସେବକ ମାନେ ପ୍ରସ୍ତୁତ କରିଥାନ୍ତି ।ଗହ୍ମା ପୂର୍ଣ୍ଣିମା ଦିନ ମହାପ୍ରଭୁ ଙ୍କ ମଧ୍ୟାହ୍ନ ଧୂପ ନୀତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଙ୍କ ଠାରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ସେହିଦିନ ମଧ୍ୟ ପ୍ରଭୁ ବଳଭଦ୍ର ଙ୍କ ଜନ୍ମ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ।
ବଡ ରାକ୍ଷୀ ପିନ୍ଧିବେ ବଡ ଠାକୁର। ବିଧି ଅନୁସାରେ ଚିତାଲାଗି ଅମାବାସ୍ୟା ଠାରୁ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରୁଥିବା ସ୍ଵତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ସେହିପରି ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେବ।
କିଭଳି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ରାକ୍ଷୀ
ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ। ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ସୁଖାଯାଇଥାଏ। ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ। କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ। ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି। ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି।
ମହାପ୍ରଭୁଙ୍କ ପାଟରା ବିଷୋୟୀ ସେବକ ସନ୍ତୋଷ କୁମାର ପାତ୍ର କୁହନ୍ତି, ଆମେ ମହାପ୍ରଭୁ ଙ୍କ ରାକ୍ଷୀ ପ୍ରସ୍ତୁତି କାର୍ଯ୍ଯ ଚିତା ଲାଗି ଅମାବାସ୍ୟା ପର ଠାରୁ ଆରମ୍ଭ କରିଥାଉ। ଶ୍ରୀମନ୍ଦିର ପ୍ରଶାସନ ଆମକୁ ରାକ୍ଷୀ ପ୍ରସ୍ତୁତି ପାଇଁ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ। ମହାପ୍ରଭୁ ଙ୍କ ରାକ୍ଷୀ ସେ ନିଜେହିଁ ତିଆରି କରିଥାନ୍ତି। ଆମେ ନିମିତ୍ତ ମାତ୍ର। ମହାପ୍ରଭୁ ଙ୍କ ସେବା କରିବା ପାଇଁ ଆମକୁ ସୁଯୋଗ ମିଳିଥିବାରୁ ଆମେ ନିଜକୁ ଧନ୍ୟ ମନେକରୁଚୁ। ଏହି ସେବା ଆମର ପାରିବାରିକ ସେବା। ପୀଢ଼ି ପରେ ପୀଢ଼ି ଏହି ସେବା ଆମେ କରିଆସୁଛୁ।
