October 20, 2026
Home » ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ

ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ

0
WhatsApp Image 2026-10-20 at 8.39.02 PM

 

ଭୁବନେଶ୍ୱର, : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଛନ୍ତି।ଏହି ଅବସରରେ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ର କର୍ତ୍ତୃପକ୍ଷ ରାଜ୍ୟପାଳ ଓ ପ୍ରଥମ ମହିଳାଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟପାଳ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ପବିତ୍ର ବିଜୟା ଦଶମୀର ଶୁଭେଚ୍ଛା ଜଣାଇଥିଲେ।

ପିଲାମାନଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଦେବୀ ଦୁର୍ଗାଙ୍କ ମହିଷାସୁର ବଧ ଏବଂ ପ୍ରଭୁ ଶ୍ରୀରାମଙ୍କ ରାବଣ ଉପରେ ବିଜୟ ଏହି ମହାନ ଆଦର୍ଶର ପ୍ରତିଫଳନ ବୋଲି ସେ କହିଥିଲେ।

ଦେବୀ ଦୁର୍ଗାଙ୍କୁ ଶକ୍ତି, ସାହସ, କରୁଣା ଓ ନାରୀ ସଶକ୍ତୀକରଣର ପ୍ରତୀକ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଦେବୀଙ୍କ କାହାଣୀ ଆମକୁ ଶିକ୍ଷା ଦିଏ ଯେ ସତ୍ୟ, ନ୍ୟାୟ ଓ ଧର୍ମର ସର୍ବଦା ବିଜୟ ହୋଇଥାଏ। ଅନ୍ୟାୟ ଓ ଅସତ୍ୟ ବିରୋଧରେ ଦୃଢ଼ ଭାବେ ଠିଆ ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।

ପିଲାମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ବୋଲି ଅଭିହିତ କରି ରାଜ୍ୟପାଳ ସେମାନଙ୍କୁ ଦେବୀ ଦୁର୍ଗାଙ୍କ ସାହସ ଏବଂ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ।

ପିଲାମାନଙ୍କୁ ମନ ଦେଇ ପାଠ ପଢ଼ିବା, ଶୃଙ୍ଖଳା ବଜାୟ ରଖିବା ଏବଂ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ନିଜ ନିଜର ସ୍ୱପ୍ନକୁ ସାକାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଜୀବନରେ ଆସୁଥିବା ବିଭିନ୍ନ ଆହ୍ୱାନର ସାହସ ଓ ଦୃଢ଼ ସଂକଳ୍ପର ସହ ମୁକାବିଲା କରିବାକୁ ମଧ୍ୟ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ପିଲାମାନଙ୍କ ସହ ବିଜୟା ଦଶମୀ ପାଳନ କରି ଆନନ୍ଦିତ ବୋଲି ପ୍ରକାଶ କରିବା ସହ ରାଜ୍ୟପାଳ ସେମାନଙ୍କ ଜୀବନରେ ସୁଖ, ସୁସ୍ୱାସ୍ଥ୍ୟ, ଜ୍ଞାନ ଓ ସଫଳତା କାମନା କରିଥିଲେ।

Leave a Reply

Your email address will not be published. Required fields are marked *