February 21, 2026
Home » ଓକିଲ ସଂଘ ପକ୍ଷରୁ ରାସ୍ତାରୋକ

ଓକିଲ ସଂଘ ପକ୍ଷରୁ ରାସ୍ତାରୋକ

0
Screenshot 2026-02-21 141657

ପୁରୀ ମାଳତୀପାଟପୁର ଠାରେ ପୁରୀ ଓକିଲ ସଂଘ ପକ୍ଷରୁ ରାସ୍ତାରୋକ। ରାସ୍ତାରୋକ ଯୋଗୁଁ ଅଟକି ରହିଲା ଶହ ଶହ ଗାଡ଼ି। ଶ୍ରୀକ୍ଷେତ୍ରକୁ ଆସୁଥିବା ଏବଂ ଶ୍ରୀକ୍ଷେତ୍ରରୁ ଫେରୁଥିବା ପର୍ଯ୍ୟଟକ ମାନେ ରାସ୍ତାରୋକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଅଟକି ରହିଲେ। ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ଦିନ ୧୦ ଟା ଠାରୁ ଦିନ ୩ ଟା ଯାଏଁ ରାସ୍ତାରୋକ ଡ଼ାକରା ଦିଆଯାଇଥିବାବେଳେ ଏଥିରେ ସାମିଲ୍ ହୋଇଥିଲେ ଶତାଧିକ ଓକିଲ। ପୁରୀ ଜିଲ୍ଲା କୋର୍ଟ କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତା କୁ ଓହ୍ଲାଇଥିଲା ଓକିଲ ସଂଘ।ପୁରୀ ଓକିଲ ସଂଘର ସମ୍ପାଦକ ଶରତ ରାୟଗୁରୁ ଙ୍କ କହିବାନୁଯାୟୀ ପୁରୀ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଓ ମଧୁରଜଳ ଅଞ୍ଚଳକୁ ସ୍ଥାନାନ୍ତର କରିବା ନିୟମ ବିରୋଧୀ। ବାଲୁଖଣ୍ଡ ଅଭୟାରଣ୍ୟ ସିଆରଜେଡ୍ ରେ ହୋଇଥିବାରୁ ସେଠାରେ କୋର୍ଟ କରିବା ନିୟମ ନାହିଁ। ସେହିପରି ଦୀର୍ଘ ୧୬୦ ବର୍ଷ ହେବ ଲକ୍ଷାଧିକ ଲୋକ ଏହି କୋର୍ଟରେ ନ୍ୟାୟ ପାଇ ଆସୁଛନ୍ତି।‌ ବର୍ତ୍ତମାନ ଯେଉଁ ସ୍ଥାନରେ କୋର୍ଟ ରହିଛି ସେଠାକୁ ଯାତାୟତ ସହ ସମସ୍ତ ପ୍ରକାର ସୁବିଧା ରହିଛି। ଏଣୁ କୋର୍ଟ ସ୍ଥାନାନ୍ତର ନିଷ୍ପତି କୁ ରାଜ୍ୟ ସରକାର ପ୍ରତ୍ୟାହାର କରନ୍ତୁ । ନ ହେଲେ ଆଗାମୀ ୨୭ ତାରିଖ ରେ ପୁରୀ ବନ୍ଦ ପାଳନ କରାଯିବ।

ସକାଳ ୧୦ ଟା ରୁ ପୁରୀ ଓକିଲ ସଂଘ ପକ୍ଷରୁ ମାଳତୀପାଟପୁର ଠାରେ ରାସ୍ତାରୋକ କରାଯାଇଥିଲା। ଦିନ ୩ ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ କରାଯାଇଥିବା ଯୋଗୁଁ ଶହ ଶହ ଯାନବାହନ ରାସ୍ତା ଉପରେ ଅଟକି ରହିଥିଲା। ପୁରୀ କୁ ଆସୁଥିବା ଏବଂ ପୁରୀ ରୁ ଫେରୁଥିବା ପର୍ଯ୍ୟଟକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। କେବଳ ସେତିକି ନୁହେଁ ପୁରୀ ରୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇ ରହିଥିଲା। ଫଳରେ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, ଶବବାହକ ଗାଡ଼ି, ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଜରୁରୀକାଳୀନ ସେବାରେ ଯେଭଳି କୌଣସି ବାଧା ସୃଷ୍ଟି ନହୁଏ ସେଦିଗ ପ୍ରତି ଓକିଲ ସଂଘ ଦୃଷ୍ଟି ଦେଇଥିଲା। ଓକିଲଙ୍କ ରାସ୍ତାରୋକ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ନ ଉପୁଜେ ସେନେଇ ବରିଷ୍ଠ ପୋଲିସ ଅଧିକାରୀ‌ ଏବଂ ଫୋର୍ସ ମୁତୟନ ହୋଇଥିଲେ। ପୁରୀ ଏସପି ପ୍ରତୀକ ସିଂ ରାସ୍ତାରୋକ ସ୍ଥାନକୁ ଯାଇ ଓକିଲ ମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ। ଯାତ୍ରୀ ମାନେ ଯେଭଳି ହଇରାଣ ହରକତ ନହେବେ ଏବଂ ଯାନବାହାନ କିଭଳି ବିକଳ୍ପ ରାସ୍ତା ରେ ଯାଇପାରିବ ସେ ଦିଗରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।କୋର୍ଟ ସ୍ଥାନାନ୍ତର କୁ ବିରୋଧ କରି ଦୀର୍ଘ ଏକବର୍ଷ ଧରି ପୁରୀ ଓକିଲ ସଂଘ ଆନ୍ଦୋଳନ କରି ଆସୁଥିବାବେଳେ ତୁରନ୍ତ ଦାବି ପୂରଣ ନହେଲେ ଆସନ୍ତା ୨୭ ତାରିଖରେ ପୁରୀ ବନ୍ଦର ଡ଼ାକରା ଦିଆଯିବ ବୋଲି ଚେତାବନୀ ଦେଇଛି ଓକିଲ ସଂଘ।

ଆଇନଜିବି ଚିନ୍ମୟ କୁମାର ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ଏକ ମଧୁର ଜଳ ସଂରକ୍ଷିତ ଅଞ୍ଚଳ। ସେହି ଏହି ଅଞ୍ଚଳ ଅଭୟାରଣ୍ୟ ରେ ଯାଉଛି। ଏଣୁ ଏଠାରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବେଆଇନ। ଏଣୁ ସରକାର କିଭଳି ବେଆଇନ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୁଆ କୋର୍ଟ ହେଲେ ଏହା ପୁରୀ ସହର ଠାରୁ ବହୁତ୍ ଦୂରରେ ହେବ। ଜିଲାପାଳ, ଏସପି ଙ୍କ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ମଧ୍ୟ ବହୁତ୍ ଦୂରରେ। କୋର୍ଟ ଦୂରରେ ହେଲେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯିବା ପାଇଁ ଲୋକେ ବହୁତ୍ ଖର୍ଚ୍ଚାନ୍ତ ହେବେ। ଅନେକ ଗରିବ ଲୋକ କୋର୍ଟ ଆସୁଛନ୍ତି। ସେମାନେ ବହୁତ୍ ଆର୍ଥିକ ସମସ୍ୟା ଭୋଗିବେ। ସେହିପରି ଏବେ ଥିବା କୋର୍ଟ ପରିସର ଅଞ୍ଚଳ ରେ ଯଥେଷ୍ଟ ସ୍ଥାନ ରହିଛି। ଏଣୁ ଲୋକ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖାଯାଇ କୋର୍ଟ କୁ ସ୍ଥାନାନ୍ତର କରାନଯାଇ ଏବେ ଥିବା ସ୍ଥାନରେ ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ ହେଉ। ଏହି ଦାବି ସରକାର ନମାନିଲେ ଆଗାମୀ ଦିନରେ ପୁରୀ ଓକିଲ ସଂଘ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରାଯିବ।

Leave a Reply

Your email address will not be published. Required fields are marked *