ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ବହିକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ ଜିଲାପାଳ
ଚଳିତ ବର୍ଷ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ବହି ପ୍ରକାଶିତ ହୋଇଥିବାରୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସଚେତନତା ର ବାର୍ତ୍ତା ଦେଇଛନ୍ତି କନ୍ଧମାଳ ଜିଲାପାଳ ବେଦଭୂଷଣ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଦିନ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ଏକାଦଶ ଶ୍ରେଣୀ ଓଡ଼ିଆ ବିଜ୍ଞାନ ବହି ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟ ବୋଲି ମତ ରଖିଛନ୍ତି ଜିଲାପାଳ। ପ୍ରଥମ ଶ୍ରେଣୀରୁ ମାଟ୍ରିକ ପର୍ଯ୍ୟନ୍ତ ମାତୃଭାଷାରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବେ ଏବଂ ଓଡ଼ିଆ ଭାଷାରେ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ଦେବେ।ଯାହା ସେମାନଙ୍କ ପାଇଁ ସହଜ ଓ ବୋଧଗମ୍ୟ ହେବା ସହ
ରୋଜଗାରର ମାଧ୍ୟମ ହେବ ବୋଲି ଜିଲାପାଳ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ଇଂରାଜୀ ଭାଷାରେ ଦୁର୍ବଳ ଛାତ୍ରଛାତ୍ରୀମାନେ ବିଜ୍ଞାନ ବଦଳରେ କଳା, ବାଣିଜ୍ୟ, ଆଇଟିଆଇ ଇତ୍ୟାଦି ଅନ୍ୟ ପାଠ ପଢୁଥିଲେ। ଯୁକ୍ତ ଦୁଇ ବିଜ୍ଞାନ ବୈଷୟିକ ଶିକ୍ଷାର ମୂଳଦୂଆ ହେଇଥିବାରୁ, ଚଳିତ ଶିକ୍ଷା ବର୍ଷରୁ ବହୁ ଛାତ୍ର ଛାତ୍ରୀ ସାମସ ମାଧ୍ୟମରେ ବିଜ୍ଞାନରେ ନାମ ଲେଖାକୁ ଅଗ୍ରାଧିକାର ଦେବେ। ଯାହା ଫଳରେ କନ୍ଧମାଳ ଜିଲ୍ଲାରେ ଖାଲି ପଡୁଥିବା ଅଧା ବିଜ୍ଞାନ ବିଭାଗ ସିଟ ପୂରଣ ହୋଇପାରିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ପ୍ରୟାସରେ ଏହି ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ଜିଲାକୁ ପଠାଯାଇଛି। ଆଗାମୀ ଦିନରେ ସବୁ ପ୍ରବେଶିକା ପରୀକ୍ଷା ଓଡ଼ିଆ ଭାଷାରେ ହେବ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେଇ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପଢିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶମ୍ଭୁନାଥ ନନ୍ଦୀ, ପ୍ରୋବେସନର ଆଇଏଏସ ୟଶକିରଣ ସିଙ୍କ ସହ ଉପଜିଲ୍ଲାପାଳ ଭିକାରୀ ସାହୁ,ଜିଲା ଶିକ୍ଷାଧିକାରୀ ରାଜେଶ ସ୍ଵାଇଁ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଓଡ଼ିଆ ସାଥି ଜିଲା ପ୍ରମୁଖ ଅଶୋକ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
