ଓଡ଼ିଆ ସାହିତ୍ୟ,କଳା,ସଂସ୍କୃତି ଓ ସେବା ପୂଜାରିଣୀ : ନୃତ୍ୟଶିଳ୍ପୀ ସୁଶ୍ରୀ ଅର୍ଚ୍ଚନା ମୁଦୁଲି

ମଣିଷ ନିଜର ମହତ୍ କର୍ମ,ଆଦର୍ଶ ବିଚାର ଧାରା, ଉନ୍ନତ ଚିନ୍ତା ଚେତନା ନେଇ ମହାନ୍ ହୋଇ ଉଠେ ଆଉ ସମାଜ ପାଇଁ ଉଦାହରଣ ପାଲଟି ଯାଏ । ଉତ୍କୃଷ୍ଟ କାଳର ଦେଶ ଆମ ବିଶାଳ ଉତ୍କଳ ଭୂଖଣ୍ଡ । ଯାହାର ବିଶେଷତ୍ଵ ହେଉଛି ଭାଇଚାରା,ଅନନ୍ୟ ଆଦର୍ଶ,ତ୍ୟାଗ, ସାଧନା,ସେବା ଆଦି ଅନେକ ଅତି ମାନବୀୟ ମହତ୍ ଗୁଣ । କଳା ଓ ସେବା ପାଇଁ ଆବଶ୍ୟକ ଉପଯୁକ୍ତ ପରିବେଶ,ଉପଯୁକ୍ତ ସ୍ରଷ୍ଟା ବା ମାର୍ଗ ଆବଶ୍ୟକ । ସେହିଭଳି ଜଣେ ଅନନ୍ୟ ପ୍ରତିଭା ସଂପନ୍ନ ଓଡିଶୀ ନୃତ୍ୟଶିଳ୍ପୀ,ମିଷ୍ଟଭାଷୀ,ମେଧା ପ୍ରତିଭା,କଳାର ପୂଜାରିଣୀ ତଥା ଯୁବ ସମାଜସେବୀ ହେଉଛନ୍ତି ସୁଶ୍ରୀ ଅର୍ଚ୍ଚନା ମୁଦୁଲି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଉପକଣ୍ଠ ବେଣ୍ଟପୁର ଗ୍ରାମରେ ୨୦୦୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ।
ପିତାଙ୍କ ନାମ ବିଶିଷ୍ଟ ସାମ୍ୱାଦିକ ତଥା ସଂପାଦକ ଅର୍ଜ୍ଜୁନ ମୁଦୁଲି ଓ ମାତାଙ୍କ ନାମ ସସ୍ମିତା ମୁଦୁଲି । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସହିଦନଗରରୁ ମାଟ୍ରିକ,ରମାଦେବୀ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଅଧୁନା ମହର୍ଷି ମହିଳା ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ ଅଟନ୍ତି । ତାଂକ ନିଶା ସାହିତ୍ୟ ସାଧନା,ସମାଜସେବା ଓ ଓଡ଼ିଶୀ ନୃତ୍ୟ । ଦୃଢ଼ ଏକ ନିଷ୍ଠ ସାଧନା ପାଇଁ ଏକ ସଂଘର୍ଷ ଯାହାର ଫଳ ହେଉଛି ଅମୃତ ସ୍ୱରୂପ ସେ ସବୁ କ୍ଷେତ୍ରରେ ନିଜର ସାଧନା ଜାରି ରଖି ଆଜି ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜ ଭିତରେ ଥିବା ଉଚ୍ଚକାଂକ୍ଷା ଏବଂ କିଛି କରିବାର ଆଶା ତାଙ୍କ ମଧ୍ୟରେ ଅହରହ ବିପ୍ଳବ କରନ୍ତି । ଯାହାର ଫଳ ସ୍ୱରୂପ ସେ ସାରସ୍ଵତ ସାଧନା କ୍ଷେତ୍ରରେ ଲେଖନୀ ଚାଳନା କରି ସୃଷ୍ଟି ସାହିତ୍ୟ ଦିଗରେ ମଧ୍ୟ କିଛିଟା ସଫଳତା ଅର୍ଜନ କରିଛନ୍ତି । ସେବା ଦିଗରେ ମଧ୍ୟ ସିଦ୍ଧହସ୍ତା ଫଳରେ ସଫଳତା ସିଢିର ଅନେକ ପାହାଚ ଚଢ଼ି ସାଉଁଟନ୍ତି ଅନେକ ସମ୍ବର୍ଦ୍ଧନା,ଶ୍ରଦ୍ଧା ଓ ସମ୍ମାନ । ସମାଜରେ ସଂସ୍କାର ଆଣିବା ଦିଗରେ ତାଙ୍କ ସଦା ସର୍ବଦା ବଳିଷ୍ଠ ଲେଖନୀ ଚାଳନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ବିଦ୍ୟାର୍ଥୀ ଜୀବନରୁ ଏହି ସାଧନା ଆରଂଭ ହୋଇ ଚାଲିଛି ଅବିରାମ ଗତିରେ । ସମାଜ ସେବା, ବୃକ୍ଷରୋପଣ କରିବା,ଜନ ଜାଗରଣ ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦେଇ ଯୁବ ସମାଜ ପାଇଁ ଅନେକ ଶୁଭଙ୍କର ବାର୍ତ୍ତା ଆଣିବା ସହ ସେ ପାଲଟିଛନ୍ତି ସମସ୍ତଙ୍କ ପାଇଁ ଏକ ଉଦାହରଣ ବା ପ୍ରେରଣାଦାୟୀ ପ୍ରତିଭା । ଭାରତୀୟ ରେଡ଼କ୍ରସ ସୋସାଇଟି,ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ (ୟୁଥ୍ ରେଡ୍କ୍ରସ) ତାଂକୁ ବେଷ୍ଟ୍ ୱାଇ.ଆର.ସି ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଆଓ୍ବାର୍ଡ ୨୦୨୩ – ୨୪ ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭପତିଙ୍କ ଠାରୁ ଗ୍ରହଣ କରି ରାଜ୍ୟ ପାଇଁ ସେବା ଦିଗରେ ଗୌରବର ପରିଭାଷା । ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟ ଭୁବନେଶ୍ଵର ଅଧ୍ୟକ୍ଷା ଡଃ.ସୁଶ୍ରୀରେଖା ମହାନ୍ତି ଓ ଓ୍ବାଇ.ଆର.ସି କାଉନସିଲର ପ୍ରଜ୍ଞା ମହାନ୍ତିଙ୍କ ତତ୍ବାବଧାନରେ ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗ୍ରହ ଓ ନିଷ୍ଠା ସହ ତୁଲାଇଥାନ୍ତି ଏଥିସହ ତାଙ୍କର ନେତୃତ୍ବ ନେବାର କଳା ତାଙ୍କୁ ଖୁବ୍ ପ୍ରତିଷ୍ଠା ଦେଇଛି । ସୁଶ୍ରୀ ଅର୍ଚ୍ଚନା ମଧ୍ଯ ଜଣେ ଆଗ ଧାଡ଼ିର ଓଡ଼ିଶୀ ନୃତ୍ୟଶିଳ୍ପୀ । ଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ତତ୍ବାବଧାନରେ ଦିର୍ଘ ୧୫ ବର୍ଷ ହେବ ଓଡ଼ିଶୀ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଶଣ କରି ଆସୁଛନ୍ତି । ସମ୍ବର୍ଧନା ବା ପୁରସ୍କାର ସମ୍ପର୍କରେ ସେ କୁହନ୍ତି ଏହି ସମ୍ମାନ ଆଉ ମାନପତ୍ର ଆଗାମୀ ଦିନରେ ଉତ୍ସାହ ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ । ତୁଳସୀ ଦୁଇ ପତ୍ରରୁ ବାସିଲାପରି ଖୁବ୍ କମ୍ ବୟସରୁ ସେ ବିଭିନ୍ନ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରି ନିଜର ଅନ୍ତର୍ନିହିତ ଗୁଣାବଳୀର ପୂର୍ଣ୍ଣ ବିକାଶ ଦିଗରେ ଦୃଢ଼ ନିଷ୍ଟା ଓ ଇଛା ପ୍ରକଟ କରିଛନ୍ତି ବିଶେଷ କରି ନୃତ୍ୟ ଦିଗରେ ଅଧିକ ଉତ୍ସାହ ତାଙ୍କର ଦେଖିବାକୁ ମିଳିଥିବା ପରିବାର ଲୋକ କୁହନ୍ତି । ତାଙ୍କ ଅନନ୍ୟ ସଫଳ କୃତିତ୍ଵର ସ୍ୱୀକୃତି ସ୍ୱରୂପ ସେ ରାଜ୍ୟର ଅନେକ ସଙ୍ଗଠନ ପକ୍ଷରୁ ସମ୍ମାନୀତ,ଜାତୀୟ ସ୍ତରୀୟ ସମ୍ବର୍ଧନା ମଧ୍ୟ ଲାଭ କରିଛନ୍ତି ଏବଂ ଜାତି ପାଇଁ ଗର୍ବ ଗୌରବ ଆଣି ପାରିଛନ୍ତି । ବିଭିନ୍ନ ସଭା ସମିତି ତଥା ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା,ଆଲୋଚନା ଚକ୍ର ବା ତର୍କ ଆଦିରେରେ ତାଙ୍କ ଓଜସ୍ଵନି ବକ୍ତୃତା ଖୁବ୍ ପ୍ରେରଣାଦାୟୀ ଓ ତାଙ୍କ ମହତ ଲେଖନୀ ସୁଦୂରପ୍ରସାରୀ । ଓଡ଼ିଶୀ ନୃତ୍ୟ କଳାର ସଫଳ ପ୍ରଦର୍ଶନ କରି ଏବଂ ବହୁ ସମ୍ମାନ ଲାଭ କରିଛନ୍ତି । ଏତେ କମ ବୟସରୁ ତାଙ୍କ ବହୁମୁଖୀ ପ୍ରତିଭାକୁ ଶ୍ରଦ୍ଧା ପୂର୍ବକ ସମ୍ମତି ପ୍ରଦାନ କରି ତାଙ୍କ ପିତା, ମାତା,ସମ୍ପର୍କୀୟ,ମହାବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଗର୍ବିତ ଏବଂ ସବୁ କ୍ଷେତ୍ରରେ ତାଂକୁ ଖୁବ୍ ପ୍ରେରଣା,ଉତ୍ସାହ ଯୋଗାଇ ଚାଲିଛନ୍ତି । ଏହି ଆଦର୍ଶ ମେଧା ପ୍ରତିଭା,କଳାର ଅନନ୍ୟ ଉପାସିକାଙ୍କ ସାରସ୍ଵତ ସାଧନା ସଫଳ ହେଉ, କଳା,ସାହିତ୍ୟ ଓ ସମାଜ ସେବା ଦିଗରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଏତିକି ପାର୍ଥନା ।