February 5, 2026
Home » କଞ୍ଜରଭେନ୍ସି ଲେନ୍ସ ଉପରେ ବିଏମ୍ ସିର ତୀକ୍ଷ୍ଣ ନଜର

କଞ୍ଜରଭେନ୍ସି ଲେନ୍ସ ଉପରେ ବିଏମ୍ ସିର ତୀକ୍ଷ୍ଣ ନଜର

0
WhatsApp Image 2026-02-04 at 9.44.19 PM
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ବିଭିନ୍ନ ଆବାସିକ ଅଂଚଳ, ବ୍ୟବସାୟିକ ଅଂଚଳ ଏବଂ ସର୍ବସାଧାରଣ ଅଂଚଳରେ ଥିବା କଞ୍ଜରଭେନ୍ସି ଲେନ୍ସ ସହ ସହର ବିଭିନ୍ନ ଅଂଚଳରେ ଥିବା ଛୋଟ ଛୋଟ ଗଳି କନ୍ଦି(ନ୍ୟାରୋ ଲେନ୍ସ)ଏବଂ ପଛ ପାର୍ଶ୍ୱ ଗଳି (ବ୍ୟାକ୍ ଲେନ୍ସ)ଗୁଡିକ ସଫା କରିବା ପାଇଁ ଅଭିଯାନ ଜାରି ରହିଛି । ସହରର ସମସ୍ତ ଗଳିକନ୍ଦି ଏବଂ ଘରର ପଛପାର୍ଶ୍ୱ ଗଳିଗୁଡିକୁ ସଫା କରିବା ଉପରେ ଗୁରୁତ୍ୱାରୋପ କରିଛି ବିଏମ୍ ସି । କଂଜରଭେନ୍ସି ଲେନ୍ସକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ପରିମଳ ଉପବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏହି ସବୁ ଗଳିକନ୍ଦିଗୁଡିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହ ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସୁପଭାଇଜର, ଏଜେନ୍ସିମାନଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି ପରିମଳ ଉପାୟୁକ୍ତ । ସେଗୁଡିକୁ ବର୍ଜ୍ୟ ମୁକ୍ତ ଅଂଚଳ ଭାବେ ଘୋଷଣା କରିବା ସହ ସେଠାରେ ଯେପରି ପାଣି ଜମା ହୋଇ ନରୁହେ, ଡ୍ରେନ ଚୋକ୍ କିମ୍ବା ଓଭର ଫ୍ଲୋ ନ ହୁଏ, ଅନାବନା ଗଛ ବା ଘାସ ପରିଷ୍କାର କରିବା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । କଞ୍ଜରଭେନ୍ସି ଲେନ୍ସଗୁଡିକ ଯେପରି ସଂପୂର୍ଣ୍ଣ ସ୍ୱଚ୍ଛ ରହିବା ସହ କୌଣସି ସ୍ଥାନରେ ବର୍ଜ୍ୟ ଜମା ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । କେବଳ ସେତିକି ନୁହେଁ, କୌଣସି ବ୍ୟକ୍ତି ଯେପରି ଅଳିଆକୁ କୌଣସି ପରିସ୍ଥିତିରେ ନ ପୋଡନ୍ତି ସେଥିପ୍ରତି ମଧ୍ୟ ସଜାଗ ରହିବା ଦରକାର । ବ୍ୟାକ୍ ଲେନଗୁଡିକୁ ସଂପୂର୍ଣ୍ଣଭାବେ ଜବରଦଖଲମୁକ୍ତ କରିବା ଏବଂ ସେଠାରେ ଯେପରି କେହି ପରିଶ୍ରା ନକରନ୍ତି, ସେଥି ପ୍ରତି ମଧ୍ୟ ଜନ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସହରର ପ୍ରାୟ ଅଧିକାଂଶ କଂଜରଭେନ୍ସି ଲେନ୍ସ ପେଭର ବ୍ଲକ ପଡି ସାରିଛି । ସଂପ୍ରତି ବସନ୍ତ ଋତୁ ଆଗମନ ପୂର୍ବରୁ ଲୋକଙ୍କ ଘରେ ରହିଥିବା ଗଛରୁ ପତ୍ର ଝଡି ପଡିବାର ସମ୍ଭାବନା ରହିଛି । ତେଣୁ ଦୈନିକ ଏହି କଂଜଭେନ୍ସି ଲେନ୍ସକୁ ସଫା କରିବା ପାଇଁ ଏଜେନ୍ସିମାନଙ୍କୁ ନିର୍ଦେଶ ଦିଆଯାଇଛି । ଆବାସିକ ଅଂଚଳ ବା ବ୍ୟବସାୟିକ ଅଂଚଳରେ ଥିବା କଂଜରଭେନ୍ସି ଲେନ୍ସ ପାର୍ଶ୍ୱବର୍ତ୍ତୀ ଅଂଚଳର ବାସିନ୍ଦାଙ୍କୁ ବର୍ଜ୍ୟ ନ ପକାଇବା ପାଇଁ ମଧ୍ୟ ସେଚେତନ କରାଯାଉଛି । ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଏବେ ସମୁଦାୟ 482 ଟି କଂଜରଭେନ୍ସି ଲେନ୍ ରହିଛି ।   ଅନ୍ୟପକ୍ଷରେ ନିଜ ଘର ଏବଂ ଘରର ଚତୁଃପାର୍ଶ୍ୱ ପରିଷ୍କାର ରଖିବା ପାଇଁ ଭୁବନେଶ୍ୱରବାସିଙ୍କୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା । ସହରର ପ୍ରମୁଖ ରାସ୍ତାଠାରୁ ଆରମ୍ଭ କରି ସାହି, ବସ୍ତି ଆଦି ଅଂଚଳରେ ଥିବା ଛୋଟ ଗଳିକନ୍ଦିକୁ ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଭୁବନେଶ୍ୱର ମହାନଗର ନିଗମକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ନାଗରିକ ଏଥିପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ମେୟର ଓ କମିଶନର ।

Leave a Reply

Your email address will not be published. Required fields are marked *