October 23, 2025
Home » କଟକ ଜିଲ୍ଲାସ୍ତରୀୟ ୧୫୬ତମ ଗାନ୍ଧି ଜୟନ୍ତୀ ସମାରୋହ ଅନୁଷ୍ଠିତ

କଟକ ଜିଲ୍ଲାସ୍ତରୀୟ ୧୫୬ତମ ଗାନ୍ଧି ଜୟନ୍ତୀ ସମାରୋହ ଅନୁଷ୍ଠିତ

0
WhatsApp Image 2025-10-03 at 10.30.13 AM

ଗାନ୍ଧିଜୀଙ୍କ ସ୍ୱଦେଶୀ ଆହ୍ବାନର ପ୍ରାସଙ୍ଗିକତା ଏବେ ବୃଦ୍ଧି ପାଇବାରେ ଲାଗିଛି: ଜିଲ୍ଲାପାଳ
କଟକ:  ଐତିହାସିକ ଗାନ୍ଧି ସ୍ମୃତି ପୀଠ, ତେଲେଙ୍ଗାପେଣ୍ଠଠାରେ ଆଜି ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ୱାରା କଟକ ଜିଲ୍ଲାସ୍ତରୀୟ ୧୫୬ତମ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

 

ସତ୍ୟ, ଅହିଂସା, ଧୈର୍ଯ୍ୟ ଓ ସତ୍ ମାର୍ଗ ଅବଲମ୍ବନ କରି ଗାନ୍ଧିଜୀ ଭାରତର ସ୍ବାଧିନତା ହାସଲ କରିଥିଲେ । ଗାନ୍ଧୀ  ଜୟନ୍ତୀ କେବଳ ଏକ ସ୍ମୃତିଚାରଣର ଦିବସ ନୁହେଁ, ଏହା ହେଉଛି ଗାନ୍ଧୀଜୀଙ୍କ ମୂଲ୍ୟବୋଧ — ଅହିଂସା, ସତ୍ୟ, ସ୍ଵଚ୍ଛତା ଓ ସେବା ପ୍ରତି ଆମ ଦୃଢ଼ ପ୍ରତିବଦ୍ଧତାର ପ୍ରତିକ। ଗାନ୍ଧିବାଦକୁ ନିଜ ଜୀବନରେ ଆପଣେଇବା, ପରିବେଶ ସୁରକ୍ଷିତ ରଖିବା, ସ୍ୱଚ୍ଛତାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଆଦି ଉପରେ ଗୁରୁତ୍ବଆରୋପ କରିବା ସହ ମହାତ୍ମାଗାନ୍ଧିଙ୍କ ଆଦର୍ଶକୁ ଆମେ ନିଜ ଜୀବନରେ ପାଳନ କରି ଦେଶର ପ୍ରଗତି ପଥରେ ସହାଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଆହ୍ୱାନ ଦେଇଥିଲେ। ଏଥିସହ ଗାନ୍ଧିଜୀଙ୍କ ସ୍ୱଦେଶୀ ଆହ୍ବାନର ପ୍ରାସଙ୍ଗିକତା ଏବେ ବୃଦ୍ଧି ପାଇବାରେ ଲାଗୁଥିବା ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା ।  ଶ୍ରୀ ଶୁକଦେବ ସ୍ୱାଇଁ ଗୀତା ପାଠ କରିଥିବାବେଳେ ଶ୍ରୀ ସନ୍ଦୀପ ନାୟକ ବାଇବେଲ ଏବଂ ତାଜ ଉଦ୍ଦିନ ଖାନ କୋରାନ ପାଠ କରିଥିଲେ ।

ଉକ୍ତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତେଲେଙ୍ଗାପେଣ୍ଠଠାରେ  ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ଏହି ଜୟନ୍ତୀ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଭାବାନୀ ଶଙ୍କର ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କଟକ ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସ୍ଵାଧୀନ ଚନ୍ଦ୍ର ମହାନ୍ତି ଯୋଗଦେଇ ଗାନ୍ଧୀସ୍ମୃତି ପୀଠର ମାହାତ୍ମ୍ୟ, ଗୁରୁତ୍ଵ ତଥା ଉନ୍ନତିକରଣ ଉପରେ ବକ୍ତବ୍ୟ ରଖିଥିଲେ।କଟକ ମହାନଗର ନିଗମ ୫୯ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ମମତା ମହାନ୍ତି, କଟକ ମହାନଗର ନିଗମ ସହକାରୀ ଆୟୁକ୍ତ ଶ୍ରୀ ତ୍ରିନାଥ ବେହେରା, ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ଶ୍ରୀ ନିହାର ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କଟକ ମହାନଗର ନିଗମ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *