କଟକରେ ହୋଇଥିବା ହିଂସା ପାଇଁ ହେବ ପ୍ରାୟଶ୍ଚିତ ଓ ସଂକଳ୍ପ ସତ୍ୟାଗ୍ରହ
କଟକ: କଟକରେ ଅନୁଷ୍ଠିତ ହୋଇଥିବା ସାମ୍ପ୍ରଦାୟିକ ବିଦ୍ବେଷକୁ ରୋକି ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ କଟକ ଶାନ୍ତି ସଦଭାବନା ସମିତିର ଜରୁରୀ ବୈଠକ ଗାନ୍ଧୀଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି . ସମିତିର ସଭାପତି ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସହରରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ଓ ଭାଷାଭାଷୀର ଲୋକେ ଉପସ୍ଥିତ ରହି ଘଟିଯାଇଥିବା ହିଂସାକୁ ନିନ୍ଦା କରିବା ସହ ତୁରନ୍ତ କଟକର ପୂର୍ବ ଗୌରବ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଛି . କେତେକ ଅମାନିଆ ଯୁବକ ସହରର ହଜାର ବର୍ଷର ସମ୍ମାନକୁ ନଷ୍ଟ କରିବାକୁ ଯେଭଳି କାର୍ଯ୍ୟ କଲେ, ତାହାକୁ ଭରଣା କରିବା, ଭାଇଚାରା ଫେରାଇ ଆଣିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମମାନ କରିବା ନିଷ୍ପତ୍ତି ହୋଇଛି . ଜିଲ୍ଲା ପ୍ରଶାସନର ସହଯୋଗରେ ସମସ୍ତ କାର୍ଯ୍ୟ କରାଯିବା ସମିତି ସ୍ଥିର କରିଛି .ସାମାଜିକ ଗଣମାଧ୍ୟମରେ ଚାଲିଥିବା ବିଦ୍ବେଷର ପ୍ରସାରକୁ ପ୍ରଶାସନ ତୁରନ୍ତ ରୋକିବା ଦିଗରେ କାର୍ଯ୍ୟ କରିବାକୁ ନିବେଦନ କରାହୋଇଛି .ଏହି ହିଂସାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି, ସେମାନଙ୍କୁ ପ୍ରଶାସନ କ୍ଷତିପୂରଣ ଦେଉ ବୋଲି ଦାବୀ ହୋଇଛି . ଏଥିସହ ଶାନ୍ତି ସଦଭାବନା ସମିତି ମଧ୍ୟ ସହାୟତାର ହାତ ବଢାଇବ ବୋଲି ସ୍ଥିର ହୋଇଛି . ପୋଲିସ ପ୍ରଶାସନର ଯେଉଁମାନେ ହିଂସାର ଶୀକାର ହୋଇଛନ୍ତି ତଥା ସାଧାରଣ ଲୋକେ ଆହତ ହୋଇଛନ୍ତି, ସେଥିପାଇଁ ସମିତି ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାହୋଇଛି .ଶାନ୍ତି ସଦଭାବନା ସମିତି ପକ୍ଷରୁ ଗାନ୍ଧୀ ମୂର୍ତ୍ତି ନିକଟରେ ଆଠ ଘଣ୍ଟିଆ ପ୍ରାୟଶ୍ଚିତ ଓ ସଂକଳ୍ପ ସତ୍ୟାଗ୍ରହ କରାଯିବ , ଭାଇଚାରା ପ୍ରତିଷ୍ଠା ଦିଗରେ ସହରର ବିଭିନ୍ନ ସ୍ଥାନରେ ସର୍ବ ଧର୍ମ ପ୍ରାର୍ଥନା ସଭା ଆୟୋଜିତ କରାଯିବା ସହ ସାମ୍ପ୍ରଦାୟିକ ଏକତା ମୂଳକ ପଥପ୍ରାନ୍ତ ନାଟକ କରାଯିବ . ଉଭୟ ସମ୍ପ୍ରଦାୟର ଯୁବକଙ୍କୁ ନେଇ ଦିନିକିଆ ଯୁବ ଶିବିରମାନ ଆୟୋଜିତ କରାଯିବ . ପ୍ରଶାସନ ସହ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରାଯିବ ବୋଲି ସଭାରେ ସ୍ଥିର ହୋଇଛି . ଏହି ସଭାରେ ଡ ସତ୍ୟ ରାୟ, ଡା ନିବେଦିତା ଦାସ, ବିଜୟ ପଢ଼ିଆରୀ,ସୟଦ ଇକରାମ ହୁସେନ,ଶଶି ଭୂଷଣ ଦାସ, ଅଗସ୍ତି କାନୁନଗୋ, ଅଶୋକ ତାହା, କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଅରବିନ୍ଦ ରାଉତରାୟ, ରବି ନାରାୟଣ ମଲ୍ଲିକ, ଦୀପାୟନ ପଟ୍ଟନାୟକ, ଲିୟାକତ ଅଲ୍ଲୀ ଅହମ୍ମଦ, ବସନ୍ତ କୁମାର ସାହୁ, ବଦ୍ରି ନାରାୟଣ ଦାଶ, ପ୍ରଦୀପ କୁମାର ସିହ୍ନା, ମହମ୍ମଦ ସବୀର, ସୁଶାନ୍ତ ମହାପାତ୍ର, ପ୍ରଭାତ କୁମାର ଜେଠୀ, ମହମ୍ମଦ ଶକୀଲ, ସୟଦ ଏକାମୁଲ ହକ, ସୋମନାଥ ରାଉତ, କବୀର କୁମାର ଜେନା, ସରୋଜ ରଞ୍ଜନ ସୁବୁଦ୍ଧି, ଭିକାରୀ ଚରଣ ଦାସ, ସେକ କମରୁଦ୍ଦିନ ଅହମ୍ମଦ, ଅଧ୍ୟାପକ ଓଁକାର ରାଉତ,ସେକ ମୁନ୍ତାକିମ ବକ୍ସ, ପ୍ରଫୁଲ୍ଲ କୁମାର ସାହୁ, ବିରଂଚି ନାୟକ, ମନମୋହନ ପତି,ତାପସ ମହାନ୍ତି, ଉସମାନ ଖାଁ, କ୍ଷୀରୋଦ ରାଉତ, ଖଗେଶ୍ୱର ସେଠୀ, ହରିହର ସେନ, କିଶୋର ଜେନା, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ବିଶ୍ୱାବସୁ ଦାସ, ସଞ୍ଜୟ କୁମାର ପରିଜା, ଅନିମା ରାୟ, ଦେବୀ ପ୍ରସାଦ ମହାପାତ୍ର, ମାଗୁଣି ନାୟକ,ଆଉସଫ ଅଲ୍ଲୀ, ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ . ଡାକ୍ତର ବିଶ୍ୱଜିତ ସଭା ସଂଚାଳନ କରିଥିଲେ .
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
