October 19, 2026
Home » କଳାହାଣ୍ଡିରେ ବିଶ୍ୱପ୍ରସିଦ୍ଧ ମାଆ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ଅନୁଷ୍ଠିତ

କଳାହାଣ୍ଡିରେ ବିଶ୍ୱପ୍ରସିଦ୍ଧ ମାଆ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ଅନୁଷ୍ଠିତ

0
WhatsApp Image 2026-10-19 at 12.38.12 PM

ମନ୍ଦିରରେ ଶୀଘ୍ର ପ୍ରବେଶକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ମାନସିକଧାରୀ ଶହ ଶହ ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ରାଜ ରାସ୍ତା….

କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ମାଁ ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା ଆଜି ଭୋର ସକାଳୁ ଆରମ୍ଭ ହୋଇଥିଲା। ଜେନାଖାଲରେ ଗୁପ୍ତ ରୀତିନୀତିରେ ପୁଜା ପରେ ଭୋର୍‌ ୫ଟାରେ ବାହାରିଥିଲା ମା’ଙ୍କ ଛତର।ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା ଓ କରାଯାଇଥିଲା। ଘଣ୍ଟ, କାହାଳୀ, ଘୁମୁରା ଏବଂ ବାଜା-ମହୁରୀ ଭଳି ପାରମ୍ପରିକ ଲୋକବାଦ୍ୟ ଏବଂ ପ୍ରାୟ ୩୫ଟି ସାଂସ୍କୃତିକ ଦଳଙ୍କ ପ୍ରଦର୍ଶନ ସହିତ ଏହି ବିଶ୍ୱାସର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନିରାପତ୍ତା ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଏବଂ ୯୫ ଜଣ ଅଧିକାରୀ ମୁତୟନ କରାଯିବା ସହ ଡ୍ରୋନ୍ କ୍ୟାମେରା ଜରିଆରେ ଆକାଶମାର୍ଗ ରୁ ନଜର ରଖା ଯାଇଥିଲା।

ତେବେ, ପ୍ରଶାସନିକ କାର୍ଯ୍ୟସୂଚୀ ଅନୁଯାୟୀ ମାଆଙ୍କ ଛତ୍ର ପୂର୍ବାହ୍ନ ୧୧:୩୦ ସୁଦ୍ଧା ମନ୍ଦିରକୁ ଫେରିବାର ଥିଲା। କିନ୍ତୁ ପ୍ରଶାସନର ତତ୍ପରତା ଯୋଗୁଁ ଆଶ୍ଚର୍ଯ୍ୟଜନକ ଭାବେ ଛତ୍ରଟି ସକାଳ ୭:୩୦ ସୁଦ୍ଧା ମନ୍ଦିର ପରିସରରେ ପ୍ରବେଶ କରିଥିଲା, ଯାହାକି ଗତ ବର୍ଷ ଗୁଡ଼ିକ ତୁଳନାରେ ବହୁତ ଶୀଘ୍ର ଥିଲା। ଶୋଭାଯାତ୍ରା ଏତେ ଶୀଘ୍ର ସମାପ୍ତ ହୋଇଯିବାରୁ ପାଖାପାଖି ଜିଲ୍ଲା ଏବଂ ଦୂରଦୂରାନ୍ତରୁ ଆସିଥିବା ଅନେକ ଭକ୍ତ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇଥିଲେ, ଯାହାକି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ମା ଙ୍କ ଛତର ଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥଲା।ଅଭିମୁଖେ ବାହାରିଥିବା ବେଳେ ଶ୍ରଦ୍ଧାଳୁମାନେ ରାସ୍ତାରେ ଦୁଇ ପାର୍ଶ୍ଵରେ ଠିଆ ହୋଇ ମାଆ ଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରିଥଲେ। ଭବାନୀପାଟଣା ସହରର ଯେଉଁ ରାସ୍ତାରେ ଛତର ଯାତ୍ରାର ଆୟୋଜନ କରାଯାଇଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଏହା ଜନସମୁଦ୍ର ପାଲଟିଥିଲା। ମାଆଙ୍କ ପାଇଁ ସହର ଭାବମୟ ହୋଇଯାଇ ଥିଲା ସାରା ସହର।
ସୁଚନା ଯୋଗ୍ୟ ଯେ,ମୂଳାଷ୍ଟମୀ ଦିନଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କର ଶାରଦୀୟ ପୂଜା ଅନୁଷ୍ଟିତ ହୋଇଥାଏ। ଅଷ୍ଟମୀ ଦିନ ମା’ଙ୍କ ନିକଟର ତନ୍ତ୍ର ଓ ବଳି ପୂଜା ପରେ ମନ୍ଦିରର ଗର୍ଭ ଗୃହରୁ ମା’ଙ୍କ ବିଜୟ ପ୍ରତିମା ଛତର କୁ ବାହକ ଧରି ନିଶାର୍ଦ୍ଧ ରାତିରେ ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲ କୁ ଯାଇଥାନ୍ତି । ସେଠାର ସନ୍ଧି ଏବଂ ଗୁପ୍ତ ତନ୍ତ୍ର ପୂଜା ପରେ ନବମୀ ତିଥିରେ ଜେନା ବାଦ୍ୟର ତାଳେ ତାଳେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରି ଥାଏ ।ଏହି ସମୟରେ ମାନସିକ ଧାରୀ ମାନଙ୍କ ଶହ ଶହ ପଶୁପକ୍ଷୀଙ୍କ ବଳିରେ ଏବର୍ଷ ପୁଣି ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ରାଜ ରାସ୍ତା।ମା’ଙ୍କ ଛତର ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଆଦ୍ୟ ସେବକ ତଥା କଳାହାଣ୍ଡି ମହାରାଜ ଶ୍ରୀ ଅନନ୍ତ ପ୍ରତାପ ଦେଓଙ୍କ ପୁଅ ଅଦ୍ୱୈତ କୁମାର ସିଂଦେଓ ମା’ଙ୍କୁ ପୂଜାର୍ଚ୍ଚନା କରି ମନ୍ଦିର ଗର୍ଭଗୃହକୁ ନେଇଥିଲେ ।ଆଜି ଏହି ପବିତ୍ର ଛତର ଯାତ୍ରା ର ଶେଷ ପର୍ଯ୍ୟାୟ ପବିତ୍ର ଛତର ମହାରାଜ ଙ୍କ ଦ୍ଵାରା ମନ୍ଦିର ମଧ୍ୟକୁ ପ୍ରବେଶ ପରେ ସମାପ୍ତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *