August 22, 2026
Home » କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୧୦ମ ସବ୍-ଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୧୦ମ ସବ୍-ଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍

0
WhatsApp Image 2026-01-14 at 2.29.37 PM

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ‘ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ ଆୟୋଜିତ ହେବାକୁ ଯାଉଛି। ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ରଗବୀ‌ ଇଣ୍ଡିଆ ସଭାପତି ଶ୍ରୀ ରାହୁଲ ବୋଷ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରତିଯୋଗିତାର ରୂପରେଖ ଓ ବୈଷୟିକ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ସାମ୍ବାଦିକ ସମ୍ମିଳନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆନୁଷ୍ଠାନିକ ଘୋଷଣା କରିବା ସହ କହିଥିଲେ ଯେ, ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ରେ ଦେଶର ୨୪ଟି ରାଜ୍ୟରୁ ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସ୍କ ଖେଳାଳି ଏବଂ ୧୩୦ରୁ ଅଧିକ ଅଫିସିଆଲ୍ସ ଓ ବୈଷୟିକ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରେ ସମୁଦାୟ ୬୮ଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏଥିରେ ଓଡ଼ିଶା ସମେତ ବିହାର, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଣିପୁର, ଆସାମ ଏବଂ ହରିୟାଣା ଭଳି ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦଳଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କ ପାଇଁ ରହିବା ଠାରୁ ଆରମ୍ଭ କରି ଉଚ୍ଚକୋଟୀର ଆତିଥେୟତା, ଶୃଙ୍ଖଳିତ ମ୍ୟାଚ୍ ପରିଚାଳନା ପାଇଁ ଅନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ାବିତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ କେବଳ ନିଜ ଖେଳ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ, ସେଥିପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ସାମଗ୍ରିକ ସହଭାଗିତା, ପ୍ରତିଭା ବିକାଶ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ପୁଞ୍ଜି ବିନିଯୋଗ କରି ଓଡ଼ିଶା ଆଜି ଭାରତର ରଗବୀ‌ ଇକୋସିଷ୍ଟମକୁ ସମର୍ଥନ କରୁଥିବା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି ବୋଲି କ୍ରୀଡ଼ା ନିର୍ଦ୍ଦେଶକ ଡା, ୟେଦୁଲା ବିଜୟ ପ୍ରକାଶ କରିଛନ୍ତି। ପରିଚାଳନାଗତ ଦିଗ ଉପରେ ଗୁରୁତ୍ୱଦେଇ ଡା. ୟେଦୁଲା ବିଜୟ କହିଛନ୍ତି ଯେ, “ଏହି ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭକୁ ସଫଳ କରିବା ପାଇଁ ଆମେ ସମସ୍ତ ବୈଷୟିକ ଏବଂ ପରିଚାଳନାଗତ ପ୍ରସ୍ତୁତି ଶେଷ କରିଛୁ। କଳିଙ୍ଗ ଷ୍ଟାଡିୟମରେ ଥିବା ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟରେ ଖେଳାଳିମାନଙ୍କ ପାଇଁ ଶୃଙ୍ଖଳିତ ମ୍ୟାଚ୍ ପରିଚାଳନା ଏବଂ ଉଚ୍ଚକୋଟୀର ଆତିଥେୟତା ବ୍ୟବସ୍ଥା କରାଯାଇଛି।” ଆଜିର ସାମ୍ବାଦିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ରଗବୀ‌ ଇଣ୍ଡିଆର ସଭାପତି ଶ୍ରୀ ରାହୁଲ ବୋଷ କହିଛନ୍ତି ଯେ, “ଭାରତୀୟ ରଗବୀ‌ର ବିକାଶ ଏବଂ ସଫଳତା ପଛରେ ଓଡ଼ିଶାର ଅବଦାନ ଅତୁଳନୀୟ। ଓଡ଼ିଶା ଆଜି ଦେଶର ରଗବୀ‌ ଇକୋସିଷ୍ଟମକୁ ସମର୍ଥନ କରୁଥିବା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ତୃଣମୂଳ ସ୍ତରର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଗଢ଼ିତୋଳିବାରେ ଓଡ଼ିଶା ଏକ ମଡେଲ୍ ସାଜିଛି। ଏହି ଚାମ୍ପିୟନସିପ୍ ମାଧ୍ୟମରେ ଆମେ ଆଗାମୀ ପିଢ଼ିର ଅନେକ ଦକ୍ଷ ଖେଳାଳିଙ୍କୁ ଦେଖିବାକୁ ପାଇବା ଏବଂ ଭବିଷ୍ୟତରେ ସେମାନେ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିବେ ବୋଲି ମୋର ଦୃଢ଼ ବିଶ୍ୱାସ।ଓଡ଼ିଶା ରଗବୀ‌ ଫୁଟବଲ ଆସୋସିଏସନର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓଡ଼ିଶାର ଖେଳାଳିମାନଙ୍କ ସଫଳତା ସମ୍ପର୍କରେ କହିଛନ୍ତି ଯେ, ଓଡ଼ିଶାର ରଗବୀ ଖେଳାଳିମାନେ ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।