May 31, 2026
Home » କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:ବଦଳିବ ପାଗ

କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:ବଦଳିବ ପାଗ

0
WhatsApp Image 2026-04-29 at 1.15.47 PM

 

ଭୁବନେଶ୍ୱର:ଗତ କିଛି ଦିନ ହେବ ରାଜ୍ୟରେ ଅସମ୍ଭାଳ ତାତି ହେଉଥିଲା। ପାରଦ ସବୁବେଳେ ଉପରମୁହାଁ ରହୁଥିଲା। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ହେଲେ ଏବେ ତାତିରେ ଲାଗିବ ବ୍ରେକ୍। ଆଜିଠୁ ବଦଳିବ ପାଗର ମିଜାଜ୍। ମେ ୬ ତାରିଖ ଯାଏ ରାଜ୍ୟରେ ତାତି କମିପାରେ। କାଳବୈଶାଖୀ ପ୍ରଭାବ ଯୋଗୁ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ତାତି କମ୍ ରହିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବୁଧବାରଠାରୁ ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ। ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବର୍ଷା ସମୟରେ ୫୦ରୁ ୬୦ କି.ମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦିଆଯାଇଛି।

ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ତେବେ କାଳବୈଶାଖୀ ପ୍ରଭାବ ରହିଲେ ମଧ୍ୟ ଅନୁଗୋଳ, କଳାହାଣ୍ଡି, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ସତର୍କତା ଜାରି କରାଯାଇଛି।

ମଙ୍ଗଳବାର ଝାରସୁଗୁଡ଼ାରେ ୪୫.୩ ଡିଗ୍ରୀ ତାତି ଅନୁଭୂତ ହୋଇଥିବାବେଳେ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା। ଚଳିତ ଗ୍ରୀଷ୍ମଋତୁରେ ଏହା ଥିଲା ରେକର୍ଡ ତାତି। ତାତିରେ ଏହା ଦେଶର ଦ୍ୱିତୀୟ ଉତ୍ତପ୍ତ ସ୍ଥାନ ପାଲଟିଥିଲ। ଏଠାରେ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଛି। ୪୫.୬ ଡିଗ୍ରୀ ତାପମାତ୍ରା ଯୋଗୁ ଉତ୍ତରପ୍ରଦେଶର ବାନ୍ଦା ଦେଶର ସବୁଠୁ ଉତ୍ତପ୍ତ ପାଲଟିଛି। ସମ୍ବଲପୁରରେ ୪୩.୫ଡିଗ୍ରୀ ଓ ଢେଙ୍କାନାଳରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *