କେନ୍ଦୁଝରରେ ଶତାୟୁ ଖଣିଶ୍ରମିକା ମଙ୍ଗୁଳି ଓରାମଙ୍କ ପରଲୋକ ଅଞ୍ଚଳରେ ଶୋକର ଛାୟା
।
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଅଧୀନସ୍ଥ କାଶୀଆ ଗାଁରେ ବସବାସ କରୁଥିବା ଶତାୟୁ ମହିଳା ତଥା ପୂର୍ବତନ ଖଣିଶ୍ରମିକା ମଙ୍ଗୁଳି ଓରାମଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ଅନୁମାନିତ ବୟସ ୧୨୦ ବର୍ଷ ଥିଲା। ତାଙ୍କ ପରଲୋକ ସହିତ ସମଗ୍ର କାଶୀଆ ଗାଁ ସହ ଭଦ୍ରାସାହି ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।ମଙ୍ଗୁଳି ଓରାମ ତାଙ୍କ ଜୀବନର ଅଧିକାଂଶ ସମୟ ଖଣି ଖାଦାନ କ୍ଷେତ୍ରରେ କଠିନ ଶ୍ରମ କରି କାଟିଥିଲେ। ସେ ସମୟରେ ଆଧୁନିକ ଯନ୍ତ୍ରପାତିର ଅଭାବ ଥିଲେ ମଧ୍ୟ, ଜୀବନକୁ ଝୁକିରେ ପକାଇ ସେ ହାତେ ହାତେ ଖଣି କାମ କରୁଥିଲେ। ମହିଳା ହୋଇ ଏପରି ଝୁମ୍ପକାରୀ ଓ କଷ୍ଟସାଧ୍ୟ କ୍ଷେତ୍ରରେ ଦୀର୍ଘ ସମୟ କାମ କରିବା ଘଟଣା ସେ ସମୟରେ ବିରଳ ଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରଳ ଜୀବନଶୈଳୀ, ଅପାର ପରିଶ୍ରମ ଓ ପ୍ରକୃତି ସହ ଗଭୀର ସମ୍ପର୍କ ତାଙ୍କ ଦୀର୍ଘାୟୁର ପ୍ରମୁଖ କାରଣ ଥିଲା। ଖଣି ଖାଦାନର କଠିନ ପରିସ୍ଥିତି ସତ୍ତ୍ୱେ ଦୀର୍ଘ ସମୟ ଯାଏଁ ସୁସ୍ଥ ଜୀବନ ଯାପନ କରିଥିବାରୁ ସେ ଅଞ୍ଚଳରେ ଏକ ଅସାଧାରଣ ମହିଳା ଭାବେ ପରିଚିତ ଥିଲେ।ମଙ୍ଗୁଳି ଓରାମଙ୍କ ପରଲୋକ ସହିତ ଏକ କଠିନ ସଂଘର୍ଷମୟ ଯୁଗର ସ୍ମୃତି ମଧ୍ୟ ଶେଷ ହୋଇଯାଇଛି। ଖଣିଶ୍ରମିକା ଭାବେ ତାଙ୍କ ଜୀବନ ଆଗାମୀ ପିଢ଼ି ପାଇଁ ସଦା ସ୍ମରଣୀୟ ହୋଇ ରହିବ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ।
