November 1, 2026
Home » କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

0
WhatsApp Image 2026-11-01 at 2.53.44 PM

ସାଧୁତା, ସ୍ୱଚ୍ଛତା ଓ ନୈତିକତା ଅବଲମ୍ବନ କରିବାକୁ ଆହ୍ୱାନ…

କେନ୍ଦ୍ରାପଡ଼ା:ଦୁର୍ନୀତିମୁକ୍ତ ସମାଜ ଗଠନ, ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତାର ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା।
ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ନିବାରଣ ଦିଗରେ ପ୍ରତ୍ୟେକଙ୍କ ନୈତିକ ଦାୟିତ୍ୱ ଓ ସାମୂହିକ ଭୂମିକା ଉପରେ ଆଲୋକପାତ କରିଥିଲେ। ସମାଜରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧର ମନୋଭାବକୁ ଦୃଢ଼ କରିବା ସହ ସରକାରୀ କାର୍ଯ୍ୟରେ ନିଷ୍ଠା ଓ ସାଧୁତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।
ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ନନ୍ଦ କିଶୋର ପରିଡ଼ା ଦୁର୍ନୀତିର ବିଭିନ୍ନ ଦିଗ, ଏହାର ସାମାଜିକ ଓ ଆର୍ଥିକ କୁପ୍ରଭାବ ଏବଂ ଏହାର ନିରାକରଣରେ ନାଗରିକ ସମାଜର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସାଧୁତା ଓ ନୈତିକତା କେବଳ ବ୍ୟକ୍ତିଗତ ଜୀବନରେ ନୁହେଁ, ବରଂ ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଓ ଦୁର୍ନୀତି ବିରୋଧୀ ମନୋଭାବ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ଭିଜିଲାନ୍ସ ଡିଏସପି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ ଦୁର୍ନୀତି ନିବାରଣ ଆଇନ, ଭିଜିଲାନ୍ସ ବିଭାଗର କାର୍ଯ୍ୟଧାରା ଏବଂ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଜଣାଇବାର ବିଭିନ୍ନ ମାଧ୍ୟମ ସମ୍ପର୍କରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନମିତା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ସାହୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଯାମିନୀ ମହାପାତ୍ର, ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସଭା ଶେଷରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚ୍ଚୋଟତା, ନୈତିକତା ଓ ଦୁର୍ନୀତି ବିରୋଧୀ ସଚେତନତାର ଭାବନାକୁ ଆହୁରି ଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା।
ଚଳିତ ବର୍ଷର ସଚେତନତା ସପ୍ତାହର ବିଷୟବସ୍ତୁ “ସାଧୁତାରୁ ସମୃଦ୍ଧି “(Probity for Prosperity) ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ, ଦାୟିତ୍ୱସମ୍ପନ୍ନ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ନିଜ ନିଜ ସ୍ତରରେ ସଚ୍ଚୋଟତା ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *