କେଭି-୧ ଭୁବନେଶ୍ୱରରେ ୬୦ କୁନି ଲେଖକଙ୍କ ପ୍ରଥମ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର,: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ–୧, ଭୁବନେଶ୍ୱରରେ ‘ପେନ୍ ଟୁ ପବ୍ଲିକେସନ୍ – ବୁକ୍ ଇନାଗୁରେସନ୍ ସେରିମୋନି’ ଶୀର୍ଷକ କାର୍ଯ୍ୟକ୍ରମ ‘କେଭି୧ବିବିଏସଆର ବୁକ୍ ଫେଷ୍ଟ–୨୦୨୬’ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚମରୁ ଦଶମ ଶ୍ରେଣୀର ୬୦ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପ୍ରଥମ ପ୍ରକାଶିତ ପୁସ୍ତକର ଉନ୍ମୋଚନ କରି ଏକ ବିରଳ ସଫଳତା ହାସଲ କରିଛନ୍ତି।ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳ୍ପନାଶକ୍ତି, ସୃଜନଶୀଳ ଚିନ୍ତାଧାରା ଓ ଲେଖନୀକୁ ପୁସ୍ତକ ଆକାରରେ ପ୍ରକାଶ କରିବାର ସୁଯୋଗ ପାଇଛନ୍ତି। ବିଦ୍ୟାଳୟ ପକ୍ଷରୁ ପାଠାଭ୍ୟାସ, ସୃଜନଶୀଳ ଲେଖନ ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମନେ କରାଯାଉଛି।


କାର୍ଯ୍ୟକ୍ରମରେ ବାଣୀଚିତ୍ର ପତ୍ରିକାର ସମ୍ପାଦକ ଶ୍ରୀ ଭାସ୍କର ଜେନା, ପଦାର୍ଥ ବିଜ୍ଞାନର ସହଯୋଗୀ ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ଡ଼. ଶକ୍ତି ପ୍ରସନ୍ନ ମହାନ୍ତି ଏବଂ “ଇଟିକିଲି ମିଟିକିଲି”ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଶରତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ପୁସ୍ତକଗୁଡ଼ିକର ଉନ୍ମୋଚନ କରିଥିଲେ। ସେମାନେ କୁନି ଲେଖକମାନଙ୍କ ସୃଜନଶୀଳତା ଓ ଅଧ୍ୟବସାୟର ପ୍ରଶଂସା କରିବା ସହ ଭବିଷ୍ୟତରେ ସାହିତ୍ୟ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।


ଅଳ୍ପ ବୟସରୁ ଛାତ୍ରଛାତ୍ରୀଙ୍କୁ ପ୍ରକାଶିତ ଲେଖକ ହେବାର ସୁଯୋଗ ଦେଇଥିବାରୁ ସେମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।ଏହି ଅବସରରେ ସମସ୍ତ କୁନି ଲେଖକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପୁସ୍ତକ ପାଇଁ ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଏହାସହ ଆନିମେଟେଡ୍ ଭିଡିଓ ଡିଜାଇନିଂ ଓ ଗ୍ରୀନ୍ ସ୍କ୍ରିନ୍ ଭିଡିଓ ଏଡିଟିଂ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଆଦିତ୍ୟ କୁମାର ପଣ୍ଡା କୁନି ଲେଖକମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରା, ଆତ୍ମବିଶ୍ୱାସ, ଯୋଗାଯୋଗ ଦକ୍ଷତା ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକ କୌଶଳ ବିକାଶରେ ସହାୟକ ହେଉଛି।


ସେ ଏହି ସଫଳତା ପାଇଁ ଅଭିଭାବକମାନଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଥିଲେ।ଡ଼. ରବୀନ୍ଦ୍ର କୁମାର ଦୁବେ, ଶ୍ରୀ କେ. ଏସ୍. ସଚିନ୍ଦ୍ରନ୍, ସୁଶ୍ରୀ ଶ୍ରାୟୋସୀ ଦେ, ଶ୍ରୀ ପି. ସି. ମହାନ୍ତ ଏବଂ ଶ୍ରୀମତୀ ରୀନା ପଣ୍ଡାଙ୍କ ତତ୍ତ୍ୱାବଧାନ ଓ ପ୍ରୟାସରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।’କେଭି୧ବିବିଏସଆର ବୁକ୍ ଫେଷ୍ଟ–୨୦୨୬’ ବିଦ୍ୟାଳୟ ସ୍ତରରେ କୁନି ଲେଖକ ସୃଷ୍ଟି ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସମନ୍ୱିତ ଶିକ୍ଷା, ସୃଜନଶୀଳତା ଓ ଅନୁଭୂତିଭିତ୍ତିକ ଶିକ୍ଷଣ ପ୍ରତି ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ–୧, ଭୁବନେଶ୍ୱରର ଅଙ୍ଗୀକାରକୁ ଏହି କାର୍ଯ୍ୟକ୍ରମ ପୁନର୍ବାର ପ୍ରତିଫଳିତ କରିଛି।
