କୋଶଳି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା କୁ ବିରୋଧ ନେଇ ପ୍ରତିବାଦ l
ସୁବର୍ଣ୍ଣପୁର –ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଜଣେ ଭାଷାବିଦ ଭାବରେ ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ କୋଶଳି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତାକୁ ବିରୋଧ କରି ଆସିଛନ୍ତି । ଏ କଥା ସେ ଭୁବନେଶ୍ୱର କେଦାରନାଥ ପ୍ରତିଷ୍ଠାନରେ ବ୍ୟବହାରିକ ଭାଷା ସଂପର୍କୀତ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଉଦ୍ଘାଟକ ଥିଲେ ଅବସରପ୍ରାପ୍ତ ଆଇ.ଏ.ଏସ ତଥା ପ୍ରାକ୍ତନ କୂଳପତି ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ତଥା ବର୍ତ୍ତମାନ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ମିଶ୍ର ଯାହାର ସଭାପତି ଅଛନ୍ତି ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା , ଉପସଭାପତି ଅଛନ୍ତି ପଦ୍ମଶ୍ରୀ ହଳଧର ନାଗ ଓ ସାଧାରଣ ସମ୍ପାଦକ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ସୁବର୍ଣ୍ଣପୁର ର ଗୋରେଖନାଥ ସାହୁ । ଉକ୍ତ ଆଲୋଚନା ଚକ୍ର ଉଦ୍ଘାଟନ କରି କୋଶଳି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା କଥା ପ୍ରଥମେ ଉଦ୍ଘାଟକ ନରେନ୍ଦ୍ର କୁମାର ମିଶ୍ର ଉତ୍ଥାପନ କରିଥିଲେ । ତାପରେ ମୁଖ୍ୟ ଅତିଥି ଦେବୀ ପ୍ରସନ୍ନ ପଟ୍ଟନାୟକ ଯେତେବେଳେ ତାଙ୍କ ପ୍ରସ୍ତାବର ବିରୋଧ କଲେ ସେତେବେଳେ ଶ୍ରୀ ସାହୁ କୋଶଳି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତାର ଆବଶ୍ୟକତା ଓ ଯଥାର୍ଥତା ସଂପର୍କରେ ଯେତେବେଳେ କହିଲେ ସେତେବେଳେ ଉପସ୍ଥିତ ଜନତା ଦଳମତ ନିର୍ବିଶେଷରେ ତାଙ୍କୁ ସମର୍ଥନ ଜଣାଇଲେ । ପରବର୍ତ୍ତୀ ସମୟରେ ଶ୍ରୀ ସାହୁ ଆଲୋଚନାକୁ ଡାକିବେ ବୋଲି କହି ଉଦ୍ଦେଶ୍ୟମୂଳକ ଭାବେ ଦେବୀ ବାବୁ ଆଉ ଶ୍ରୀ ସାହୁ ଙ୍କୁ ଡାକି ନ ଥିଲେ ।
କୋଶଳି / ସମ୍ବଲପୁରୀ ଭାଷା ସଂପର୍କରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମତାମତକୁ ବିରୋଧ କରି ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଭ୍ରମାତ୍ମକ ଏବଂ ଜନବିରୋଧୀ ମତ । ସେ ଭଲଭାବେ ଜାଣନ୍ତି ଯେ କେବଳ ସ୍ୱଭାବ କବି ଗଂଗାଧର ମେହେର ନୁହନ୍ତି ସନ୍ଥକବି ଭୀମଭୋଇଙ୍କ ଭଳି ଏ ଅଂଚଳର ଅନେକ କବି, ଲେଖକ ନିଜ ମାତୃଭାଷାକୁ ଜଳାଂଜଳି ଦେଇ ଓଡିଆରେ ଲେଖିବା ଆରମ୍ଭ କଲେ । କାରଣ ଓଡିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ଭାବେ ପ୍ରତିଷ୍ଠିତ କରିବା ପାଇଁ ସେତେବେଳେ ଦୁର୍ବାର ଭାଷା ଆନ୍ଦୋଳନ ତେଜି ଉଠିଥିଲା ଏବଂ ଏହା ଭାବିବା ସ୍ୱାଭାବିକ ଯେ ଇଂରାଜୀ ଓ ହିନ୍ଦି ଭାଷା ପଶ୍ଚିମ ଓଡିଶାବାସୀଙ୍କ ଉପରେ ବୋଝ ଭଳି ଲଦି ଦେବା ଅପେକ୍ଷା ସେମାନଙ୍କ ପାଇଁ ଓଡିଆ ଭାଷା ଶ୍ରେୟସ୍କର । ଅପର ପକ୍ଷରେ ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ଭଳି ଲୋକ ଉପରେ ପଡି ଚଂଚକତା କରି ଯେପରି ଭାବରେ ପଶ୍ଚିମ ଓଡିଶାବାସୀଙ୍କ ବ୍ୟବହାରିକ ଭାଷା ଓଡିଆ ଭାଷାର ଏକ ଉପଭାଷା ବୋଲି ଗ୍ରୀସନ ଭାଷା କମିଶନଙ୍କ ନିକଟରେ ଉପସ୍ଥାପିତ କଲେ ତାହା ଭାଷାବିତ ବୋଲାଉଥିବା ଡ. ଦେବୀ ପ୍ରସନ୍ନ ବାବୁଙ୍କୁ ଭଲ ଭାବେ ଜଣା । ଦେବୀ ପ୍ରସନ୍ନ ବାବୁ ବଙ୍ଗାଳି ମାନଙ୍କ ଚିତ୍କାର ଭୁଲିଯାଆନ୍ତୁ ନାହିଁ ଯେଉଁମାନେ କହୁଥିଲେ “ଉଡିଆ ଏକଟା ସ୍ୱତନ୍ତ୍ର ଭାଷା ନଏ ।” ଏବେ ଦେବୀ ବାବୁଙ୍କ ଭଳି ଅନ୍ୟ ଓଡିଆ ବୁଦ୍ଧିଜୀବୀ ଯଦି କହିବେ କୋଶଳି / ସମ୍ବଲପୁରୀ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ତେବେ ଜନେ ହସିବେ ଏହା ତହୁଁ ଫଳ ହେବ । କାରଣ କୋଶଳି / ସମ୍ବଲପୁରୀ ଏକ ସ୍ୱତନ୍ତ୍ର ଭାଷା ବୋଲି ଅନେକେ ପି.ଏଚ.ଡି ଡିଗ୍ରୀ ହାସଲ କରି ସାରିଲେଣି । ଏହା ଏକ ସ୍ୱତନ୍ତ୍ର ଭାଷା ବୋଲି ଏ କ୍ଷେତ୍ରରେ ପାଂଚଜଣ ପଦ୍ମଶ୍ରୀ ଉପାଧି ପାଇ ସାରିଲେଣି । ଅପର ପକ୍ଷରେ ଭାରତ ସରକାରଙ୍କ ଜନଗଣନା ସଂପର୍କୀତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ଅଛି , କୌଣସି ଏକ ମାତୃଭାଷାର ସ୍ୱତନ୍ତ୍ର ଲିପିଥିବା ଆବଶ୍ୟକ ନାହିଁ ଏବଂ କୌଣସି ଏକ ଭାଷାକୁ ଆଉ ଗୋଟିଏ ଭାଷାର ଉପଭାଷା କୁହାଯାଇ ପାରିବ ନାହିଁ ଏବଂ କୌଣସି ଏକ ଅଂଚଳରେ ଗୋଟିଏ ଭାଷାକୁ ମାତୃଭାଷାର ମାନ୍ୟତା ଦେବାପାଇଁ ଆନ୍ଦୋଳନ ହେଉଥିଲେ ଜନଗଣନାକାରୀ ସେହି ଭାଷାର ନାମ ଉଲ୍ଲେଖ କରିବାକୁ ବାଧ୍ୟ । ଏ ସବୁ କଥା ଦେବୀ ବାବୁ ବୋଧହୁଏ ଜାଣି ନାହାନ୍ତି । ତେଣୁ ସେ ଏଭଳି ଅନଭିଜ୍ଞ ମନ୍ତବ୍ୟ ଦେଉଛନ୍ତି । ପଶ୍ଚିମ ଓଡିଶାର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ କରା ନ ଯିବା ଦ୍ୱାରା ସେମାନଙ୍କର ବୌଦ୍ଧିକ ବିକାଶ ନ ହୋଇ କେତେ କ୍ଷତି ହେଉଛି ତାହା ଦେବୀବାବୁଙ୍କୁ ଭଲ ଭାବେ ଜଣା । ତଥାପି କୋଶଳି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତାକୁ ସେ ବିରୋଧ କରୁଛନ୍ତି ଏହା ପଛରେ ତାଙ୍କର ସୁବିଧାବାଦୀ ଔପନିବେଶିକ ମନୋବୃତ୍ତି ଜଳ ଜଳ ହୋଇ ଦେଖାଯାଉଛି ଯାହା ମୋଟେ ସ୍ପୃହଣୀୟ ନୁହେଁ । ଏହା ସମସ୍ତେ ଜାଣି ରଖିବା ଉଚିତ୍ । ତାଙ୍କର ଏତାଦୃଶ ମନ୍ତବ୍ୟ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି ବୋଲି ସେ କହିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
