କ୍ରିକେଟ ଖେଳାଳି ଚୟନରେ ଅନିୟମିତତା ଅଭିଯୋଗକାରୀ ଙ୍କ ବିରୋଧରେ ଥାନାରେ ମାମଲା
ପାରାଦୀପ – ଚଳିତ ବର୍ଷ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ୧୯ ବର୍ଷରୁ କମ ଓଡିଶା ଦଳରେ ମନୋନୀତ ପାଇଁ ଏକ ଟ୍ରାଏଲ ପ୍ରକ୍ରିୟା ରେ ପାରାଦୀପର ଅର୍ପିତ ସତ୍ୟମ ମହାନ୍ତି ଭଲ ପ୍ରଦର୍ଶନ କରି ଓସିଏ ଦ୍ୱାରା ପ୍ରସ୍ତୁତ ଲିଡର ବୋର୍ଡର ୫ ନମ୍ବର ସ୍ଥାନରେ ରହିଥିଲେ l କିନ୍ତୁ ଓଡିଶା ଦଳର ତାଲିକାରେ ତାଙ୍କ ନାମ ରହିନଥିବା ଏବଂ ଏଥିରେ ଅନିୟମିତତା ହୋଇଥିବା ନେଇ ଅର୍ପିତ ଙ୍କ ଅଭିଭାବକ ଅଭିଯୋଗ କରିଥିଲେ l ତେବେ ଏ ବାବଦରେ ଅର୍ପିତ ଙ୍କ ପିତା ଜ୍ଞାନଞ୍ଜୟ ମହାନ୍ତି ଓ ତାଙ୍କ ପତ୍ନୀ ଓଡିଶା ଟିମରେ ତାଙ୍କ ପୁଅ ସ୍ଥାନ ନପାଇବାରେ ସେ ଖେଳୁଥିବା ଗୋପବନ୍ଧୁ କ୍ରୀଡା ସଂସଦ ର ପୂର୍ବତନ ସମ୍ପାଦକ ତଥା ଓସିଏ ର ସଦସ୍ୟ ରବି ଦାସ ଓ ଅନ୍ୟ କର୍ମକର୍ତ୍ତା ଙ୍କୁ ଦୋଷାରୋପ କରି ଆତ୍ମହୁତି ଦେବାର ଧମକ ଦେଇଛନ୍ତି l

ଏତଦବ୍ୟତୀତ ବିଭିନ୍ନ ଗଣମାଧ୍ୟମରେ ମିଥ୍ୟା ଆରୋପ ଲଗାଇ ସଂସଦ ର କର୍ମକର୍ତ୍ତା ଙ୍କୁ ନିନ୍ଦିତ କରିବା ସହ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆଣିଥିବା ନେଇ ପାଲଟା ଅଭିଯୋଗ କରିଛି ଗୋପବନ୍ଧୁ କ୍ରୀଡା ସଂସଦ l ଏବାବଦରେ ଜ୍ଞାନଞ୍ଜୟ ମହାନ୍ତି ଙ୍କ ବିରୋଧରେ କ୍ରୀଡା ସଂସଦର ସମ୍ପାଦକ ଧୂନଚନ୍ଦ୍ର ତରାଇ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ଅଞ୍ଚଳରେ କ୍ରିକେଟ ଯୁବ ପ୍ରତିଭା ଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପାରାଦୀପ କୁ କ୍ରିକେଟ ଜିଲ୍ଲାର ମାନ୍ୟତା ମିଳିଛି l ଖେଳାଳି ତାଲିକା ପଠାଇବା ଆମ କାମ କିନ୍ତୁ ଖେଳାଳି ଚୟନ କରିବା ଦାୟିତ୍ୱ ଓସିଏ ର ବୋଲି ଶ୍ରୀ ତରାଇ କହିବା ସହ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଆରୋପ କରିଛନ୍ତି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶଙ୍କ ରିପୋର୍ଟ
