କ୍ୟାମେରାମ୍ୟାନଙ୍କ ଉପରେ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର
ଚଳିତ ମାସ ୬ ତାରିଖ ରବିବାର ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ “ବଡ଼ ଖବର” ର ସ୍ଥାନୀୟ ପ୍ରତିନିଧି ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇ ଖବର ସଂଗ୍ରହ କରୁଥିବା ବେଳେ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଲିନୁ ଙ୍କୁ ଟଣା ଘୋଷରା କରିବା ସହିତ ମାଡ଼ ମାରିଥିଲେ। ଏଥି ସହିତ କ୍ୟାନେରମ୍ୟାନ ଶ୍ରୀ ପଲେଇ ଙ୍କୁ ତଳେ ପକେଇ ତାଙ୍କ ଉପରେ କେତେକ ସେବାୟତ ଚଢି ଯାଇଥିଲେ (ଯାହା କି କ୍ୟାମେରାରେ ରେକର୍ଡ଼ ହୋଇଛି)। କେବଳ ସେତିକି ନୁହେଁ ସୁଟିଂ କରାଯାଉଥିବା କ୍ୟାମେରା, ଉଭୟ ଙ୍କ ମୋବାଇଲ ଫୋନ କୁ ମଧ୍ୟ ଉଦ୍ଧତ ସେବାୟତ ଛଡ଼ାଇ ନେଇଛନ୍ତି। ଜଣେ ମହିଳା ସାମ୍ବାଦିକାଙ୍କୁ ଏକାଧିକ ପୁରୁଷ ସେବାୟତ ମିଳିମିଶି ମାଡ଼ ମାରିବା, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଫଟୋ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ମାଲକାନଗିରି ଜିଲ୍ଲା ଶାଖା ସରକାରଙ୍କ ନିକଟରେ ଦାବି କରୁଛି। ସେହିପରି ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ଆକ୍ରମଣ ହେଉଥିବା ଯୋଗୁଁ ସାମ୍ବାଦିକ ମାନେ ସ୍ୱାଧୀନ ଭାବେ କାମ କରିବା କଷ୍ଟକର ହୋଇପଡିଛି।ଏପରି ସ୍ଥଳେ ସରକାର ଯଥାଶୀଘ୍ର “ସାମ୍ବାଦିକ ସୁରକ୍ଷା ଆଇନ୍” ପ୍ରଣୟନ କରିବାକୁ ମଧ୍ୟ “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ” ଦାବି କରୁଛି । ଦାବିପତ୍ର ପ୍ରଦାନ ସମୟରେ “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ମାଲକାନଗିରି ଜିଲ୍ଲା ଶାଖା ସଂଙ୍ଘର ସଭାପତି ଏମ୍. ଅମରେଶ କୁମାର,ସାଧାରଣ ସମ୍ପାଦକ ବଂଶୀଧର ମୁଦୁଲି, ଉପଦେଷ୍ଟା ପ୍ରଭାକର ହନ୍ତାଳ ଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
