ଖରାଦିନେ ଜଳ କଷ୍ଟ ଗରା ମାଠିଆ ଧରି ମହିଳାଙ୍କ ରାସ୍ତା ଅବରୋଧ।
ଧର୍ମଗଡ଼ :ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା କଳାହାଣ୍ଡି, ଆଉ ଏବେ କଳାହାଣ୍ଡିର ଧର୍ମଗଡ ବ୍ଲକ ପୋଡ଼ପଡା ଗାଁ ରେ ପିଇବା ପାଣିର ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା। ପାଣି ଯୋଗାଇବା ଦାବୀରେ ଧର୍ମଗଡ–ସିନାପାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ଗରା,ମାଠିଆ, ବାଲ୍ଟି ଓ ପାଣି ରଖିବା ଡବା ରଖି ଭିନ୍ନ ଧରଣର ପ୍ରତିବାଦ କରୁଛନ୍ତି ଗ୍ରାମବାସୀ।ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ଓ ସଡ଼କ ଯାତାୟାତ ପୂରାପୂରି ଠପ୍ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁକୁ ଓଭର ହେଡ଼ ଟ୍ୟାଙ୍କ ମାଧ୍ୟମରେ ପାଣି ଯୋଗାଣ ପାଇଁ ପାଇପ ବିଛା ଯାଇଥିଲେ ମଧ୍ୟ ଏଯାବତ୍ ପିଇବା ପାଣି ଯୋଗାଣ ହୋଇନାହିଁ। ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ପ୍ରାୟ ୫୦୦ରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁରେ ମାତ୍ର ୨ଟି ନଳକୂପ ରହିଛି। ସେଥିରୁ ବାହାରୁଥିବା ପାଣିରେ ଫ୍ଲୋରାଇଡ ଓ ଲୁହା ଅଧିକ ଥିବାରୁ ଲୋକମାନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ବିଭିନ୍ନ ସମୟରେ ରୋଗରେ ପଡୁଛନ୍ତି। ଏପର୍ଯ୍ୟନ୍ତ ଗ୍ରାମରେ ୫ରୁ ଅଧିକ ଲୋକ କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଲୋକ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।
ଏପଟେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ପାଣି ସମସ୍ୟା ଗ୍ରାମବାସୀଙ୍କ ଦୁର୍ଦ୍ଦଶା କୁ ଦ୍ଵିଗୁଣିତ କରିଛି। ପ୍ରତିଦିନ ପିଇବା ପାଣି ପାଇଁ ଦୂର ଦୂରାନ୍ତରେ ଥିବା ନଦୀକୁ ଯିବାକୁ ପଡୁଥିବାରୁ ମହିଳାମାନେ ସବୁଠାରୁ ବେଶୀ ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇ ଥିଲେ ହେଁ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗକୁ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ଗ୍ରାମବାସୀ ପ୍ରକାଶ କରିଛନ୍ତି।ତେବେ ଘଟଣା ସ୍ଥଳରେ ଧର୍ମଗଡ଼ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
