September 2, 2026
Home » ଖୋର୍ଦ୍ଧାରୋଡ୍ ମଣ୍ଡଳରେ ‘ହିନ୍ଦୀ ପଖୱାଡ଼ା–୨୦୨୬’ ଉଦ୍‌ଘାଟିତ

ଖୋର୍ଦ୍ଧାରୋଡ୍ ମଣ୍ଡଳରେ ‘ହିନ୍ଦୀ ପଖୱାଡ଼ା–୨୦୨୬’ ଉଦ୍‌ଘାଟିତ

0
WhatsApp Image 2026-09-01 at 11.57.15 PM

 

ଜଟଣୀ:ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ମଣ୍ଡଳରେ ସେପ୍ଟେମ୍ବର ୦୧,୨୦୨୬ରୁ ସେପ୍ଟେମ୍ବର ୨୩,୨୦୨୬ ପର୍ଯ୍ୟନ୍ତ ‘ହିନ୍ଦୀ ପଖୱାଡ଼ା–୨୦୨୬’ ପାଳନ କରାଯାଉଛି।ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ରାଜଭାଷା ହିନ୍ଦୀର ପ୍ରଚାର ଓ ପ୍ରସାର କରିବା ସହ ସରକାରୀ କାର୍ଯ୍ୟରେ ଏହାର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ପଖୱାଡ଼ାର ମୁଖ୍ୟ ଉଦ୍ଦେଶ୍ୟ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମା’ ସରସ୍ୱତୀଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ‘ହିନ୍ଦୀ ପଖୱାଡ଼ା–୨୦୨୬’ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

 

ଏହି ଅବସରରେ ସେ ପ୍ରଭାବଶାଳୀ ଯୋଗାଯୋଗ, ଜାତୀୟ ଏକତା ତଥା ନିଜର ଚିନ୍ତାଧାରା ଓ ଭାବନାର ଅଭିବ୍ୟକ୍ତିର ମାଧ୍ୟମ ଭାବେ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସରକାରୀ କାର୍ଯ୍ୟରେ ହିନ୍ଦୀର ଅଧିକରୁ ଅଧିକ ବ୍ୟବହାର କରିବା ସହ ହିନ୍ଦୀ ପଖୱାଡ଼ା ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି.କେ. ବେହେରା ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରସାର ଓ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୈନନ୍ଦିନ ସରକାରୀ ଯୋଗାଯୋଗରେ ସ୍ୱାଭାବିକ ଓ ନିରନ୍ତର ଭାବେ ହିନ୍ଦୀ ବ୍ୟବହାର କରିବାକୁ ସେ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ। କେବଳ ହିନ୍ଦୀ ପଖୱାଡ଼ା ପାଳନ କରିବାରେ ନୁହେଁ,ବରଂ ଏହାର ନିୟମିତ ଓ ଅର୍ଥପୂର୍ଣ୍ଣ ବ୍ୟବହାର ଦ୍ୱାରା ହିଁ ହିନ୍ଦୀ ପ୍ରତି ପ୍ରକୃତ ସମ୍ମାନ ପ୍ରକାଶ ପାଇଥାଏ ବୋଲି ସେ କହିଥିଲେ।

ହିନ୍ଦୀ ପଖୱାଡ଼ା ଅବଧିରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ରାଜଭାଷା ବିଭାଗ ପକ୍ଷରୁ ରେଳ କର୍ମଚାରୀ ମାନଙ୍କ ପାଇଁ ହିନ୍ଦୀ ନୋଟିଂ ଓ ଡ୍ରାଫ୍ଟିଂ, ହିନ୍ଦୀ ପ୍ରବଚନ ଏବଂ ହିନ୍ଦୀ କର୍ମଶାଳା ଭଳି ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଖୋର୍ଦ୍ଧାରୋଡ୍ ମଣ୍ଡଳର ବରିଷ୍ଠ ରାଜଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *