October 16, 2024
Home » ଗଜପତି : କ୍ରୀଡା ଶିକ୍ଷକଙ୍କ ଦୋକାନରେ ରଙ୍ଗ ଦିଆ କାର୍ଯ୍ୟରେ ଛାତ୍ରମାନେ ନିୟୋଜିତ

ଗଜପତି : କ୍ରୀଡା ଶିକ୍ଷକଙ୍କ ଦୋକାନରେ ରଙ୍ଗ ଦିଆ କାର୍ଯ୍ୟରେ ଛାତ୍ରମାନେ ନିୟୋଜିତ

0

 

ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅବ୍ୟବସ୍ଥା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବ ପ୍ରୋତ୍ସାହନ ଓ ସହଯୋଗରେ ଚାଲୁଥିବାର ସାଧାରଣରେ ଆଲୋଚନା ହେଉଛି । କିଛିଦିନ ପୂର୍ବେ ରାୟଗଡ ବ୍ଲକର ପେଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କକ୍ଷରେ ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ବହିରେ ବିଞ୍ଚି ଥିବାର ଭିଡିଓ ଭାଇରଲ ହୋଇଥିଲା । ତାପରେ ସେହି ବିଦ୍ୟାଳୟରେ ଛାତ୍ରୀମାନେ ଅଣ୍ଡା ବାଣ୍ଟୁ ଥିବାର ଆଉ ଏକ ଭିଡିଓ ଭାଇରଲ୍ ହୋଇଥିଲା । ଉଭୟ ଭାଇରଲ୍ ଭିଡିଓକୁ ନେଇ ଖବର ପ୍ରସାରିତ ହୋଇଥିଲା ।

ଗୋଷାଣଇ ବ୍ଲକର ଗୋଷାଣି ଠାରେ ଛାତ୍ରୀନିବାସରେ ଜଣେ ଅଜଣା ବ୍ୟକ୍ତିଙ୍କ ଜଣେ ଛାତ୍ରୀଙ୍କୁ କର୍ତ୍ତୃପକ୍ଷ ଛାଡିଦେବା ଘଟଣାକୁ ନେଇ ଜିଲ୍ଲା ପରିଷଦ ବୈଠକରେ ତୁମ୍ବିତୋଫାନ ହୋଇଥିଲା ।ସେହିପରି ଗୁମ୍ମା ବ୍ଲକ ଝାମ୍ମି ପଞ୍ଚାୟତ ଅନ୍ତର୍ଗତ ଏସ. ବିଡୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ମଧ୍ୟରେ କନ୍ଦଳକୁ କେନ୍ଦ୍ର କରି ଗ୍ରାମବାସୀ ଫାଟକରେ ତାଲା ପକାଇଥିଲେ । ମୋହନା ବ୍ଲକର କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ହସ୍ତାନ୍ତର ବିବାଦକୁ କେନ୍ଦ୍ରକରି କାର୍ଯ୍ୟାଳୟରେ ୯ଦିନ ଧରି ତାଲା ପଡିଥିଲା । ବର୍ତ୍ତମାନରେ ଏହି କ୍ରମରେ ଆଉ ଅଧ୍ୟାୟ ଯୋଡି ହୋଇଛି । ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ପଢୁଥିବା ୭ଜଣ ଛାତ୍ର କ୍ରୀଡା ଶିକ୍ଷକଙ୍କ ଚୁଡି ଓ ଷ୍ଟେସନାରୀ ଦୋକାନରେ ରଙ୍ଗ ବୋଳା କାର୍ଯ୍ୟରେ ନିୟୋଜିତ ହେବା ଘଟଣା ନଜରକୁ ଆସିଛି । ଏହି ଘଟଣା ଲୋକଲୋଚନକୁ ଆଣିଛନ୍ତି ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସୁଧିର ପ୍ରଧାନ । ଗତ ରବିବାର ଦିନ ଶ୍ରୀ ପ୍ରଧାନ ମୋହନା ରୁ ରାମିଗିରି ଯାଉଥିଲେ । ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ପାଠ ପଢୁଥିବା କିଛି ଛାତ୍ର ୭କିଲୋମିଟର ଚାନ୍ଦିପୁଟ ସ୍ଥିତ ଜାତୀୟ ରାଜପଥ ନଂ-୩୨୬(କ) ପାଶ୍ୱର୍ରେ ଥିବା ସେହି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଏନ. ରାଜେନ୍ଦ୍ର ଦୋରା ଘରେ ହୋଇଥିବା ଚୁଡି ଓ ଷ୍ଟେସନାରୀ ଦୋକାନରେ ରଙ୍ଗ ବୋଳୁ ଥିବାର ଶ୍ରୀ ପ୍ରଧାନ ଦେଖିଥିଲେ । ଶିକୁଳି ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସେହି ଦୋକାନ ନିକଟକୁ ଯାଇ କାମ ରଙ୍ଗ ବୋଳା କାର୍ଯ୍ୟରେ ନିୟୋଜିତ ଛାତ୍ରଙ୍କୁ ତୁମମାନେ କାହିଁକି ଏଠାକୁ ଆସି କାମ କରୁଛ ବୋଲି ପଚାରିଥିଲେ । କ୍ରୀଡା ଶିକ୍ଷକ ଏନ.ରାଜେନ୍ଦ୍ର ଦୋରା ତାଙ୍କୁ ଫର୍ମ ପୂରଣ କରିବାକୁ କହି ଡାକିଥିଲେ । ୭ଜଣ ପିଲା ୨ଦିନ ହେଲା ଆସି ଏଠାରେ କାମ କରୁଛୁ ବୋଲି କହିଥିଲେ । ତମେ ୨ଜଣ କାମ କରୁଛ ଅନ୍ୟମାନେ କୁଆଡେ ଗଲେ ବୋଲି ପଚାରିଥିଲେ । ଅନ୍ୟମାନେ ଘରେ ଭିତରେ ଥିଲେ କିନ୍ତୁ ବାହାରକୁ ଆସିନଥିଲେ । ଏହାପରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ନିଜ ଖର୍ଚ୍ଚରେ ରଙ୍ଗ ବୋଳା କାର୍ଯ୍ୟରେ ନିୟୋଜିତ ଥିବା ୨ଜଣ ଛାତ୍ରଙ୍କୁ ନିଜ ଖର୍ଚ୍ଚରେ ବସରେ ବିଦ୍ୟାଳୟର ଛାତ୍ରାବାସକୁ ପଠାଇଥିଲେ । କ୍ରୀଡା ଶିକ୍ଷକ ଏନ.ରାଜେନ୍ଦ୍ର ଦୋରା ବିଦ୍ୟାଳୟର ଛାତ୍ରବାସ ଦାୟିତ୍ୱରେ ଅଛନ୍ତି । ଏହି ଘଟଣାକୁ ଶ୍ରୀ ପ୍ରଧାନ ତୀବ୍ର ନିନ୍ଦା କରିବାସହ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ପିଲାମାନେ କିପରି ଦୁଇ ଅକ୍ଷର ପାଠ ପଢି ନିଜ ଗୋଡରେ ନିଜେ ଠିଆ ହେବେ ସେଥିପ୍ରତି ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ଦାୟିତ୍ୱହୀନ ଶିକ୍ଷକ ସମସ୍ତ ପ୍ରକାର ସରକାରୀ ନିୟମକୁ ଜଳାଞ୍ଜଳୀ ଦେଇ ନିଜର ସ୍ୱାର୍ଥ ସାଧନ ନିମନ୍ତେ ନିଜର ଘରୋଇ କାର୍ଯ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଦାଦନ ଶ୍ରମିକ ଭଳି ଖଟାଉଛନ୍ତି । ସୂଚନାଯୋଗ୍ୟ ଯେ ଗଣମାଧ୍ୟମ ପ୍ରତିନିଧି ମାନେ ଏନେଇ ଖବର ପ୍ରସାରଣ କଲେ ସେମାନଙ୍କ ନାମରେ ପୋଲିସ ଥାନାରେ ମିଥ୍ୟା ମାମଲ ରୁଜୁ କରୁଛନ୍ତି । ତାର ନଗ୍ନ ଉଦହାରଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପେଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ବହିରେ ଛାତ୍ରୀମାନେ ବିଞ୍ଚୁଥିବା ଘଟଣାର ଖବର ପ୍ରସାରଣ କରିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବ ସହ ତାଙ୍କର ବାଇଟ୍ ନେଇଥିଲେ । ଏହାବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କୁ ନିକଟକୁ ଯାଇ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଭାଇରଲ ଭିଡିଓଟି ପ୍ରଦାନ କରିଥିଲେ । ଉଭୟ ଅଧିକାରୀ କି ତଦନ୍ତ କଲେ ତାହାର କୌଣସି ଅତାପତା ନାହିଁ । ତା ପରିବର୍ତ୍ତେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଖବର ପ୍ରସାରଣ କରିଥିବା ୩ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକାର ମିଥ୍ୟାରୋପ କରି ରାୟଗଡ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିଲେ । ଏହି ଘଟଣାରୁ ସ୍ପଷ୍ଟ ଘଟଣା ଜଣାପଡୁଛି ଯେ ନିଜ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଓଲଟା ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି । କର୍ମଚାରୀଙ୍କ ଦ୍ୱାରା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ପ୍ରତିନିଧଙ୍କ ବିରୋଧରେ ମିଥ୍ୟା ମାମଲ ରୁଜୁ କରିବାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରୋତ୍ସାହିତ କରି ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିବାରେ ବ୍ୟସ୍ତ ରହୁଛନ୍ତି !

Leave a Reply

Your email address will not be published. Required fields are marked *