ଗଜପତି ଜିଲ୍ଲାରେ ବିନା ଟେଣ୍ଡରରେ ପିଏମଶ୍ରୀ ଲାଙ୍ଗୁଏଜ୍ ଲ୍ୟାବ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଅଦ୍ୟାବଧି ଗଜପତି ଜିଲ୍ଲାର ୧୫ଟି ବିଦ୍ୟାଳୟକୁ ପିଏମଶ୍ରୀ ମାନ୍ୟତା ମିଳିଛି । ସେଥି ମଧ୍ୟରୁ ୧୩ ବିଦ୍ୟାଳୟଏହି ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ଏହି ଯୋଜନାରେ ମାନ୍ୟତା ପାଇଥିବା ବିଦ୍ୟାଳୟ ଗୁଡିକରେ ୧୭ଲକ୍ଷ୫୦ହଜାର ଟଙ୍କା ବ୍ୟୟରେ ଲାଙ୍ଗୁଏଜ୍ ଲ୍ୟାବ୍ ନିର୍ମାଣ କରାଯିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି । କିନ୍ତୁ ଗଜପତି ଜିଲ୍ଲାରେ ଏହାର ନିର୍ମାଣରେ ବ୍ୟାପକ ଅନିୟମୀତତା କରାଯାଉଥିବା ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ପ୍ରକୋଷ୍ଠରେ ସାଗର କୁମାର ଘଡେଇ ନାମକ ଜଣେ ବ୍ୟକ୍ତି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗ ପତ୍ରରେ ଜିଲ୍ଲାରେ ପିଏମଶ୍ରୀ ମାନ୍ୟତା ପାଇଥିବା ପ୍ରତ୍ୟେକ ବିଦ୍ୟାଳୟ ଗୁଡିକରେ ଲାଙ୍ଗୁଏଜ୍ ଲ୍ୟାବ୍ ନିର୍ମାଣ ସକାଶେ ୧୭ଲକ୍ଷ ୫୦ହଜାର ଟଙ୍କା ଲେଖାଁଏ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥିଲେ । ଦୀର୍ଘଦିନ ହେଲା ଉକ୍ତ ଅର୍ଥକୁ ଡିପିସି ଦାୟିତ୍ୱରେ ରହିଥିବା ଅଧିକାରୀ ଜଣକ ଜାଣିଶୁଣି ଲାଙ୍ଗୁଏଜ୍ ଲ୍ୟାବ୍ ନିର୍ମାଣ ଟେଣ୍ଡର ନକରି ନୀରବ ରହିଥିଲେ । ଯେତେବେଳେ ନିର୍ମାଣ କାର୍ଯ୍ୟ ନହେଲେ ଉକ୍ତ ଅର୍ଥରାଶି ଫେରିଯିବ ସୂଚନା ମିଳିଲା ତାହାର ବାହାନା ଦେଖାଇ ସେତେବେଳେ ଡିପିସି ଦାୟିତ୍ୱରେ ରହିଥିବା ଜିଲ୍ଲା ଶିକ୍ଷାଧିକାରୀ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ମିଳିତ ଭାବେ ଚଞ୍ଚକତା କରି ଲାଙ୍ଗୁଏଜ୍ ଲ୍ୟାବ୍ ନିର୍ମାଣ କାର୍ଯ୍ୟଗୁଡିକ ଟେଣ୍ଡର ନକରି ବିଭାଗ ନାମରେ ରଖି ନିମ୍ନମାନରେ କରି ମୁନାଫା ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଘଡେଇ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ଡିପିସି ଦାୟିତ୍ୱରେ ରହିଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଡାକି କାଗଜପତ୍ର ଆଣିବାକୁ କହିଥିଲେ । ଶିକ୍ଷା ବିଭାଗରେ ବଦଳି ଓ ଡେପୁଟେସନ୍ ନାମରେ ବାରମ୍ବାରତାଲିକା ପ୍ରସ୍ତୁତ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଘଟଣା ବିଭିନ୍ନ ମହଲରେ ଶୁଣିବାକୁ ମିଳୁଥିଲା । ସେଥିରେ ପିଏମଶ୍ରୀ ଲାଙ୍ଗୁଏଜ୍ ଲ୍ୟାବ୍ ନିର୍ମାଣରେ ଟେଣ୍ଡର ନକରି ବିଭାଗ ନାମରେ ରଖି ନିମ୍ନମାନରେ କାର୍ଯ୍ୟ କରି ହରିଲୁଟ୍ ଉଦ୍ୟମ ଘଟଣା ମାଧ୍ୟମରେ ଆଉ ଏକ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ତେବେ ଜିଲ୍ଲା ପ୍ରଶାସନଏହି ଅଭିଯୋଗର ତଦନ୍ତ କିପରି କରୁଛି ତାହା ସମୟ ହିଁ କହିବ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
