August 27, 2025
Home » ଗୁଣ୍ଡିଚାପଡ଼ାରେ ଇଦୁଲ୍-ଅଜ୍‌ହା ଉତ୍ସବ ଉତ୍ସାହପୂର୍ଣ୍ଣ ଭାବେ ପାଳିତ

ଗୁଣ୍ଡିଚାପଡ଼ାରେ ଇଦୁଲ୍-ଅଜ୍‌ହା ଉତ୍ସବ ଉତ୍ସାହପୂର୍ଣ୍ଣ ଭାବେ ପାଳିତ

0
WhatsApp Image 2025-06-07 at 2.59.45 PM

ତ୍ୟାଗ ଓ ବଳିଦାନର ପବିତ୍ର ପର୍ବରେ ମାନବତାର ପାଠ

ଢେଙ୍କାନାଳ ସହର ଉପକଣ୍ଠ ସ୍ଥିତ ଗୁଣ୍ଡିଚାପଡ଼ାର ଅହମଦିୟା ମୁସଲିମ୍ ଜାମେ ମସଜିଦରେ ଇଦୁଲ୍-ଅଜ୍‌ହା ପବିତ୍ର ପର୍ବଟି ଉତ୍ସବମୟ ପରିବେଶରେ ଉଲ୍ଲାସପୂର୍ଣ୍ଣ ଭାବେ ପାଳିତ ହୋଇଗଲା। ଏହି ପର୍ବ ତ୍ୟାଗ, ଆତ୍ମସମର୍ପଣ ଓ ମାନବସେବାର ଅମୂଳ୍ୟ ଶିକ୍ଷା ଦେଉଥାଏ।
ଅବସରଟିରେ ମୌଲବୀ ମୁଜାଫର ଖାଁ ଇଦ୍ ନମାଜ ପାଠ କରାଇଥିଲେ ଓ ଧର୍ମିକ ଉପଦେଶ ଦେଇ ଇଦ୍-ଅଜ୍‌ହାର ଗଭୀର ଅର୍ଥ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ପବିତ୍ର କୁରଆନର ଅନୁସାରେ – ଅଲ୍ଲାହଙ୍କ ନିକଟକୁ ନ ପହଞ୍ଚେ ତୁମର ବଳିଦାନର ମାଂସ, ନ ପହଞ୍ଚେ ତାହାର ରକ୍ତ; ବରଂ ତୁମର ତକ୍ୱା (ଆସ୍ଥା ଓ ଧର୍ମପରାୟଣତା) ଅଲ୍ଲାହଙ୍କ ନିକଟରେ ପହଞ୍ଚେ।”
ଏହି ଅବସରରେ ଧାର୍ମିକତା, ସଦାଚାର ଓ ନିଜର ଅନ୍ତର୍ନିହିତ ଅଭିମାନକୁ ବଳିଦାନ ଦେବା ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।
ମସଜିଦ ତୌହିଦ ଥିବା ମୌଲବୀ ଜଲାଲ ଉଦ୍ଦିନ ଖାଁ କହିଛନ୍ତି, “ପଶୁବଳି ମାତ୍ର ଏହି ପର୍ବର ଉଦ୍ଦେଶ୍ୟ ନୁହେଁ; ଭୋକିଲାକୁ ଖାଇବାକୁ ଦେବା, ଦରିଦ୍ରଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା, ଏବଂ ମାନବତା ପ୍ରତି ଅନୁଭୂତି ରଖିବା ହେଉଛି ଏହି ଉତ୍ସବର ମୂଳ ଶିକ୍ଷା।”
ଅହମଦିୟା ମୁସଲିମ ସମୁଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ କହିଛନ୍ତି, “ଇଦ୍-ଅଜ୍‌ହା ମାନବତା ଓ ଧର୍ମପରାୟଣତାର ଏକ ଅତୁଳନୀୟ ପର୍ବ। ଏହି ଦିନ ଆମକୁ ଶିଖାଏ – ତୃଷ୍ଣାରେ ବ୍ୟାକୁଳ ଲୋକଙ୍କ ପାନୀୟ ପ୍ରଦାନ କରିବା, ଅନ୍ନବସ୍ତ୍ର ନାହିଁଥିବାଙ୍କୁ ସାହାଯ୍ୟ କରିବା, ଓ ଆତ୍ମସମର୍ପଣ ମାଧ୍ୟମରେ ଅଲ୍ଲାହଙ୍କ ଆଜ୍ଞା ପାଳନ କରିବା।”
ସେ ଆହୁରି କୁହନ୍ତି, “ନିଜ ଅନ୍ତର୍ନିହିତ ଅହଂକାର, ଇର୍ଷ୍ୟା, ଓ ଅସତ୍ୟ ଆଚରଣକୁ ବଳିଦାନ କରି ଏକ ନୂଆ ନୀତିଗତ ଜୀବନ ଆରମ୍ଭ କରିବା ଦ୍ୱାରା ଏହି ପର୍ବର ଅର୍ଥ ପୂରଣ ହୁଏ।”
ଏହି ଅବସରରେ ଗ୍ରାମବାସୀମାନେ ମହାନ ଉତ୍ସାହରେ ଅଂଶ ଗ୍ରହଣ କରି ଇଦ୍ ଉତ୍ସବକୁ ଉଲ୍ଲାସପୂର୍ଣ୍ଣ ଭାବେ ପାଳନ କରିଥିଲେ।
ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିବର୍ଗ ମଧ୍ୟରେ ଥିଲେ – ସଭାପତି ସୁଲେମାନ ଅଲୀ ଖାଁ, କୋଷାଧ୍ୟକ୍ଷ ଅୟୁବ ଖାଁ, ଭାରତୀୟ ସେନାର ଅବସରପ୍ରାପ୍ତ ଯବାନ ତୋରାବ ଖାଁ, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ନିରିକ୍ଷକ ଫରଜୁଲା ଖାଁ, ଅବଦୁଲ ବାରି, ଯୁବ ସଂଗଠନ ଅଧ୍ୟକ୍ଷ ଶେଖ୍ ଜହୀର, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ଏବଂ ଇଦ୍ରିସ ଖାଁ। ସମସ୍ତଙ୍କ ଅନୁପ୍ରେରଣାଦାୟୀ ଉପସ୍ଥିତି ଏବଂ ଶୁଭେଚ୍ଛା ପାଠ ଏହି ଉତ୍ସବକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ କରିଦେଇଥିଲା।

Leave a Reply

Your email address will not be published. Required fields are marked *