August 19, 2026
Home » ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ ଉପରେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ ଉପରେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

0
Screenshot 2026-08-19 182515

 

ଭୁବନେଶ୍ୱର,: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ‘ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫’ (PWDVA) ଏବଂ ‘ଯୌତୁକ ନିରୋଧ ଆଇନ, ୧୯୬୧’ ବିଷୟରେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଉପ-ଜିଲ୍ଲାପାଳ, ସୁରକ୍ଷା ଅଧିକାରୀ (ପ୍ରୋଟେକ୍ସନ୍ ଅଫିସର), ପୋଲିସ ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର୍ (OSC) ଓ ଶକ୍ତି ସଦନର କାର୍ଯ୍ୟକର୍ତ୍ତା, ଜିଲ୍ଲା ଆଇନସେବା ପ୍ରାଧିକରଣ (DLSA)ର ପ୍ରତିନିଧି ଏବଂ ଜିଲ୍ଲା ମହିଳା ସଶକ୍ତୀକରଣ କେନ୍ଦ୍ର (DHEW)ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନଗତ ପ୍ରାବଧାନ, ବିଭିନ୍ନ ଅଂଶୀଦାରଙ୍କ ଭୂମିକା ଓ ଉତ୍ତରଦାୟିତ୍ୱ, ଏବଂ ଘରୋଇ ହିଂସା ଓ ଯୌତୁକଜନିତ ଅପରାଧ କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହିଳା ଓ ବାଳିକାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଯେତେବେଳେ ମହିଳାମାନେ ନିଜର ଅଧିକାର ବିଷୟରେ ସଚେତନ ହେବେ, ସେତେବେଳେ ସେମାନେ ସଶକ୍ତ ହୋଇପାରିବେ। ହିଂସା, ଭେଦଭାବ ଏବଂ ଯୌତୁକ ସମ୍ବନ୍ଧୀୟ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆଇନଗତ ଅଧିକାର ଏବଂ ଉପଲବ୍ଧ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଏକ ‘ଯୌତୁକମୁକ୍ତ ଓଡ଼ିଶା’ ଏବଂ ‘ଘରୋଇ ହିଂସାମୁକ୍ତ ଘର’ ଗଠନ କରିବା ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେବଳ କଠୋର ଆଇନ ନୁହେଁ, ବରଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା, ତୃଣମୂଳ ସ୍ତରରେ ସଚେତନତା ଏବଂ ସମସ୍ତ ଅଂଶୀଦାରଙ୍କ ମିଳିତ ସହଯୋଗ ଆବଶ୍ୟକ।
ଘରୋଇ ହିଂସା କିମ୍ବା ଯୌତୁକ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ଯେପରି ସମୟସୀମା ମଧ୍ୟରେ ସୁରକ୍ଷା, ଆଇନଗତ ସହାୟତା, ପରାମର୍ଶ ଏବଂ ଅନ୍ୟାନ୍ୟ ପ୍ରସଙ୍ଗିକ ସହାୟତା ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀ ଓ ପ୍ରତ୍ୟକ୍ଷ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *