ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ।ତିନିରଥର ଖପୁରୀ ସମେତ ପାରା ଭାଡ଼ିକୁ ମିଶାଇ ପୋଟଳ ସେଟିଙ୍ଗ ଶେଷ ।
ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥରେ ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ୧୩ ପରାସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଅଛି।
(ଅନୁକୂଳ ପୂଜା ସହ ତିନିରଥ ପ୍ରଭା ରେ ରୁପ ଖୋଦେଇ କାର୍ଯ୍ୟ ଆରମ୍ଭ)

ମୁଖ୍ୟ ରୂପକାର ସେବକ ମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନିରଥ ପ୍ରଭାରେ ରୂପ ଖୋଦେଇ ଚିତ୍ରାଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭା ରେ ରୁପ ଖୋଦେଇ ଆରମ୍ଭ କରିଛନ୍ତି।
ତିନିରଥ ପ୍ରଭା ରେ ରାହୁ ବା କୀର୍ତ୍ତି ମୁଖ,ଦୁଇ ହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର , ବାଙ୍କରେ ଡାଳି ଲତା ଏବଂ ତଳ ଭାଗରେ ମଗର ମୁଖ ଇତ୍ୟାଦିର ରୂପ ଖୋଦେଇ କାର୍ଯ୍ୟ କରାଯାଇଛି।
(ତିନିରଥର ବିଜେ ଚକା ନିର୍ମାଣ ଶେଷ)

ତିନିରଥର ମହାରଣା ସେବକ ମାନେ ରଥରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକା ନିର୍ମାଣ ଶେଷ କରିଛନ୍ତି। ପରମ୍ପରା ପ୍ରକାରେ ତିନି ରଥ ସିଂହଦ୍ଵାର ନିକଟରେ ଲାଗିବା ପରେ ରଥ ନିର୍ମାଣର ଶେଷ ପର୍ବ ଭାବେ ବେଦୀରେ ଚକା ସଂଯୋଗ କରି ତିନିରଥର ମୁଖ୍ୟ ମହାରଣା ସେବକ ମାନେ ହରିବୋଲ ଡାକ ଦେଇ ରଥ ନିର୍ମାଣ ସାଙ୍ଗ କରିବେ।
(ତିନିରଥ ବେଦୀରେ ପଡ଼ିଲା ଜଗତ ପୃଷ୍ଠ ସେଣିି)


ତିନିରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ଚାରି ନାହାକା ଆଗ ପଛ ଢ଼ମକ ରେ ପାଞ୍ଚ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡ଼ିଆ ଶେଷ ହୋଇଛି। ବେଦୀ ଚାରି ପାର୍ଶ୍ୱରେ ପଟା ବାଡିଆ ଶେଷ ହୋଇଥିବାରୁ, ବେଦୀ ପରିସରକୁ ବଢ଼ାଇବା ପାଇଁ ସେଣୀ ପତନ ରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ ଟି ବାହୁଟ ଫାଳିଆ ପଡ଼ି ପଟା ପକାଯାଇ ବେଦୀ ପ୍ରସ୍ତୁତ କରାଯିବ
(ଚିତ୍ରକାର ଚାଳିରେସିଂହାସନ ମୁହାଁଟି ସହ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ଜାରୀ)


ଚିତ୍ରକାର ସେବକ ମାନେ ତିନିରଥର ଗୋଟିଏ ଗୋଟିଏ ସିଂହାସନ ମୁହାଁଟି ର ରଙ୍ଗ କାର୍ଯ୍ୟ ପାଇଁ ସେଥିରେ ପ୍ରାଇମର୍ ଦେବା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ତିନିରଥର ଶେଷ ହୋଇଥିବା ବାକି ୧୨ ଗୋଟି ନାଟ ଗୋଡ଼ରେ ରଙ୍ଗ ପାଇଁ ପ୍ରାଇମର୍ ଦେବା କାର୍ଯ୍ୟ ଶେଷ କରିଛନ୍ତି, ଏଥିସହ ତିନିରଥର ପାର୍ଶ୍ୱ ଦେବ ଦେବୀ ପ୍ରତିମା ମୂର୍ତ୍ତି ଗୁଡିକରେ ରଙ୍ଗ କାର୍ଯ୍ୟ ସହ କଳସ, ଠେକେରା ବାଡ଼,କନ୍ୟା ପଟା ରେ ରଙ୍ଗ କାର୍ଯ୍ୟ ସହ ତିନିରଥ ଗୁଜ, ଚକ, ଦଣ୍ଡା ଇତ୍ୟାଦି ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।


ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନିରଥର ପ୍ରଭା କଣ୍ଟା, ସିଂହାସନ ଗୁଁଠୀ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ପାହି ମହାରଣା ମାନେ ରଥ ଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
