ଚାଷୀଙ୍କ ସମସ୍ୟାକୁ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ରାସ୍ତାରୋକ
ଚାଷୀଙ୍କୁ ସମସ୍ୟାକୁ ନେଇ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳ ତରଫରୁ ରାସ୍ତାରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ କରାଯାଇଥିଲା । ଜିଲ୍ଲାରେ ଧାନସଂଗ୍ରହ ବେଳେ ବ୍ୟାପକ ଅବ୍ୟବସ୍ଥା ହେଉଥିବାରୁ ଚାଷୀକୂଳ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ଗମାଙ୍ଗ ଅଭିଯୋଗ କରିଛନ୍ତି । ସେହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଜିଲ୍ଲାରେ ସମସ୍ତ ବ୍ଲକରେ ମଣ୍ଡି ତୁରନ୍ତ ଖୋଲାଯାଇ ତାର ଆନଷାଙ୍ଗିକ ବ୍ୟବସ୍ଥା ଗୁଡିକ କରିବାକୁ ଦାବୀ କରାଯାଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟର ୮ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା

। ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଅନୁପ ପଣ୍ଡା ଦାବୀପତ୍ରଟି ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ରରେ ମଣ୍ଡିରେ କଟନୀଛଟନି ବନ୍ଦ କରିବା, ଚାଷୀଙ୍କ ଅଖାର ଟଙ୍କା ପ୍ରଦାନ କରିବା, ଧାନ ମଣ୍ଡିକୁ ନେବା ପର୍ଯ୍ୟନ୍ତ ଚାଷୀଙ୍କ ଖର୍ଚ୍ଚ ସରକାର ବହନ କରିବା, ଧାନର ମାନ ନିର୍ଦ୍ଧାରଣ କାର୍ଯ୍ୟ ମିଲରଙ୍କ ହାତକୁ ନଟେକି ମଣ୍ଡିରେ କରିବା, ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ପଇସା ପ୍ରଦାନ, ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଘରକୁ ଯାଇ ଧାନ କ୍ରୟ କରିବା, ମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସମେତ ଅନ୍ୟାନ୍ୟଆନୁଷାଙ୍ଗିକ ବ୍ୟବସ୍ଥା କରିବା ଓ ବିଧାୟକଙ୍କ ଦରମା ବୃଦ୍ଧି କରିବା ଭଳି କେନ୍ଦ୍ର ସରକାର ବଢାଇଥିବା ଧାନର ମୂଲ୍ୟ ୬୯ରୁ ୩ଶହ ଟଙ୍କାକୁ ବୃଦ୍ଧି କରିବା ଉଲ୍ଲେଖ ରହିଛି । ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ବେଳେ ଗଜପତି ଜିଲ୍ଲା କଂଗ୍ରେସର ସଧାରଣ ସମ୍ପାଦକ ଇଶ୍ୱର ଚନ୍ଦ୍ର ମାଝି. ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, କୃଷକ ସେଲ ସଭାପତି ଅଶୋକ କୁମାର ଅଧିକାରୀ, ସନ୍ତୋଷ କୁମାର ରଥ, ରାମଚନ୍ଦ୍ର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ଦଳୀୟ ସଭାପତି ଏବଂ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ । ରାସ୍ତାରୋକ ଯୋଗୁଁ ପ୍ରାୟ ୧ଘଣ୍ଟା ଧରି ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା ।
ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
