December 21, 2025
Home » ଛତ୍ରପୁର ବ୍ଲକ୍ ର ୫ ଟି ପଞ୍ଚାୟତରେ ଜୀବିକା ନିର୍ବାହ ପନ୍ଥାକାର୍ଯ୍ୟକାରୀ କରାଯିବ

ଛତ୍ରପୁର ବ୍ଲକ୍ ର ୫ ଟି ପଞ୍ଚାୟତରେ ଜୀବିକା ନିର୍ବାହ ପନ୍ଥାକାର୍ଯ୍ୟକାରୀ କରାଯିବ

0
WhatsApp Image 2025-06-12 at 10.05.44 AM

!
ଛତ୍ରପୁର ( ମୁନା ବେହେରା): ଛତ୍ରପୁର ବ୍ଲକ୍ ର ୫ଟି ପଞ୍ଚାୟତରେ ଜୀବିକା ନିର୍ବାହ ପନ୍ଥା ଉପରେ ବଳିଷ୍ଠତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଆନ୍ତଃ-ଜାତୀୟସ୍ତରୀୟ ସଂସ୍ଥା ସେଣ୍ଟର୍ ଫର୍ ୟୁଥ୍ ଏଣ୍ଡ ସୋସିଆଲ ଡେଭଲଫ୍ ମେଣ୍ଟ (ସି.ୱାଇ.ଏସ୍.ଡି.) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଏହି ସଂସ୍ଥା କାର୍ଯ୍ୟ କରିବାକୁ ଏମ୍.ଓ. ସ୍ବାକ୍ଷରୀତ ହୋଇଥିବା କୁହାଯାଇଛି ।
୧୯୮୨ ମସିହାରେ ପ୍ରଥମେ କାର୍ଯ୍ଯ ଆରମ୍ଭ କରିଥିବା ଏହି ସଂସ୍ଥା ଆଜି ୪୪ ବର୍ଷରେ ପଦାର୍ପଣ କରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି ।
ମହିଳା ଗୋଷ୍ଠୀ ତଥା ଯୁବ ପୀଢ଼ି ଙ୍କୁ ବିଭିନ୍ନ ପ୍ରକାରର ଧନ୍ଦାମୂଳକ କାର୍ଯ୍ୟରେ ନିୟୋଜିତ କରାଇ ଜୀବିକା ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଵାରେ ସହାୟକ ହୋଇ ଆସିଥିବା କୁହାଯାଇଛି । ଜମିରେ ଉନ୍ନତ ପ୍ରଣାଳୀରେ ଚାଷ କରିବା, ମାଛ ଜାଆଁଳା ଉତ୍ପାଦନ କରି ମାଛ ଚାଷ କରିବା, କୁକୁଡ଼ା ପାଳନ, ମେଷ ପାଳନ, ଗୋ-ପାଳନ କରିବା, ଠୁଙ୍ଗା,ଦନା, ଖଲି ପ୍ଲେଟ ବନାଇବା, ଖଲିପତ୍ର ସିଲେଇବା, ଲୁଗା,ଜାମାପତ୍ର ସିଲେଇବା,ତଥା ଶିକ୍ଷା ଭିତ୍ତିକ ଭାବେ କୁଶଳୀ ବୁଣାକାର, କୁଶଳୀ ଶ୍ରମିକ, ଆଦି ବିଭିନ୍ନ ପ୍ରକାର କର୍ମ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ କାର୍ଯ୍ୟରେ ନିୟୋଜିତ ଅବା ଥଇଥାନ କରିବା ଭଳି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସି.ୱାଇ.ଏସ୍.ଡି. ସଂସ୍ଥାନ ଆଗଭର ହୋଇଛି ।


ପ୍ରଥମ ପର୍ଯ୍ୟାୟରେ ସି.ୱାଇ.ଏସ୍.ଡି. ଗଞ୍ଜାମ ଜିଲ୍ଲାର ପୋଲସରା ଓ ଗୋପାଳପୁର ଅଞ୍ଚଳରେ ୨୦୧୩-୧୪ ଆର୍ଥିକ ବର୍ଷରେ ଜୀବିକା ନିର୍ବାହ ପନ୍ଥା ଆରମ୍ଭ କରିଥିଲେ । ଲୋକଙ୍କ ଜୀବନ ଧାରଣର ମାନ ଉନ୍ନତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ସାଂଗକୁ ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ଉପରେ ସମୀକ୍ଷା କରି ଉନ୍ନତ ପଦକ୍ଷେପ ଗ୍ରହଣ କରି ବିଭିନ୍ନ ଦିଗରେ କର୍ମ ନିଯୁକ୍ତି ସୃଷ୍ଟି କରିଆସିଛନ୍ତି । ଅଧୂନା ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଡ଼ାପଦର, ବିପୁଳିିଙ୍ଗି, ବଉଳଗାଁ, ପୋଟ୍ଟଲାମପୁର, ମହାନାଦପୁର ଆଦି ପାଞ୍ଚୋଟି ଗ୍ରାମପଞ୍ଚାୟତ ରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପ୍ରଶାସନ ର ମିଳିତ ସହଯୋଗରେ ଏକ ବିସ୍ତୃତ ପରିକଳ୍ପନା କରାଯାଇଛି । ସ୍ଥାନ,ପରିବେଶ କୁ ଦୃଷ୍ଟିରେ ରଖି କୁଶଳୀ, ଅଣ-କୁଶଳୀ, ଶିକ୍ଷାର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଜୀବନ ଜୀବିକା କାର୍ଯ୍ଯରେ ସମସ୍ତଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଭଳି ବିଭିନ୍ନ ବର୍ଗର ଯୁବପିଢୀ ଯଥା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବିବିଧ ତାଲିମ୍ ଦିଆଯିବ । ବିବିଧ ପ୍ରଶିକ୍ଷଣ ଅନୁଷ୍ଠାନ ମାନଙ୍କରେ ତାଲିମ୍ ଓ ପରେ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।
ଗତ ମଙ୍ଗଳବାର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଙ୍କ ଉପସ୍ଥାପନାରେ ଏବଂ ଅତିରିକ୍ତ ଜିଲ୍ଲାପାଳ ଗଞ୍ଜାମ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି ଙ୍କ ପୌରହିତ୍ୟରେ ସି.ୱାଇ.ଏସ୍.ଡି. କାର୍ଯ୍ୟକର୍ତ୍ତା ଙ୍କ ମିଳିତ ଯୋଗଦାନରେ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ପାଞ୍ଚୋଟି ପଞ୍ଚାୟତର ସରପଞ୍ଚ ତଥା ପି.ଆର୍. ମେମ୍ବର୍ ପ୍ରମୁଖ ଯୋଗଦେଇ ଏହାକୁ ସଫଳ ରୂପାୟନ ସ୍ୱରୂପ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା । ଆନ୍ତଃ-ଜାତୀୟସ୍ତରୀୟ ସଂସ୍ଥା ସି.ୱାଇ.ଏସ୍.ଡି. ର ସହକାରୀ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ଏହି ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦତ୍ତ ବେହେରା, ଭକ୍ତ ବେହେରା, ରୋଜାଲିନ୍ ବେହେରା, ସମିତିସଭ୍ୟ ଗୋଲାପ ପ୍ରଧାନ, ନିରଞ୍ଜନ ପ୍ରଧାନ, ଶଶୀ ଦାସ୍, ସରପଞ୍ଚ ହିନା ସେଠୀ, ସୁଜାତା ଦାସ ପ୍ରମୁଖ ବହୁ ପି.ଆର୍. ମେମ୍ବର୍, ବହୁ ଅଧିକାରୀ, ବରିଷ୍ଠ ସାମ୍ୱାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଶ୍ରୀ ନାୟକ ଧନ୍ୟବାଦ୍ ଜଣାଇଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *